Report Card Odisha

| Daily Odia News

ଆଜି ଭାରତ ବନ୍ଦ ଡାକରା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ/ଭୁବନେଶ୍ୱର

ଅନୁସୂଚିତ ଜାତି(ଏସ୍‌ସି), ଜନଜାତି (ଏସ୍‌ଟି) ଓ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜି ୧୨ ଘଣ୍ଟି ଭାରତ ବନ୍ଦ ଡାକରା ଦିଆଯାଇଛି | ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସଚିବାଳୟ ରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । କର୍ମଚାରୀମାନଙ୍କୁ ସକାଳ ସାଢ଼େ ୯ଟା ସୁଦ୍ଧା ଅଫିସରେ ପହଂଚିବାକୁ ନିର୍ଦ୍ଦେଶ ଦିଆଯିବା ସହ ମୁଖ୍ୟ ଫାଟକ ୧୦ଟା ୧୫ମିନିଟରେ ବନ୍ଦ ହୋଇଯିବ ବୋଲି ଗୃହ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଭାରତ ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ଗୃହ ବିଭାଗ ପକ୍ଷରୁ ସମସ୍ତ ବିଭାଗୀୟ ସଚିବମାନଙ୍କୁ ଲୋକସେବା ଭବନ, ଖାରବେଳ ଭବନ ଓ ରାଜୀବ ଭବନ ସମେତ ବିଭାଗୀୟ ମୁଖ୍ୟ ଦପ୍ତରଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଅବଗତ କରାଯାଇଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଥିବାରୁ ଲୋକସେବା ଭବନ, ଖାରବେଳ ଭବନ, ରାଜୀବ ଭବନ ଓ ବିଭାଗୀୟ ମୁଖ୍ୟ ଦପ୍ତରରେ କାର୍ଯ୍ୟରତ ସରକାରୀ କର୍ମଚାରୀମାନଙ୍କୁ ଅତିବେଶୀରେ ସକାଳ ସାଢ଼େ ୯ଟା ସୁଦ୍ଧା ପହଂଚିବାକୁ ପରାମର୍ଶ ଦିଆଯାଇଛି । ପ୍ରତିଷେଧକମୂଳକ ବ୍ୟବସ୍ଥା ସ୍ୱରୂପ ଏହି ପଦକ୍ଷେପ ନିଆଯାଇଛି ଏବଂ ସମସ୍ତ କର୍ମଚାରୀଙ୍କୁ ଅବଗତ ପାଇଁ ମଧ୍ୟ ଗୃହ ବିଭାଗ କହିଛି । ସେହିପରି ଲୋକସେବା ଭବନର ମୁଖ୍ୟ ଗେଟ୍ ସକାଳ ୧୦ଟା ୧୫ମିନିଟରେ ବନ୍ଦ ହୋଇଯିବ । ଏହି ଅବଧି ମଧ୍ୟରେ ପଛଗେଟ୍ ଦେଇ ଯାତାୟତ କରିହେବ । କର୍ମଚାରୀ ଓ ଭିଜିଟରଙ୍କ ପାସ୍ ଓ ଆଇକାର୍ଡକୁ କଡ଼ାକଡ଼ି ଯାଂଚ କରାଯିବ । କାରପାସ୍ ଥିଲେ ମଧ୍ୟ କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ କାରକୁ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ । ବନ୍ଦକୁ ଦୃଷ୍ଟିରେ ରଖି ସାଧାରଣ ଭିଜିଟରଙ୍କ ପ୍ରବେଶ ଉପରେ କଟକଣା ଜାରି ହୋଇଛି । ଯଦି ଅତି ଜରୁରୀ ଥିବ ସମ୍ପୃକ୍ତ ବିଭାଗର ସୁପାରିଶ୍ ଆଧାରରେ ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ଏହି ଅସ୍ଥାୟୀ ପାସ୍ ଜାରି କରିବେ । ମାତ୍ର ସମ୍ପୃକ୍ତ ଭିଜିଟରଙ୍କୁ ନିଜର କାମ ତୁରନ୍ତ ଶେଷ କରି ଫେରିବାକୁ ପଡ଼ିବ ବୋଲି ଚିଠିରେ ଉଲ୍ଲେଖ ରହିଛି । କର୍ମଚାରୀମାନେ ଅଯଥାରେ ବାହାରେ ବୁଲାବୁଲି ନକରି ନିଜ ସିଟରେ ରହିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ରାଜଧାନୀ ସମେତ ସମସ୍ତ ଜିଲ୍ଲା ସଦର ମହକୁମାରେ ଶାନ୍ତିପୂର୍ଣ୍ଣ ଭାବରେ ପ୍ରତିବାଦ କରାଯାଉଛି। ରାଜ୍ୟର ବିଭିନ୍ନ ରାଜନୈତିକ ଦଳ, ସମସ୍ତ ଏସ୍‌ସି-ଏସ୍‌ଟି ସଂଗଠନ, ମାନବ ଅଧିକାର ସଂଗଠନ, ଗଣ ସଂଗଠନ, ଶ୍ରମିକ ସଂଗଠନ, ମୋଟର ଯାନ ଆସୋସିଏସନ, ବଜାର କମିଟି, କର୍ମଚାରୀ ସଂଘ ଭାରତ ବନ୍ଦ ଡକରାରେ ସାମିଲ୍ ହେବାକୁ ଏକ ସାମ୍ବାଦିକ ସମ୍ମିଳନୀରେ ସଂଯୋଜକ ଅଭିରାମ ମଲ୍ଲିକ କହିଛନ୍ତି। କମିଟି ଦର୍ଶାଇଛି ଯେ, ଅଗଷ୍ଟ ୧ ରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଏସ୍‌ସି-ଏସ୍‌ଟି ସ୍ଥାନ ସଂରକ୍ଷଣ ଉପରେ ଯେଉଁ ରାୟ ପ୍ରକାଶ କରିଛନ୍ତି ତାହା ଅନୁସୂଚିତବର୍ଗଙ୍କ ସଂରକ୍ଷଣ ବ୍ୟବସ୍ଥାକୁ ଅକାମୀ କରିଦେବ। ଏନେଇ ରାଜ୍ୟ ଅନୁସୂଚିତ ଜାତି, ଜନଜାତି, ପଛୁଆବର୍ଗ, ସଂଖ୍ୟାଲଘୁ ଓ ରାଜନୈତିକ ଦଳ ପକ୍ଷରୁ ତୀବ୍ର ବିରୋଧ କରାଯାଉଛି। ସର୍ବୋଚ୍ଚ ନ୍ୟାୟାଳୟ ଏସ୍‌ସି, ଏସ୍‌ଟିଙ୍କ ସାମାଜିକ, ଆର୍ଥିକ, ଶିକ୍ଷାଗତ ସ୍ଥିତିକୁ ଆକଳନ ନକରି ତଥା ଏହି ବର୍ଗର ସୁରକ୍ଷା ନିମନ୍ତେ ସାମ୍ବିଧାନିକ ଅନୁଷ୍ଠାନ ଓ ମନ୍ତ୍ରଣାଳୟ ସହ ପରାମର୍ଶ ନକରି ଏପରି ରାୟ ପ୍ରଦାନ କରିଥିବାରୁ ଏହାର ପୁନର୍ବିଚାର କରନ୍ତୁ ବୋଲି ସଂଗଠନ ଦାବି କରିଛି।ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟକୁ କେବଳ ଅଧ୍ୟାଦେଶ କିମ୍ବା ସଂସଦରେ ଆଇନ ପାରିତ କରି ଅକାମୀ କରାଯାଇ ପାରିବ ନଚେତ୍ ଏହାର ପୁନର୍ବିଚାର କରାଯାଇ ପାରିବ।

Breaking News