Report Card Odisha

| Daily Odia News

ଆଜିଠାରୁ ୨ ଦିନ ଭାରତ ବନ୍ଦ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କେନ୍ଦ୍ର ସରକାରଙ୍କ ବିଭିନ୍ନ ନୀତି ଓ ଦରଦାମ ବୃଦ୍ଧି ପ୍ରତିବାଦରେ ବିଭିନ୍ନ ଟ୍ରେଡ ୟୁନିୟନ ଗୁଡିକ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି । ଆଜି ଓ ଆସନ୍ତାକାଲି ଦେଶବ୍ୟାପୀ ଦୁଇଦିନିଆ ଭାରତ ବନ୍ଦ ଡାକରା ଦିଆଯାଇଛି । ଦିଲ୍ଲୀରେ ଟ୍ରେଡ ସଙ୍ଗଠନ ଗୁଡିକ ରବିବାର ଏ ସଂପର୍କରେ ବୈଠକ କରି ଆନ୍ଦୋଳନର ପ୍ରସ୍ତୁତ କରିଥିବା ସୂଚନା ମିଳିଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ କର୍ମଚାରୀ ସଙ୍ଗଠନ ଗୁଡିକ ଏହାକୁ ସମର୍ଥନ ଜଣାଇଛନ୍ତି। ବିଶେଷକରି ବ୍ୟାଙ୍କ କର୍ମଚାରୀ ସଙ୍ଗଠନ ଗୁଡିକ ଧର୍ମଘଟରେ ସାମିଲ ହୋଇଥିବାରୁ ଦୁଇଦିନ ଧରି ବ୍ୟାଙ୍କ ସେବା ପ୍ରଭାବିତ ହେବ। ଧର୍ମଘଟକୁ ସଫଳ କରିବାକୁ ଦେଶର ୧୦ଟି ଟ୍ରେଡ ସଙ୍ଗଠନର କର୍ମକର୍ତ୍ତା ଆହ୍ୱାନ ଦେଇଛନ୍ତି । କେନ୍ଦ୍ର ସରକାରଙ୍କ କୃଷକ ମାରଣ ନୀତି, ଜନ ବିରୋଧୀ ଓ ରାଷ୍ଟ୍ର ବିରୋଧୀ ନୀତି, ଅତ୍ୟାବଶ୍ୟକ ସାମଗ୍ରୀ ଦରବୃଦ୍ଧି, ଇପିଏଫଧାରୀଙ୍କୁ ଜମା ଉପରେ ସୁଧହାର ହ୍ରାସ ଆଦିକୁ ବିରୋଧ କରାଯାଇଛି। କେନ୍ଦ୍ର ସରକାର ନୂତନ ଶ୍ରମକୋଡ ଲାଗୁ କରି ସାଧାରଣ ଶ୍ରମିକଙ୍କୁ ଶୋଷଣ କରିବାକୁ ଚେଷ୍ଟା କରିଛନ୍ତି ବୋଲି ସଙ୍ଗଠନ ଅଭିଯୋଗ କରିଛି। ଆନ୍ଦୋଳନକୁ ନିର୍ମାଣ ଶ୍ରମିକ, ବିଜୁଳି କର୍ମଚାରୀ, ପରିବହନ ବିଭାଗ କର୍ମଚାରୀଙ୍କ ସଂଘ, ବୀମା କର୍ମଚାରୀ, କୋଇଲା, ଇସ୍ପାତ, ତୈଳ, ଡାକ କର୍ମଚାରୀ, ଦୂରସଞ୍ଚାର କର୍ମଚାରୀ, ଆୟକର ବିଭାଗ କର୍ମଚାରୀ ସଂଘ ଗୁଡିକ ମଧ୍ୟ ସମର୍ଥନ ଜଣାଇଛନ୍ତି। ଆନ୍ଦୋଳନରେ ବ୍ୟାଙ୍କ ସଙ୍ଗଠନର କର୍ମଚାରୀମାନେ ସାମିଲ ହେବାକୁ ନିଷ୍ପତ୍ତି ନେଇଛନ୍ତି। ଧର୍ମଘଟକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟ ସରକାରଙ୍କ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ହିଂସା ରୋକିବାକୁ ଗୁରୁତ୍ବ ଦିଆଯାଇଛି। ଶାନ୍ତିପୂର୍ଣ୍ଣ ଭାବେ ଭାରତ ବନ୍ଦ ଧର୍ମଘଟ ଉପରେ ଗୁରୁତ୍ବ ଦିଆଯାଇଥିବା ଜଣାପଡିଛି ।

Breaking News