ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସୋସିଆଲ ମିଡିଆରେ ସରକାରଙ୍କ ଉପରେ ଆଲୋଚନା କରିଥିବା ଜଣେ ଛାତ୍ର କୁ ପିଟି ପିଟି ହତ୍ୟା କରିବା ମାମଲାରେ ବାଂଲାଦେଶର ଏକ କୋର୍ଟ ୨୦ ଛାତ୍ରଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଛନ୍ତି | ଏହି ମାମଲାଟି ୨୦୧୯ରେ ଘଟିଥିଲା । ଘଟଣା ସମୟରେ ମୃତକ ଓ ଅଭିଯୁକ୍ତ ଛାତ୍ରମାନେ ଢାକାରେ ବାଂଲାଦେଶ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ୟୁନିଭରସିଟିରେ ପଢୁଥିଲେ । ଏହି ମାମଲାରେ ୨୦ ଅଭିଯୁକ୍ତଙ୍କୁ ଫାଶୀଦଣ୍ଡ ମିଳିଥିବା ବେଳେ ୫ ଜଣ ଛାତ୍ରଙ୍କୁ ଆଜୀବନ କାରାଦଣ୍ଡ ଦିଆଯାଇଛି । ଭବିଷ୍ୟତରେ ଏପରି ଘଟଣାର ପୁନରାବୃତ୍ତି ନହେବା ପାଇଁ ଦୋଷୀଙ୍କୁ ଫାଶୀଦଣ୍ଡ ଦେବାକୁ କୋର୍ଟ ବାଧ୍ୟ ହୋଇଛି ବୋଲି ରାୟରେ ଦର୍ଶାଯାଇଛି । ୨୫ ଅଭିଯୁକ୍ତଙ୍କ ମଧ୍ୟରୁ କେହି ବି ନିର୍ଦ୍ଦୋଷ ନାହାନ୍ତି ବୋଲି କୋର୍ଟ କହିଛନ୍ତି । ତେବେ ୨୧ ବର୍ଷୀୟ ଅବରାର ଫାହାଦଙ୍କ ହତ୍ୟା ପରେ ୨୦୧୯ ଅକ୍ଟୋବର ୬ରୁ ୩ ଜଣ ଫେରାର ଥିବାରୁ ସେମାନଙ୍କ ଅନୁପସ୍ଥିତିରେ ଶୁଣାଣି ଚାଲିଥିଲା । ସମସ୍ତ ଅଭିଯୁକ୍ତ ଛାତ୍ର ଶାସକ ଆୱାମୀ ଲିଗର ଛାତ୍ର ସଂଗଠନ ବାଂଲାଦେଶ ଛାତ୍ର ଲିଗ୍ (ବିସିଏଲ୍) ସହିତ ଜଡିତ ଥିଲେ । ବିସିଏଲ୍ ଏହି ଛାତ୍ରମାନଙ୍କୁ ସଂଗଠନରୁ ନିଲମ୍ବିତ କରିଥିଲା ଓ ଘଟଣା ପରେ ଅଧିକାରୀମାନେ ସେମାନଙ୍କୁ ବହିଷ୍କାର କରିଥିଲେ । ଭାରତ ସହ ଅଂଶୀଦାର ହୋଇଥିବା ନଦୀର ଜଳ ବାଣ୍ଟିବା ପ୍ରସଙ୍ଗରେ ଶାସକ ଆୱାମୀ ଲିଗକୁ ସମାଲୋଚନା କରିବା ପରେ ଫାହାଦଙ୍କୁ ପିଟି ପିଟି ହତ୍ୟା କରାଯାଇଥିଲା । ହତ୍ୟା ପରେ ସମସ୍ତ ଅଭିଯୁକ୍ତ ଛାତ୍ର ଘଟଣାସ୍ଥଳରୁ ପଳାଇ ଯାଇଥିଲେ ।






More Stories
ଜାଣନ୍ତୁ ଚଳିତବର୍ଷର ବଜେଟ୍…..
ବଢିଲା ଏଲପିଜି ସିଲିଣ୍ଡର ଦର….
ରାଷ୍ଟ୍ରପତିଙ୍କୁ ଭେଟିଲେ ନିର୍ମଳା ସୀତାରମଣ……