Report Card Odisha

| Daily Odia News

ଆଜି ବାହୁଡ଼ିବେ ଚତୁର୍ଦ୍ଧାମୂର୍ତ୍ତି…..

ରିପୋର୍ଟ କାର୍ଡ/ ଭୁବନେଶ୍ୱର 

ନବଦିନାତ୍ମକ ଯାତ୍ରା ସାରି ଆଜି ରତ୍ନବେଦି ଅଭିମୁଖେ ବାହୁଡ଼ିବେ ଚତୁର୍ଦ୍ଧାମୂର୍ତ୍ତି। ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ଆଗରେ ଶ୍ରୀଜିଉମାନଙ୍କ ଅପେକ୍ଷାରେ ଦଣ୍ଡାୟମାନ ହୋଇଛନ୍ତି ତିନି ରଥ। ଶ୍ରୀମନ୍ଦିର ପ୍ରଶାସନର ନୀତିନିର୍ଘଣ୍ଟ ଅନୁସାରେ ଭୋର ୪ଟାରୁ ନୀତିକାନ୍ତି ଆରମ୍ଭ ହୋଇଯାଇଛି। ମଙ୍ଗଳଆଳତି, ମଇଲମ, ତଡ଼ପଲାଗି, ରୋଷହୋମ, ଅବକାଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ବେଶଶେଷ ନୀତି ଶେଷ ହେବା ପରେ ୫ଟା ୪୫ରୁ ୬ଟା ୪୫ ମଧ୍ୟରେ ଗୋପାଳବଲ୍ଲଭ ଓ ସକାଳ ଧୂପ ନୀତି ସଂପନ୍ନ ହେବ। ସକାଳ ୭ଟାରୁ ୧୧ଟା ୩୦ ମଧ୍ୟରେ ସେନାପଟା ଲାଗି ପରେ ୧୧ଟା ୪୫ରେ ମଙ୍ଗଳାର୍ପଣ ନୀତି ହେବ। ତା’ପରେ ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ସାଢ଼େ ୨ଟା ମଧ୍ୟରେ ବାହୁଡ଼ା ପହଣ୍ଡି କରାଯିବ। ଗୁଣ୍ଡିଚା ଯାତ୍ରା ଭଳି ବାହୁଡ଼ାରେ ବି ଧାଡ଼ି ପହଣ୍ଡିରେ ଠାକୁରମାନେ ରଥାରୁଢ଼ ହେବେ। ଅପରାହ୍ନ ସାଢ଼େ ୨ଟାରୁ ସାଢ଼େ ୩ଟା ମଧ୍ୟରେ ଗଜପତିଙ୍କ ଛେରାପହଁରା ନୀତି ରହିଥିବାବେଳେ ଅପରାହ୍ନ ୪ଟାରେ ରଥଟଣା ହେବ। ବାହୁଡ଼ାଯାତ୍ରାରେ ଶୃଙ୍ଖଳିତ ନୀତିକାନ୍ତିକୁ ଶ୍ରୀମନ୍ଦିର ପ୍ରଶାସନ ଅଧିକ ଗୁରୁତ୍ୱ ଦେଇଛି। ସେହିପରି ଭକ୍ତଙ୍କ ସୁରକ୍ଷା ଓ ଟ୍ରାଫିକ୍ ବ୍ୟବସ୍ଥା ଉପରେ ପୋଲିସ ପ୍ରଶାସନ ଗୁରୁତ୍ୱ ଦେଇଥିବା ସୂଚନା ରହିଛି।

 

 

 

Breaking News