ରିପୋର୍ଟ କାର୍ଡ / ଭୁବନେଶ୍ବର
ଦେଶରେ ସାଧାରଣ ନିର୍ବାଚନ ସହ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ସମ୍ଭବତଃ ନିର୍ବାଚନ ଏପ୍ରିଲ ମାସରେ ହେବାକୁ ଥିବା ବେଳେ ଏବେ ଠାରୁ ନିର୍ବାଚନକୁ ନେଇ ଭୁବନେଶ୍ୱରରେ ପୋଲିସ ଅଫିସରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। କମିଶନରେଟ ପୋଲିସ ବିଶେଷ କରି ରାଜଧାନୀ ଭୁବନେଶ୍ୱରର ପେଶାଦାର ଅପରାଧୀମାନଙ୍କୁ ତଡ଼ି ପାର ଯୋଜନା କରିଛି। ନିର୍ବାଚନ ପୂର୍ବରୁ ୨୪୦୦ରୁ ଅଧିକ ଜାମିନ ବିହୀନ ଗିରଫ ପରୱାନା ଜାରି କରାଯାଇଛି। ସେମାନଙ୍କର ତାଲିକା ପ୍ରସ୍ତୁତ ହୋଇ ସାରିଛି। ଅଭ୍ୟାସଗତ ଅପରାଧୀ, ଅସାମାଜିକ ଓ ଦାଗୀମାନଙ୍କ ତଡ଼ିପାର କରିବାକୁ ଯୋଜନା କରାଯାଇଛି। ଏଥିସହ ବାରମ୍ବାର ଅପରାଧରେ ସମ୍ପୃକ୍ତ ଅପରାଧୀଙ୍କ ବିରୋଧରେ NSA ଲାଗିବ। ଏଠି ସହିତ ଲାଇସେନ୍ସ ବନ୍ଧୁକଧାରୀ ବ୍ୟକ୍ତି ବିଶେଷଙ୍କ ନାମରେ ଯଦି କୌଣସି ମାମଲା ଥାଏ କିମ୍ବା ସେମାନଙ୍କ ଦ୍ୱାରା କୌଣସି ଅଘଟଣ ଘଟିଥାଏ, ତେବେ ସେମାନଙ୍କ ତାଲିକା ପ୍ରସ୍ତୁତ କରିବା ସହ ସେମାନଙ୍କୁ ବନ୍ଧୁକ ପୈଠ କରିବା ପାଇଁ ନୋଟିସ ମଧ୍ୟ ଜାରି କରାଯିବ ବୋଲି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ କହିଛନ୍ତି। ସେ କହିଛନ୍ତି, “ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିବାକୁ ସବୁ ପ୍ରକାରର ପଦକ୍ଷେପ ନିଆଯାଉଛି। ମଙ୍ଗଳବାର ଡିଜିପି ମଧ୍ୟ ବୈଠକ କରିଥିଲେ। ଉକ୍ତ ବୈଠକରେ ମିଳିଥିବା ସୂଚନା ସମ୍ପର୍କରେ ଆଜି ଅଫିସରମାନଙ୍କୁ ଅବଗତ କରାଯାଇଛି। ସେମାନେ କେମିତି ସତର୍କ ରହିବେ ଓ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବେ, ସେ ବିଷୟରେ ସମସ୍ତଙ୍କୁ ବୁଝାଯାଇଛି। ଚୋରା ମଦ କାରବାର ଠାରୁ ଆରମ୍ଭ କରି ଅପରାଧୀମାନଙ୍କ ଉପରେ ନଜର ରହିବ। ସମସ୍ତ ପେଶାଦାର ଅପରାଧୀ, ଅସାମାଜିକ ବ୍ୟକ୍ତି ଓ ଦାଗୀଙ୍କ ତାଲିକା ପ୍ରସ୍ତୁତ କରାଯାଇଛି। ସବୁ ଥାନା ପକ୍ଷରୁ ଜାନୁଆରୀ ମାସ ଠାରୁ ନିଶା କାରବାର ରୋକିବାକୁ ଡ୍ରାଇଭ କରାଯାଉଛି। ଆଗକୁ ମଧ୍ୟ ଏହା ଜାରି ରହିବ। ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିବା ହିଁ ଆମର ପ୍ରାଥମିକତା। ଏଥିପାଇଁ ସବୁ ପ୍ରକାରର ପଦକ୍ଷେପ ନିଆଯିବ।”






More Stories
୬ରୁ ସକାଳୁଆ କୋର୍ଟ……
ଶ୍ରୀରାମ ନବମୀରେ ଆଇନ ଶୃଙ୍ଖଳା ବଜାୟ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ…..
ବିଦ୍ୟୁତଗ୍ରାହକଙ୍କ ପାଇଁ ଖୁସିଖବର:ବଢ଼ିବନି ବିଲ୍…..