Report Card Odisha

| Daily Odia News

ମୃତଦେହରୁ କାଢିନେଲେ କିଡନି, ଆଖି !…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ନିଖୋଜ ହେବାର ୮ ଦିନ ପରେ ମିଳିଲା ମୃତଦେହ । ମାତ୍ର ମୃତଦେହଟି ପରିତ୍ୟକ୍ତ ଅବସ୍ଥାରେ ଏକ ବିଲରେ ପଡ଼ିଥିବା ବେଳେ ସେଥିରୁ ଆଖି, କିଡ଼ନୀ ଗାଏବ ହୋଇ ଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ଏପରିକି ବ୍ୟକ୍ତିଙ୍କ ଚିହ୍ନଟ ଯେପରି ହୋଇ ନ ପାରିବ, ସେଥିପାଇଁ ମୁହଁରେ ଓ ଦେହରେ ଏସିଡ ଢାଳି ଜାଳି ବି ଦେଇଛନ୍ତି। ଏପରି ଘଟଣା ରାଜଧାନୀ ଭୁବନେଶ୍ୱରରେ ଘଟିଛି। ମୃତକ ଜଣକ ହେଲେ କେଳୁଚରଣ ରାଉତରାୟ। କେଳୁଚରଣଙ୍କ ଘର ୟୁନିଟ୍-ୱାନ୍ ଅଞ୍ଚଳରେ। କେଳୁଚରଣ ଭୁବନେଶ୍ୱରରୁ ନିଖୋଜ ହୋଇଥିବା ବେଳେ ତାଙ୍କ ମୃତଦେହ କଟକ ଜିଲ୍ଲା ଓଲଟପୁରର ଏକ ବିଲରୁ ମିଳିଛି। କେଳୁଚରଣଙ୍କ ଭାଇଙ୍କ ଅଭିଯୋଗ, ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ କେଳୁଚରଣ ନିଜେ ଗତ ୯ ରେ ୧୦୮ ଫୋନ କରି କ୍ୟାପିଟାଲ ହସ୍ପିଟାଲ ଯାଇଥିଲେ। ମାତ୍ର ପରିବାର ଲୋକେ ସେଠାରେ ପହଞ୍ଚି ତାଙ୍କୁ ଖୋଜି ପାଇ ନ ଥିଲେ। ଏପରିକି ତାଙ୍କ ନାମ ବି ରେଜିଷ୍ଟରରେ ନ ଥିବା ଦେଖିବାକୁ ପାଇଥିଲେ। ଏହାପରେ କଟକ ଏସସିବି ମେଡିକାଲ ଯାଇ ଖୋଜାଖୋଜି କଲେ ବି ପାଇ ନ ଥିଲେ। ଏହାପରେ ଏନେଇ ପରିବାର ଲୋକେ କ୍ୟାପିଟାଲ ଥାନାରେ ଅଭିଯୋଗ ହୋଇଥିବା ବେଳେ ଗତକାଲି ଓଲଟପୁର ନିକଟରୁ ତାଙ୍କର ମୃତଦେହ ମିଳିଛି । ଏକ ବିଲ ମଧ୍ୟରେ କେଳୁଚରଣଙ୍କ ମୃତଦେହ ଠାବ ହୋଇଛି। ମାତ୍ର ତାଙ୍କ ଶରୀରରୁ ଆଖି ଏବଂ କିଡନୀ କାଢ଼ି ନିଆଯାଇଥିବା ଅଭିଯୋଗ କରିଛନ୍ତି କେଳୁଚରଣଙ୍କ ଭାଇ। ଏପରିକି ମୃତଦେହକୁ ଚିହ୍ନଟ କରି ନ ପାରିବା ନିମନ୍ତେ ସେଥିରେ ଏସିଡ ପକାଯାଇଥିବା କହିଛନ୍ତି। ପରିବାର ଲୋକେ ତାହା କେଳୁଚରଣଙ୍କ ମୃତଦେହ ବୋଲି ଚିହ୍ନଟ କରିଥିବା ବେଳେ ବ୍ୟବଚ୍ଛେଦ ନିମନ୍ତେ ତାହାକୁ କ୍ୟାପିଟାଲ ହସ୍ପିଟାଲ ଅଣାଯାଇଛି। ତେବେ ୧୦୮ ଆମ୍ବୁଲାନ୍ସରେ ଯାଇଥିବା ରୋଗୀଙ୍କ ମୃତଦେହ କିପରି ଓଲଟପୁରରୁ ମିଳିଲା ଓ ଆଖି, କିଡନୀ କିପରି ତଡ଼ା ହେଲା ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହା ପଛରେ ଏକ ରାକେଟ କାମ କରୁଥିବା ବେଳେ ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ହାତ ଥିବା କେଳୁଚରଣଙ୍କ ଭାଇ ଅଭିଯୋଗ କରିଛନ୍ତି। ପୋଲିସ ତଦନ୍ତ  କରୁଥିବା ଜଣାପଡିଛି |

Breaking News