Report Card Odisha

| Daily Odia News

ଆଜି ମହାପ୍ରଭୁଙ୍କ ବାହୁଡା ଯାତ୍ରା…..

ରିପୋର୍ଟ କାର୍ଡ / ପୁରୀ

ଆଜି ମହାପ୍ରଭୁଙ୍କ ବାହୁଡା ଯାତ୍ରା | ଜନ୍ମବେଦୀରେ ସରିଲା ମହାପ୍ରଭୁଙକ୍ ଲୀଳାଖେଳା । ନବଦିର ଯାତ୍ରା ସାରି ଆଜି ବଡ଼ଦେଉଳ ଅଭିମୁଖେ ବାହାରିବେ ଚତୁର୍ଦ୍ଧା ମୂର୍ତ୍ତି । ବିନା ଭକ୍ତରେ ବଡ଼ଦେଉଳ ଅଭିମୁଖେ ବାହୁଡ଼ିବେ ମହାବାହୁ | ଏଥିପାଇଁ ଗୁଣ୍ଡିଚା ମନ୍ଦିର ଦ୍ୱାରରେ ଅପେକ୍ଷାରେ ଅଛନ୍ତି ୩ ରଥ । କେତେବେଳେ ମହାପ୍ରଭୁ ଗୁଣ୍ଡିଚା ମନ୍ଦିରରୁ ବାହାରିବେ ସମସ୍ତେ ଅପେକ୍ଷା କରିଛନ୍ତି। ବର୍ତ୍ତମାନ ଗୁଣ୍ଡିଚା ମନ୍ଦିର ଭିତରେ ମହାପ୍ରଭୁଙ୍କର ବିଭିନ୍ନ ନୀତିକାନ୍ତି ଚାଲିଛି । ନୀତି ନିର୍ଘଣ୍ଟ ଅନୁସାରେ ମଧ୍ୟାହ୍ନ ୧୨ଟା ସୁଦ୍ଧା ଆରମ୍ଭ ହେବ ପହଣ୍ଡି । ଅପରାହ୍ନ ସାଢ଼େ ୨ଟାରୁ ୩ଟା ୩୦ ମଧ୍ୟରେ ଛେରା ପହଁରା ହେବ । ଏହାପରେ ଚାରମାଳ ଫିଟା, ଘୋଡ଼ାଯୋଚା ଓ ସାରଥି ଲାଗିବା ପରେ ଅପରାହ୍ନ ୪ଟା ସୁଦ୍ଧା ରଥଟଣା ହେବ । ବିନା ଭକ୍ତରେ ରଥଯାତ୍ରା ଭଳି ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେଉଛି । କେବଳ ସେବାୟତ ମହାପ୍ରଭୁଙ୍କ ରଥ ଟାଣିବେ । ଆଜି ବଡ଼ଦେଉଳ ଅଭିମୁଖେ ବାହୁଡ଼ିବା ବେଳେ ବାଟରେ ମାଉସୀ ମା’ ମନ୍ଦିରରେ ପୋଡ଼ପିଠା ଖାଇବେ କାଳିଆ ଠାକୁର । ଆଜି ସିଂହଦ୍ୱାର ଆଗରେ ତିନି ରଥ ଲାଗିବ । ଆସନ୍ତାକାଲି ରଥାରୁଢ଼ ଶ୍ରୀଜିଉଙ୍କର ହେବ ସୁନାବେଶ । ୨୨ତାରିଖରେ ଅଧରପଣା ଓ ୨୩ ତାରିଖରେ ନୀଳିଦ୍ରି ବିଜେ କରିବେ ମହାପ୍ରଭୁ । ଶାନ୍ତିଶୃଙ୍ଖଳାରେ ବାହୁଡ଼ା ଯାତ୍ରା ସାରିବା ପାଇଁ ପ୍ରଶାସନ ବ୍ୟାପକ ପ୍ରସ୍ତୁତି ହୋଇଛି । ପ୍ରଶାସନ ପକ୍ଷରୁ ରଥଯାତ୍ରା ଅପେକ୍ଷା ବାହୁଡ଼ାରେ କଟକଣାକୁ ଅଧିକ କଡାକଡି କରାଯାଇଛି | ରଥଯାତ୍ରା ସମୟରେ ବଡ଼ଦାଣ୍ଡରେ କୋଭିଡ କଟକଣା ଏବଂ କର୍ଫ୍ୟୁ ଆଇନ୍‌କୁ ଉଲ୍ଲଂଘନ ନେଇ ଅଭିଯୋଗ ହୋଇଥିଲେ | ତେଣୁ ବିନା ଭକ୍ତରେ ବାହୁଡ଼ା ଯାତ୍ରା ପାଇଁ ସୋମବାରଠାରୁ ପୁରୀ ସହରରେ ୧୪୪ ଧାରା ଜାରି ହୋଇଛି । ସୋମବାର ରାତି ୮ଟାରୁ ୨୧ ତାରିଖ ରାତି ୮ଟା ଯାଏ କର୍ଫ୍ୟୁ ବଳବତ୍ତର ରହିଛି । ବଡ଼ଦାଣ୍ଡରେ ଫ୍ଲାଗମାର୍ଚ୍ଚ ଓ ଶାନ୍ତିଶୃଙ୍ଖଳା ବଜାୟ ପାଇଁ ଗଠନ ହୋଇଛି ୨୦ଟି ପୋଲିସ ଟିମ୍ । ପୁରୀକୁ ସମସ୍ତ ପ୍ରବେଶ ପଥ ସିଲ୍ ହୋଇଛି । ନିୟମର ଉଲ୍ଲଂଘନ କରି ପୁରୀରେ କେହି ପ୍ରବେଶ ଉଦ୍ୟମ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ । ରଥଯାତ୍ରା ସମୟରେ ବଡ଼ଦାଣ୍ଡରେ କୋଭିଡ କଟକଣା ଏବଂ କର୍ଫ୍ୟୁ ଆଇନ୍‌କୁ ଉଲ୍ଲଂଘନ କରି କେତେକ ବଡ଼ଦାଣ୍ଡକୁ ଆସି ଆଇନଶୃଙ୍ଖଳା ପରିସ୍ଥିତି କୁ ଭଣ୍ଡୁର କରିଦେଇଥିଲେ। ଏଥିପାଇଁ ପ୍ରଶାସନକୁ ବଦନାମ ହେବାକୁ ପଡିଥିଲା | ତେଣୁ ବାହୁଡ଼ାରେ ପ୍ରଶାସନ ଅଧିକରୁ ଅଧିକ କଟକଣା ଜାରିକରିଛି |

Breaking News