Report Card Odisha

| Daily Odia News

ବଦଳିଲେ ଭରତପୁର ଥାନା ଆଇଆଇସି…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଭରତପୁର ଥାନା ଆଇଆଇସି ଦିନକୃଷ୍ଣ ମିଶ୍ରଙ୍କୁ ବଦଳି କରାଯାଇଛି। ତାଙ୍କ ସମେତ ଜଣେ ମହିଳା ଏଏସଆଇ ସଲିଳମୟୀ ସାହୁ ଓ ଜଣେ କନଷ୍ଟେବଳ ବଳରାମ ହାଁସଦାଙ୍କୁ ବି ବଦଳି କରାଯାଇଛି। ଭରତପୁର ଥାନା ଅଧିକାରୀ ଓ ମହିଳା ଏଏସଆଇଙ୍କୁ ଭୁବନେଶ୍ୱର ଡିସିପି ଅଫିସକୁ ବଦଳି କରାଯାଇଛି। ଦୀପକ କୁମାର ଖଣ୍ଡାୟତରାୟଙ୍କୁ ଭରତପୁର ଥାନାର ନୂଆ ଆଇଆଇସି ଭାବରେ ନିଯୁକ୍ତି ମିଳିଛି। ମେଜର ଗୁରୁବଂଶ ସିଂହ ଓ ତାଙ୍କ ବାନ୍ଧବୀ ବାନ୍ଧବୀଙ୍କୁ ଭରତପୁର ଥାନାରେ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଇଥିବ ଅଭିଯୋଗ ହୋଇଥିଲା। କ୍ରାଇମବ୍ରାଞ୍ଚ ଏହି ଘଟଣାର ତଦନ୍ତ କରୁଛି। ତେବେ ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଭରତପୁର ଥାନା ଆଇଆଇସିଙ୍କ ସମେତ ୨ ପୋଲିସ କର୍ମଚାରୀଙ୍କୁ ବଦଳି କରାଯାଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ଗତ ଶନିବାର ବିଳମ୍ବିତ ରାତିରେ ଗୁରୁବଂଶ ପଟିଆରୁ ବାନ୍ଧବୀଙ୍କ ସହ କାରରେ ଯାଉଥିଲେ। ମଝି ରାସ୍ତାରେ ୨ଟି କାରରେ କିଛି ରୋଡ୍‌ ରୋମିଓ ଆସି ସେମାନଙ୍କୁ ଦୁର୍ବ୍ୟବହାର କରିଥିଲେ। ଏ ସଂପର୍କରେ ଅଭିଯୋଗ କରିବା ପାଇଁ ସେ ଭରତପୁର ଥାନାକୁ ଯାଇଥିଲେ। ପିସିଆର ପଠାଇ ରୋଡ୍‌ ରୋମିଓଙ୍କୁ ଧରିବା ପାଇଁ ନିବେଦନ କରିଥିଲେ ଗୁରୁବଂଶ ଓ ତାଙ୍କ ବାନ୍ଧବୀ। କିନ୍ତୁ ପୋଲିସ ରୋଡ୍‌ ରୋମିଓଙ୍କୁ ଧରିବ କ’ଣ ପ୍ରଥମେ ଲିଖିତ ଏତଲା ଦାବି କରିଥିଲା। ଏହାକୁ ନେଇ ପୋଲିସ ଓ ସେନା ଅଧିକାରୀଙ୍କ ମଧ୍ୟରେ ଲାଗିଥିଲା ଯୁକ୍ତିତର୍କ। ତାହାରି ଭିତରେ ଗୁରୁବଂଶଙ୍କୁ ରାତିତମାମ୍‌ ଲକ୍‌ଅପ୍‌ରେ ରଖିଥିଲା ପୋଲିସ। ତାଙ୍କ ବାନ୍ଧବୀଙ୍କୁ ଉପସ୍ଥିତ ପୋଲିସକର୍ମଚାରୀ ଦୁର୍ବ୍ୟବହାର କରିବା ସହ ମାଡ଼ ମାରି ଲହୁଲୁହାଣ କରିଥିବା ଗୁରୁବଂଶ ଅଭିଯୋଗ କରିଛନ୍ତି। କେବଳ ଏତିକି ନୁହେଁ, ଭରତପୁର ଥାନା ଆଇଆଇସି ଦୁଷ୍କର୍ମ ଧମକ ଦେଇଥିବା ମଧ୍ୟ ଅଭିଯୋଗ ହୋଇଛି।

Breaking News