ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରବିବାର ‘ମନ୍କି ବାତ୍’ର ୮୦ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ‘ଯୁବଶକ୍ତି’କୁ ପ୍ରଶଂସା କରିଛନ୍ତି । କହିଛନ୍ତି କି ଆଜିର ଯୁବକ ଗତାନୁଗତିକ ଧାରା ଅନୁସରଣ କରିବାକୁ ଚାହେଁ ନାହିଁ। ସେ ଅଜ୍ଞାତ କ୍ଷେତ୍ରକୁ ଯିବାକୁ ଚାହେଁ । ଏଥିପାଇଁ ସେ ମାନସିକ ଭାବେ ପ୍ରସ୍ତୁତ ହୋଇଗଲେ ତାକୁ ଆଉ କେହି ବାଧା ଦେଇ ପାରନ୍ତି ନାହିଁ | ମେଜର୍ ଧ୍ୟାନ ଚାନ୍ଦ୍ଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନପୂର୍ବକ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ଏହି ରେଡ଼ିଓ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଏଥିରେ ସେ ନିକଟରେ ଶେଷ ହୋଇଥିବା ଟୋକିଓ ଅଲିମ୍ପିକ୍ କ୍ରୀଡ଼ାରେ ଭାରତୀୟ ହକି ଟିମ୍ର ପ୍ରଦର୍ଶନକୁ ମଧ୍ୟ ସେ ପ୍ରଶଂସା କରିଛନ୍ତି। ସେ କହିଲେ, ପ୍ରତି ପଦକର ଗୁରୁତ୍ବ ରହିଛି। ୪୦ ବର୍ଷ ପରେ ହକିରେ ଭାରତ ଅଲିମ୍ପିକ୍ସ୍ ପଦକ ଜିଣିବା ପରେ ଦେଶବାସୀ ଖୁସିରେ ଆତ୍ମହରା ହୋଇ ପଡ଼ିଲେ। ମେଜର୍ ଧ୍ୟାନଚାନ୍ଦ୍ଜୀ ମଧ୍ୟ ଏମିତି ଆନନ୍ଦିତ ହୋଇ ଥାଆନ୍ତେ। ପ୍ରଧାନମନ୍ତ୍ରୀ କହିଛନ୍ତି, ଅଲିମ୍ପିକ୍ସ୍ରେ ଭାରତ ଗୁଡ଼ାଏ ପଦକ ଜିଣି ପାରି ନ ଥାଇ ପାରେ, କିନ୍ତୁ, ଆଜିର ଯୁବା କ୍ରୀଡ଼ା ସମ୍ବନ୍ଧୀୟ ସୁଯୋଗ ଅନ୍ବେଷଣ କରୁଛି। ଆମେ ଏହି ଗତିକୁ ଅଟକାଇବା ନାହିଁ। ଜୀବନଯାତ୍ରାର ପ୍ରତି କ୍ଷେତ୍ରରେ ଏହି ଗତିକୁ ସ୍ଥାୟୀ କରାଯାଉ। ଗ୍ରାମ, ନଗର, ସହରରେ ଥିବା ଆମ କ୍ରୀଡ଼ାକ୍ଷେତ୍ର ସବୁ ଉଛୁଳି ଉଠିବା ଆବଶ୍ୟକ। ସମସ୍ତଙ୍କ ଭାଗିଦାରୀଦ୍ବାରା ହିଁ ଭାରତ କ୍ରୀଡ଼ା କ୍ଷେତ୍ରରେ ଥିବା ତା’ର ଯୋଗ୍ୟତାର ଶିଖର ସ୍ପର୍ଶ କରି ପାରିବ। ମହାକାଶ କ୍ଷେତ୍ରରେ ଭାରତର ସଂସ୍କାର ମଧ୍ୟ ଯୁବକର କଳ୍ପନାକୁ ଅକ୍ତିଆର କରିଛି। ତରୁଣ ହେଉ କି, ତରୁଣୀ, ଯେକୌଣସି ଯୁବାଙ୍କୁ କ’ଣ କରିବ ବୋଲି ପଚାରିଲେ ସମସ୍ତଙ୍କର ଉତ୍ତର ଏକା ହେବ। ତାହା ହେଲା, ନୂଆ ଉଦ୍ୟୋଗଟିଏ କରିବୁ। ଭାରତରେ ନୂଆ ଉଦ୍ୟୋଗ କ୍ଷେତ୍ର ଅତିଶୟ ଉଜ୍ଜ୍ବଳ। ଭାରତର ଯୁବକ ମାନ ଉପରେ ଗୁରୁତ୍ବ ପ୍ରଦାନ କରୁଛି। ଏହାଛଡ଼ା, ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଯେତେବେଳେ ବି ଆମେ ‘ସ୍ବଚ୍ଛ ଭାରତ’ କଥା କହୁ, ଇନ୍ଦୋର ନାଁ ଆପଣାଛାଏଁ ମନକୁ ଆସିଯାଏ। ସ୍ବଚ୍ଛ ଭାରତ ମାନକରେ ଇନ୍ଦୋର୍ ପହିଲା ନମ୍ବର ସ୍ଥାନରେ ରହିଛି। କିନ୍ତୁ, ଇନ୍ଦୋରବାସୀ ସେତିକିରେ ସନ୍ତୁଷ୍ଟ ନୁହନ୍ତି। ସେମାନେ ତାହାକୁ ଦେଶର ପ୍ରଥମ ‘ୱାଟର୍ ପ୍ଲସ୍ ସିଟି’ (ଘରୋଇ ଆବର୍ଜନାରୁ ନିଷ୍କାସିତ ଜଳକୁ ବ୍ୟବହାର ଉପଯୋଗୀ କରିବା) କରିବାରେ ଲାଗିପଡ଼ିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ପୁଣି କହିଛନ୍ତି ଯେ, ଏବେ ‘ମନ୍କି ବାତ୍’ କେବଳ ଭାରତ ମଧ୍ୟରେ ସୀମିତ ହୋଇ ନାହିଁ, ସମଗ୍ର ବିଶ୍ବରେ ଜନତା ସେ ବିଷୟରେ ଚର୍ଚ୍ଚା କରୁଛନ୍ତି। ବିଦେଶରେ ବସବାସ କରୁଥିବା ଭାରତୀୟମାନଙ୍କ ଠାରୁ ମୁଁ ଖବର ପାଇଛି। ସୋମବାର ଦିନ ପଡୁଥିବା ଜନ୍ମାଷ୍ଟମୀ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ‘ଇସ୍କନ୍’ରେ କାର୍ଯ୍ୟରତ ଆମେରିକୀୟ ନାଗରିକ ଯଦୁରାଣୀ ଦାସୀଙ୍କ ସହ ହୋଇଥିବା ସାକ୍ଷାତ୍ କଥା ମଧ୍ୟ ସ୍ମରଣ କରିଛନ୍ତି। ସାଂସ୍କୃତିକ ବନ୍ଧନ ସୁଦୃଢ଼ କରିବାରେ ସଂସ୍କୃତ ଗୁରତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି, ସଂସ୍କୃତକୁ ଜନପ୍ରିୟ କରିବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ବ୍ୟକ୍ତିବିଶେଷଙ୍କ ବିଷୟରେ ଜାଣିବାକୁ ଚାହୁଁଥିଲେ, ‘ସେଲିବ୍ରେଟିଙ୍ଗ୍ ସାଂସ୍କ୍ରିଟ୍’ ବ୍ୟବହାର କରି ସାମାଜିକ ଗଣମାଧ୍ୟମରେ ସେମାନଙ୍କ ସମ୍ବନ୍ଧରେ ଲେଖନ୍ତୁ। ଏହାଛଡ଼ା, ଏବେ ଦକ୍ଷତା ବିକାଶର ସମୟ ଉପଗତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
More Stories
ଗରିବଙ୍କ କୁଡ଼ିଆରେ ଫଟୋ ଉଠାଇ ଆନନ୍ଦ ପାଆନ୍ତି,ଗରିବଙ୍କ ଉପରେ ଭାଷଣ ବୋରିଂ……
ଆସନ୍ତାକାଲି ଦିଲ୍ଲୀ ନିର୍ବାଚନ,ହନୁମାନ ଙ୍କୁ ପୂଜାର୍ଚ୍ଚନା କଲେ କେଜ୍ରିୱାଲ୍……
ଭିଜିଲାନ୍ସ ଜାଲରେ ଏଏସଆଇ……