Report Card Odisha

| Daily Odia News

ବିଭାଜନ ହେବ ଭୁବନେଶ୍ବର ତହସିଲ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଭୁବନେଶ୍ବର ତହସିଲ ଅଫିସ୍‌ ଉପରେ ଚାପ ବଢ଼ିବାରେ ଲାଗିଛି। ଜମି କିଣାବିକାଠାରୁ ଆରମ୍ଭ କରି ମାଲିକାନା ହସ୍ତାନ୍ତର, ପଟ୍ଟା ପ୍ରସ୍ତୁତି, ଜାତିଗତ ଓ ଅନ୍ୟାନ୍ୟ ପ୍ରମାଣପତ୍ର ପାଇଁ ଦୈନିକ ହଜାର ହଜାର ଆବେଦନ ଆସୁଛି। ତେଣୁ ଅଧିକାରୀଙ୍କଠାରୁ କର୍ମଚାରୀ ପର୍ଯ୍ୟନ୍ତ ସମସ୍ତେ ଭାରାକ୍ରାନ୍ତ ରହୁଛନ୍ତି। ଲୋକଙ୍କ କାମ ବି ନିର୍ଦ୍ଧାରିତ ସମୟ ମଧ୍ୟରେ ହୋଇପାରୁନାହିଁ। ଠିକ୍‌ ସମୟରେ ହୋଇପାରୁନାହିଁ। ତେଣୁ ଭୁବନେଶ୍ବର‌ରେ ଆଉ ଏକ ନୂଆ ତହସିଲ ଅଫିସ୍‌ ଖୋଲିବା ସହ ଆଉ ୧୫ଟି ରାଜସ୍ବ ନିରୀକ୍ଷକ (ଆର୍‌.ଆଇ) ସର୍କଲ ତିଆରି ଆରମ୍ଭ ହୋଇଯାଇଛି। ପୂର୍ବରୁ ୧୩ଟି ଆର୍‌ଆଇ ସର୍କଲ ଥିବା ବେଳେ ତାହା ଆଗାମୀ ଦିନରେ ୨୮କୁ ବୃଦ୍ଧି ପାଇଛି। ଏଥିପାଇଁ ଜାଗା ଚିହ୍ନଟ ହେବା ସହ ପବିତ୍ର ଅକ୍ଷୟ ତୃତୀୟ‌ା ଅବସରରେ ଗତକାଲି ତିନିଟିରେ ଗୃହ ନିର୍ମାଣ ପାଇଁ ଶୁଭ ଦିଆଯାଇଛି। ତେବେ ଚଳିତବର୍ଷ ଶେ‌ଷ ଆଡ଼କୁ ନୂଆ ୧୫ଟି ଆର୍‌ଆଇ ଅଫିସ୍‌ କାର୍ଯ୍ୟକ୍ଷମ ହେବ ବୋଲି ଜଣାପଡ଼ିଛି। ଖୋଲିବ ନୂଆ ୧୫ ଆର୍‌ଆଇ ସର୍କଲ ଆଉ ଦୁଇ ଡିଏସ୍‌ଆର ଅଫିସ୍‌ ବି ହେବ | ସେହିପରି ଭୁବନେଶ୍ବର ତହସିଲ ଅଧୀନରେ ରହିଥିବା ୧୮୪ ରାଜସ୍ବ ଗ୍ରାମକୁ ଦୁଇ ଭାଗ କରି ନୂଆ ତହସିଲ ଅଫିସ୍‌ କାର୍ଯ୍ୟକ୍ଷମ କରିବାକୁ ଯୋଜନା ହୋଇଛି। ତେବେ ନୂଆ ଅଫିସ୍‌ କେଉଁଠି ହେବ, ସେ ନେଇ ନିଷ୍ପତ୍ତି ହୋଇ ନଥିବା ଜଣାପଡ଼ିଛି। ଗୋଟିଏ ତହସିଲ ଅଧୀନରେ ୯୨ ରାଜସ୍ବ ଗ୍ରାମ ରହିବ ବୋଲି ସୂଚନା ମିଳିଛି। ଠିକ୍‌ ସେହିଭଳି ଭୁବନେଶ୍ବରରେ ଜମି କିଣାବିକା ଆଶାତୀତ ଭାବରେ ବଢ଼ି ଯାଇଥିବାରୁ ଉପନିବନ୍ଧକ(ସବ୍‌ରେଜିଷ୍ଟ୍ରାର) କାର୍ଯ୍ୟାଳୟ ଉପରେ ଚାପ ବୃଦ୍ଧି ପାଇଛି। ବଡ଼ କଥା ହେଉଛି, ଏହି କାରବାରରେ ଅନିୟମିତତା ହେଉଥିବା ଅଭିଯୋଗ ରହିଛି। ଜମି ମାଲିକ ନାମରେ ନକଲି କାଗଜପତ୍ର ତିଆରି କରି ଦଲାଲ ଜମି ନିଜ ନାମରେ କରି ନେଉଛନ୍ତି। ଚାପ ଥିବାରୁ ସମସ୍ତ କାଗଜପତ୍ର ଟିକିନିଖି ଦେଖିବା ସମ୍ଭବ ହେଉନାହିଁ। ଏଣୁ ଏଭଳି ଅନିୟମିତତା ହେଉଥିବା ଅଭିଯୋଗ ହେବାରୁ ଆଉ ଦୁଇଟି ସବ୍‌ରେଜିଷ୍ଟ୍ରାର୍‌ ଅଫିସ୍‌ ଖୋଲିବାକୁ ଯୋଜନା ହୋଇଛି। ଏଥିପାଇଁ ମଧ୍ୟ ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ମିଳିଛି। ସୂଚନା ମୁତାବକ, ଭୁବନେଶ୍ବର ତହସିଲ ଅଧୀନରେ ୨୦ଟି ପଞ୍ଚାୟତ ପାଇଁ ୧୩ଟି ଆର୍‌ଆଇ ସର୍କଲ ରହିଥିଲା। ବିଭିନ୍ନ ଜମିବାଡ଼ି କାରବାରରେ ଆରଆଇମାନଙ୍କ ରିପୋର୍ଟ ଆବଶ୍ୟକତା ପଡ଼ୁଥିଲା। ଜଣେ ଜଣେ ଆରଆଇଙ୍କ ଅଧୀନରେ ୧୫ରୁ ୨୦ ରାଜସ୍ବ ଗ୍ରାମ ରହୁଥିଲା। ଜମିବାଡ଼ି କାରବାର ବଢ଼ୁଥିବାରୁ ଆର୍‌ଆଇମାନେ ଏହି ସବୁ ଗ୍ରାମମାନଙ୍କୁ ଯାଇ ଧାର୍ଯ୍ୟ ସମୟରେ କ୍ଷେତ୍ର ରିପୋର୍ଟ ପ୍ରସ୍ତୁତ କରିବା ସମ୍ଭବ ହେଉନଥିଲା। ଏଥିପାଇଁ କେବଳ ଜନସାଧାରଣଙ୍କ ବ୍ୟକ୍ତିଗତ କାମ ନୁହେଁ, ବରଂ ସରକାରୀ ପ୍ରକଳ୍ପ ବିଳମ୍ବିତ ହେଉଥିଲା। ଲୋକମାନଙ୍କୁ ମଧ୍ୟ ବହୁ ଦୂରକୁ ଆସିବାକୁ ପଡ଼ୁଥିଲା। ଏଣୁ ଏହି ୧୩ଟି ଆର୍‌ଆଇ ସର୍କଲକୁ ଭାଗ ଭାଗ କରି ୨୮ଟି କରିବାକୁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା। ସରକାର ଏହାକୁ ମଞ୍ଜୁର କରିଛନ୍ତି। ଭୁବନେଶ୍ବର ଆରଆଇ ସର୍କଲକୁ ଭାଗ କରି ଶିଶୁପାଳ ଓ ସୁନ୍ଦରପଦା ନୂଆ ଆରଆଇ ସର୍କଲ ତିଆରି ହୋଇଥିବା ବେଳେ ଲକ୍ଷ୍ମୀସାଗରକୁ ଗୋବିନ୍ଦପ୍ରସାଦ ଓ ବାସୁଆଘାଇ, ରେତଙ୍ଗକୁ ତମାଣ୍ଡୋ, ପାତ୍ରପଡ଼ାକୁ ଜାଗମରା, ପାଇକରାପୁରକୁ ଘାଟିକିଆ, ମେଣ୍ଢାଶାଳକୁ କଣ୍ଟାବାଡ଼, ଚନ୍ଦକାକୁ ଦାରୁଠେଙ୍ଗ, ବରାଲିପଡ଼ାକୁ କଲ୍ୟାଣପୁର, କଳାରାହାଙ୍ଗକୁ ପାଣ୍ଡରା ଓ ଗାଡ଼କଣ, କ୍ୟାପିଟାଲ-୧କୁ କେଶରୀନଗର, କ୍ୟାପିଟାଲ-୨କୁ ଜୟଦେବ ବିହାର, ଇଟିପୁରକୁ ଧଉଳିରେ ଭାଗ ଭାଗ କରାଯାଇଛି। କେବଳ ନଖରା ଆରଆଇ ସର୍କଲ ପୂର୍ବବତ୍‌ ରହିଛି। ଇଟିପୁରରେ ସର୍ବାଧିକ ୧୭ ରାଜସ୍ବ ଗ୍ରାମ ରହିଥିବା ବେଳେ ପାଣ୍ଡରାରେ ସର୍ବନିମ୍ନ ଦୁଇଟି ରାଜସ୍ବ ଗ୍ରାମ ରହିଛି। ଏହି ସବୁ ନୂଆ ଜାଗାରେ ଆରଆଇ ଅଫିସ ‌ନିର୍ମାଣ ହେବାକୁ ଯାଉଛି। କେବଳ ଘାଟିକିଆରେ ଚିହ୍ନଟ ହୋଇଥିବା ଜାଗାରେ ଜବରଦଖଲ ରହିଥିବାରୁ ସେଠାରେ ନିର୍ମାଣ ସମ୍ଭବ ହେଉ ନାହିଁ। ତେବେ ବିଡିଏକୁ ଉଚ୍ଛେଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଗତ ୧୯ ତାରିଖ ଦିନ ବିଡିଏ ଏଠାରୁ ଉଚ୍ଛେଦ ପାଇଁ ଯୋଜନା କରିଥିଲେ ମଧ୍ୟ ସମ୍ଭବ ହୋଇନାହିଁ।

Breaking News