ରିପୋର୍ଟ କାର୍ଡ / କଟକ
ଐତିହାସିକ ବାଲିଯାତ୍ରା କଟକ-୨୦୨୫ ଆସନ୍ତା ନଭେମ୍ବର ୫ରୁ ୧୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ ଆବଣ୍ଟିତ ହେବାକୁ ଥିବା ପ୍ଲଟ ନିଲାମ ପାଇଁ ଜିଲା ପ୍ରଶାସନ ପକ୍ଷରୁ ନିୟମ ଓ ସର୍ତ୍ତାବଳୀ ଲାଗୁ କରାଯାଇଛି। ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ତଥା ବାଲିଯାତ୍ରା ପ୍ଲଟ ଆବଣ୍ଟନ କମିଟି ଅଧ୍ୟକ୍ଷ ଡ. ଦିବ୍ୟଲୋଚନ ମହାନ୍ତ ଜିଲ୍ଲାପାଳଙ୍କୁ କାର୍ଯ୍ୟାଳୟରେ ଗୁରୁବାର ପ୍ରେସ୍ ବିବୃତିରେ ଏହି ସମ୍ବନ୍ଧୀୟ ସମସ୍ତ ସୂଚନା ଦେଇଛନ୍ତି। ସୂଚନା ମୁତାବକ ପ୍ଲଟ ଆବଣ୍ଟନ ନିମନ୍ତେ ପଞ୍ଜୀକରଣ କାର୍ଯ୍ୟ ୨୬ ତାରିଖ (ଶୁକ୍ରବାର)ରୁ ଆରମ୍ଭ ହୋଇ ଅକ୍ଟୋବର ୬ ତାରିଖ ପର୍ଯ୍ୟନ୍ତ ଚାଲିବ। ହାଇବ୍ରିଡ ମୋଡ୍ (ଉଭୟ ଅନ୍ଲାଇନ ଓ ଅଫଲାଇନ୍) ଜରିଆରେ ଆବେଦନ କରାଯିବାକୁ ସ୍ଥିର ହୋଇଛି। ଆବେଦନକାରୀ ପଞ୍ଜୀକରଣ ନିମନ୍ତେ ଆବେଦନପତ୍ର ସହିତ ବାରବାଟୀ ଷ୍ଟାଡିୟମ ସନ୍ନିକଟ ବାରବାଟୀ ପ୍ୟାଲେସଠାରେ ସରକାରୀ ଛୁଟିଦିନ ବ୍ୟତୀତ ନିର୍ଦ୍ଦିଷ୍ଟ ତାରିଖ ମଧ୍ୟରେ ଦୈନିକ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୫ଟା ମଧ୍ୟରେ ଦାଖଲ କରିପାରିବେ ଓ ପଞ୍ଜୀକରଣ ପତ୍ର ଗ୍ରହଣ କରିପାରିବେ। ଚଳିତବର୍ଷ ନିଲାମ ପ୍ରକ୍ରିୟା ସର୍ବନିମ୍ନ ୪୦ ଟଙ୍କା, ୫୦ ଟଙ୍କା ଓ ୬୦ ଟଙ୍କା ରଖାଯାଇ ଅକ୍ଟୋବର ୧୩ରୁ ଆରମ୍ଭ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ଡ. ମହାନ୍ତ ସୂଚନା ଦେଇଛନ୍ତି। ଏତଦବ୍ୟତୀତ ଛୋଟ ଛୋଟ ବ୍ୟବସାୟୀମାନଙ୍କୁ ୮୦ ବର୍ଗଫୁଟ ପର୍ଯ୍ୟନ୍ତ ଜାଗା ୧୫୦୦ ଟଙ୍କା ହିସାବରେ ଯୋଗାଇ ଦିଆଯିବାକୁ ସ୍ଥିର କରାଯାଇଥିବା ସେ କହିଛନ୍ତି। କଟକ ସଦର ଉପଜିଲ୍ଲାପାଳ ଦିବ୍ୟଜ୍ୟୋତି ସ୍ମୃତିରଞ୍ଜନ ଦେଓ, କଟକ ସଦର ତହସିଲଦାର ଦେବଦତ୍ତ ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭବାନୀ ଶଙ୍କର ଭୂୟାଁ, ଡେପୁଟି କଲେକ୍ଟର ପ୍ରଜ୍ଞା ପାରମିତା ଥାଟୋଇ ଓ ଜିଲ୍ଲା ସଂସ୍କୃତି ଅଧିକାରୀ ନଳିନୀକାନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
More Stories
କଟକରେ ଭାଙ୍ଗିଲା ତୋରଣ…..
ଗଭୀର ଅବପାତରେ ପରିଣତ ଲଘୁଚାପ,ପ୍ରବଳ ବର୍ଷିବ…..
ହାତୀଙ୍କ ପାଇଁ ଘର ତିଆରିବେ ସରକାର……