ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବୋର୍ୱେଲ୍ ଭିତରେ ୮ ବର୍ଷିୟ ବାଳକ ପଡିବା ୩୮ ଘଣ୍ଟା ଅତିକ୍ରମ କରିଥିଲେ ବି ଉଦ୍ଧାରକାର୍ଯ୍ୟ ଜାରିରହିଛି | ମଧ୍ୟପ୍ରଦେଶର ବୈତୂଲ ଜିଲ୍ଲା ଅନ୍ତର୍ଗତ ମାଣ୍ଡବୀ ଗାଁରେ ୪୦୦ ଫୁଟ୍ ଗଭୀର ବୋର୍ୱେଲ୍ର ୫୫ ଫୁଟ୍ ଗଭୀରରେ ଲାଖି ରହିଛନ୍ତି ତନ୍ମୟ ସାହୁ | ସୂଚନାଯୋଗ୍ୟ, ଡିସେମ୍ବର ୫ ତାରିଖ ସନ୍ଧ୍ୟାବେଳେ ଫାର୍ମ ବା ଖମାରରେ ଖେଳୁଥିବା ବେଳେ ତନ୍ମୟ ଉକ୍ତ ବୋର୍ୱେଲ୍ ଭିତରେ ପଡ଼ିଯାଇଥିଲେ। ବୁଧବାର ରାତିରେ ବୈତୂଲ୍ର ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ୟାମେନ୍ଦ୍ର ଜୈସ୍ୱାଲ୍ କହିଥିଲେ, ବୋର୍ୱେଲ୍ ମଧ୍ୟକୁ ଖସିପଡ଼ିଥିବା ୮ ବର୍ଷିୟ ବାଳକକୁ ଉଦ୍ଧାର କରିବା ନିମନ୍ତେ ଉଦ୍ୟମ ଚାଲିଛି। ଚାଲିଥିବା ଉତ୍ଖନନ ପ୍ରାୟ ୩୩ ଫୁଟ୍ ଗଭୀରରେ ପହଞ୍ଚିଲାଣି । ୪୫ ଫୁଟ୍ ଖୋଳିବା ପରେ ଯାଇ ସୁଡ଼ଙ୍ଗ ଖୋଳିବୁ ବୋଲି ଯୋଜନା କରିଛୁ। ମାଟି ଭିତରେ ପଥର ଥିବାରୁ ଖନନରେ ବିଳମ୍ବ ହେଉଛି। କିନ୍ତୁ, ପିଲାଟି କୌଣସି ପ୍ରତିକ୍ରିୟା ଦେଖାଉନାହିଁ। ସମ୍ଭବତଃ ସେ ସଂଜ୍ଞାହୀନ ହୋଇପଡ଼ିଛି। ତାକୁ ଉଦ୍ଧାର କରିବାକୁ ସାଧ୍ୟମତେ ଉଦ୍ୟମ ଚାଲିଛି ବୋଲି ସେ କହିଛନ୍ତି। ସଂଗୃହୀତ ସୂଚନା ଅନୁସାରେ, ମାଟିରେ ଥିବା ଟାଣୁଆ ପଥର ଓ ପାଣି ବାହାରୁ ଥିବାରୁ ଉତ୍ଖନନ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି। ଘଟଣାସ୍ଥଳରେ ‘ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବଳ’, ହୋମ୍ ଗାର୍ଡ ଓ ସ୍ଥାନୀୟ ପୋଲିସ ଉପସ୍ଥତ ଅଛନ୍ତି। ତନ୍ମୟଙ୍କ ବାପା ସୁନୀଲ ସାହୁ କହନ୍ତି, ଫାର୍ମରେ ଖେଳୁଥିବା ବେଳେ ପୁଅ ଆଉ ଗୋଟାଏ ବିଲକୁ ଚାଲିଗଲା। ସେଠାରେ ଖୋଲା ଥିବା ବୋର୍ୱେଲ୍ ଭିତରେ ପଡ଼ିଗଲା। ମୋ ୧୨ ବର୍ଷୀୟ ଝିଅ ଏକଥା ଦେଖି ମତେ ଜଣାଇଲା। ଆମେ ତୁରନ୍ତ ସେଠାକୁ ଧାଇଁଗଲୁ। ତନ୍ମୟ ନିଃଶ୍ବାସପ୍ରଶ୍ବାସ ନେଉଥିଲା ଓ ତା’ ପାଟି ବି ଶୁଭୁଥିଲା।






More Stories
ଏନଡିଏ ବୈଠକରେ ମୋଦୀଙ୍କୁ ଭବ୍ୟ ସ୍ୱାଗତ…..
ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଲେ ମୋଦୀ…..
EV କିଣୁଥିବା ଗ୍ରାହକ ଖୁସି!…..