ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ଶିକ୍ଷା ବ୍ୟବସ୍ଥାରେ ବଡ ତ୍ରୁଟି । ନୂଆ ପାଠ୍ୟ ପୁସ୍ତକରେ ମାଳ ମାଳ ଭୁଲ୍। ବହିରେ ଭୁଲ୍ ପଢୁଛନ୍ତି ଆଉ ଭୁଲ ଦେଖୁଛନ୍ତି ସ୍କୁଲ ଛାତ୍ରଛାତ୍ରୀ। ପ୍ରଥମରୁ ଅଷ୍ଟମ ଶ୍ରେଣୀର ବହିରେ ପାଖାପାଖି ୧୭ଶହଟି ଭୁଲ୍ ଥିବା ପରିଲକ୍ଷିତ ହୋଇଛି। ଜାତୀୟ ଶିକ୍ଷା ନୀତି ୨୦୨୦କୁ ଆଧାର କରି ପ୍ରସ୍ତୁତ ହୋଇଛି ନୂଆ ପାଠ୍ୟପୁସ୍ତକ। ହେଲେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ବହିରେ ଅନେକ ତ୍ରୁଟି ରହିଥିବା ଜଣାପଡିଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞାନ, ସାମାଜିକ ବିଜ୍ଞାନ, କୌଶଳ ବୋଧ, ଖେଳ ଶିକ୍ଷା ଓ କୃତି ଭଳି ପ୍ରମୁଖ ବହିଗୁଡ଼ିକରେ ଏହି ସବୁ ଭୁଲ୍ ଚିହ୍ନଟ କରାଯାଇଛି । ସାମାଜିକ ବିଜ୍ଞାନ ପୁସ୍ତକରେ ଓଡ଼ିଶା ବିଧାନସଭା ଚିତ୍ର ବଦଳରେ କର୍ଣ୍ଣାଟକ ବିଧାନସଭାର ଚିତ୍ର ରହିଛି । ଅନେକ ସ୍ଥାନରେ ବନାନ ଭୁଲ ରହିଛି ତ ଆଉ କେଉଁଠି ମହାପୁରୁଷଙ୍କ ନାମ ଭୁଲ ଲେଖାଯାଇଛି। ସେହିଭଳି ବିଜ୍ଞାନ ବହିରେ ‘ତାପନ’ ସ୍ଥାନରେ ‘ତାପୀଣ’, ଖେଳ ଶିକ୍ଷା ବହିରେ ‘ଜଟିଳ’ ଜାଗାରେ ‘କୁଟଳି’ ଏବଂ କୃତି ପୁସ୍ତକରେ ପ୍ରସିଦ୍ଧ ଗାୟିକା ‘ସୁନନ୍ଦା ପଟ୍ଟନାୟକ’ଙ୍କ ନାମ ‘ସନନ୍ଦା’ ବୋଲି ଭୁଲ ଭାବେ ଛପାଯାଇଛି । ଓଡ଼ିଶାର ନିୟମଗିରିକୁ ଝାଡଖଣ୍ଡର ନିଗମଗିରି ଲେଖାଯାଇଛି। ଡଙ୍ଗରିଆ ଜନଜାତିଙ୍କୁ ଡୋଙ୍ଗାରିଆ ଓ ଗଂଜାମ ଜିଲ୍ଲାକୁ ବ୍ରହ୍ମପୁର ଜିଲ୍ଲା ଲେଖାଯାଇଛି। ଅଷ୍ଟମ ଶ୍ରେଣୀ ବହିରେ ସର୍ବାଧିକ ୭୦୫ ଭୁଲ ରହିଛି। ଏହି ଭୁଲ୍ କୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ନୂତନ ପାଠ୍ୟପୁସ୍ତକରେ ପ୍ରିଣ୍ଟିଂ ତ୍ରୁଟି ଥିବା ଅଭିଯୋଗକୁ ସ୍ବାକାର କରିଛନ୍ତି ମନ୍ତ୍ରୀ। କହିଛନ୍ତି ପାଠ୍ୟପୁସ୍ତକରେ ତ୍ରୁଟି ନେଇ ସରକାର ଅବଗତ ଅଛନ୍ତି। ଏହାକୁ ସଂଶୋଧନ କରାଯିବ ଏବଂ ଶିକ୍ଷକମାନଙ୍କୁ ଭୁଲ ଗୁଡିକୁ ସଂଶୋଧନ କରି ପିଲାଙ୍କୁ ପଢାଇବାକୁ କୁହାଯାଇଛି ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।






More Stories
ଆକାଶମାର୍ଗରୁ ବନ୍ୟାସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ……
ଆଜିଠୁ ଖୋଲିଲା ଭିତରକନିକା…..
ଆଜି ଆକାଶମାର୍ଗରୁ ସ୍ଥିତି ପରଖିବେ ମୁଖ୍ୟମନ୍ତ୍ରୀ….