Report Card Odisha

| Daily Odia News

କ୍ଷମା ମାଗ,ନଚେତ୍‌ ନବୀନ ନିବାସ ଘେରିବୁ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ବିଜେଡି ପକ୍ଷରୁ ପଣ୍ଡିତ ଜବାହର ଲାଲ୍‌ ନେହେରୁଙ୍କ ସହ ଭି.କେ. ପାଣ୍ଡିଆନଙ୍କୁ ତୁଳନା କରାଯିବାକୁ ନେଇ କଂଗ୍ରେସ ତରଫରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି ଘଟଣାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କ୍ଷମାପ୍ରାର୍ଥନା ନ କଲେ ନବୀନ ନିବାସ ଘେରାଉ କରାଯିବ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି। ଭବାନୀପାଟଣାଠାରେ ଖବରଦାତାଙ୍କ ଏକ କାର୍ଯ୍ୟକ୍ରମରେ ଭକ୍ତ କହିଛନ୍ତି, ବିଜେଡିର କଟକ ଲୋକ ସଭା ପ୍ରାର୍ଥୀ ସନ୍ତୃପ୍ତ ମିଶ୍ର ଜଣେ କମ୍ପାନୀ ଚାକିରିଆ। ତାଙ୍କ ମୁହଁରେ ନବୀନବାବୁ ପାଣ୍ଡିଆନଙ୍କ ପ୍ରଶଂସା କରାଉଛନ୍ତି, ଯିଏକି ଦଳରେ ନାହାନ୍ତି। ନେହେରୁଙ୍କ ସହ ବିଜୁ ପଟ୍ଟନାୟକ କାମ କରିଥିଲେ। ହାତକୁ ହାତ ମିଶାଇ ସେ ବହୁତ ବଡ଼ ବଡ଼ କାର୍ଯ୍ୟ କରିଛନ୍ତି। ଆଜି ତାଙ୍କ ପୁଅ ନବୀନବାବୁ ସନ୍ତୃପ୍ତ ମିଶ୍ରଙ୍କ ଜରିଆରେ କେବଳ ଯେ ନେହେରୁଙ୍କୁ ଅପମାନିତ କରିଛନ୍ତି ତା’ ନୁହେଁ, ବିଜୁବାବୁଙ୍କୁ ମଧ୍ୟ ଅପମାନିତ କରିଛନ୍ତି। ଉଲ୍ଲେଖଯୋଗ୍ୟ, ସଂତୃପ୍ତ କହିଥିଲେ ନେହେରୁ ଯେଭଳି ରାଷ୍ଟ୍ରର ହିତ କରି ମଧ୍ୟ ସମାଲୋଚିତ ହୋଇଥିଲେ ସେହିଭଳି ପାଣ୍ଡିଆନ୍‌ ରାଜ୍ୟର ବିକାଶ କରିଥିବା ସତ୍ତ୍ୱେ ତାଙ୍କୁ ସମାଲୋଚନା କରାଯାଉଛି। ତେଣୁ ରାଜ୍ୟବାସୀଙ୍କ ସାମ୍ନାରେ ନବୀନବାବୁ କ୍ଷମା ମାଗନ୍ତୁ, ଜବାବ ଦିଅନ୍ତୁ, ନଚେତ୍‌ ପ୍ରତିଧ୍ୱନି ଶୁଣିବେ। ନବୀନ ନିବାସ ଘେରାଉ କରାଯିବ ବୋଲି ଭକ୍ତ ଚେତାଇ ଦେଇଛନ୍ତି। ପୁଣି କହିଛନ୍ତି, ପୂର୍ବର ବିଜେଡି ସରକାର ଯେଭଳି ଗଣମାଧ୍ୟମର କଣ୍ଠରୋଧ କରିଥିଲା, ଠିକ୍‌ ସେହିପରି ଭାଜପା ସରକାର ଖବରଦାତାଙ୍କ ଉପରେ ଅଙ୍କୁଶ ଲଗାଇଛି, ଯାହାଫଳରେ ଖବରଦାତାଙ୍କୁ ସେମାନଙ୍କ ଉଚିତ୍‌ ହକ୍‌ ମିଳିପାରୁନାହିଁ। ମାତ୍ର କଂଗ୍ରେସ ସେମାନଙ୍କୁ ପୂର୍ଣ୍ଣ ସ୍ବାଧୀନତା ଦେଇଥିଲା। ଯଦି ରାଜ୍ୟ ସରକାର ତୁରନ୍ତ ଖବରଦାତାଙ୍କ ଦାବି ପୂରଣ ନ କରନ୍ତି ତେବେ କଂଗ୍ରେସ ଏଥିପାଇଁ ଲଢ଼େଇ କରିବ। କହିଥିଲେ ଯେ, ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ହେଲା ବିଜେଡି। ହେଲେ ସେମାନେ ଭାଜପାର ତୋଷାମଦ କରୁଛନ୍ତି। ବିଜେଡି ଯେଭଳି ଖବରଦାତାଙ୍କ ଅଧିକାରକୁ ବିଧାନସଭାରେ ନିୟନ୍ତ୍ରଣରେ ରଖିଥିଲା, ଭାଜପା ମଧ୍ୟ ସମାନ ନୀତି ଅନୁସରଣ କରୁଛି। ଓ୍ବକ୍‌ଫ ବିଲ୍‌କୁ ନେଇ ନବୀନବାବୁ ପ୍ରଥମେ ବିରୋଧ କରିବାକୁ ନିଷ୍ପତ୍ତି ନେଲେ ଏବଂ ବିଜୁବାବୁଙ୍କ ଏହା ସ୍ବର ବୋଲି କହିଲେ, ହେଲେ ପରେ ସେ ସ୍ବର ବଦଳାଇଦେଲେ। ଏହି ପ୍ରସଙ୍ଗରେ ଏତେ ତଳକୁ ନବୀନବାବୁ ଚାଲିଯାଇଛନ୍ତି ଯେ, ତାଙ୍କ ଦଳର ଲୋକେ ଏବେ ତାଙ୍କ ବିରୋଧରେ କହିବାକୁ ଜଣକ ପରେ ଜଣେ ଖୋଲାଖୋଲି ବାହାରୁଛନ୍ତି। ଏଥିରୁ ନବୀନଙ୍କ ଡରୁଆପଣ ସ୍ପଷ୍ଟ ହେଉଛି। ନବୀନ ରାଜନୀତିର ମାନ ରଖନ୍ତୁ ବୋଲି ଭକ୍ତ କହିଛନ୍ତି।

Breaking News