ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କ୍ଷମାପ୍ରାର୍ଥନା କରିବା ସହିତ ଜନସଂଖ୍ୟା ନିୟନ୍ତ୍ରଣ ବିଷୟରେ ଦେଇଥିବା ଟିପ୍ପଣୀକୁ ଆଜି ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପ୍ରତ୍ୟାହାର କରି ନେଇଥିବା ଜଣାପଡିଛି । ମଙ୍ଗଳବାର ସେ ବିଧାନସଭାରେ ଜନସଂଖ୍ୟା ନିୟନ୍ତ୍ରଣରେ ମହିଳାଙ୍କ ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ ମତ ରଖିଥିଲେ। ତାଙ୍କ ବୟାନକୁ ବିଭିନ୍ନ ମହଲରେ ତୀବ୍ର ସମାଲୋଚନା ମଧ୍ୟ କରାଯାଇଥିଲା। ବିବାଦ ବଢ଼ିବାରୁ ଆଜି ନୀତୀଶ କୁମାର କ୍ଷମା ମାଗିଛନ୍ତି। ସେ କହିଛନ୍ତି, “ମହିଳାମାନଙ୍କୁ ଅସମ୍ମାନ କରିବାର ମୋର ଉଦ୍ଦେଶ୍ୟ ନଥିଲା। ଯଦି ବି ମୁଁ ବ୍ୟବହାର କରିଥିବା ଶବ୍ଦ କାହାକୁ ଆଘାତ ଦେଇଛି, ତା’ହେଲେ ମୁଁ ସେସବୁ ଫେରାଇ ନେଉଛି। ଉଲ୍ଲେଖଯୋଗ୍ୟ, ଜନସଂଖ୍ୟା ନିୟନ୍ତ୍ରଣ କରିବା ଲାଗି ନାରୀଶିକ୍ଷା ଉପରେ ଗୁରୁତ୍ବାରୋପ କରି ମଙ୍ଗଳବାର ଦିନ ବିଧାନସଭାରେ କହିବା ବେଳେ ମୁଖ୍ୟମନ୍ତ୍ରୀ କୁମାର ଖୁବ୍ ଅରୁଚିକର କଥା କହିପକାଇଥିଲେ। ସଙ୍ଗମ ସମୟରେ ଜଣେ ଶିକ୍ଷିତା ନାରୀ କିଭଳି ପୁରୁଷକୁ ପ୍ରତିରୋଧ କରିପାରିବ ସେ ବିଷୟରେ ନୀତିଶ ବିଧାନସଭାରେ ପ୍ରାଞ୍ଜଳ ଭାବେ ବର୍ଣ୍ଣନା କରିଥିଲେ। ଏଭଳି ବିବାଦୀୟ ବକ୍ତବ୍ୟକୁ ବିରୋଧୀ ଦଳ ‘ବିଜେପି’ ଓ ଜାତୀୟ ମହିଳା କମିସନ୍ ମଧ୍ୟ ତୀବ୍ର ସମାଲୋଚନା କରିଥିଲେ। କିନ୍ତୁ, ନୀତିଶ କୁମାରଙ୍କ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ସ୍ପଷ୍ଟୀକରଣ ଦେଇ କହିଥିଲେ ଯେ, କୁମାର ଯୌନଶିକ୍ଷା ସମ୍ବନ୍ଧରେ କହିଥିଲେ। ତାଙ୍କ ମନ୍ତବ୍ୟକୁ କଦର୍ଥ କରାଯାଉଛି। ଆଜି କ୍ଷମାପ୍ରାର୍ଥନା କରିବା ବେଳେ ନୀତୀଶ କୁମାର ମଧ୍ୟ କହିଛନ୍ତି ଯେ, ତାଙ୍କ କଥାକୁ ବୁଲେଇ ବଙ୍କାଇ ଉପସ୍ଥାପନ କରାଯାଇଛି। ସେ ଯାହାହେଉ, ଯଦି ମୋ ବିବୃତି କାହାକୁ ଆଘାତ ଦେଇଥାଏ ତାଙ୍କୁ ମୁଁ କ୍ଷମାଭିକ୍ଷା କରୁଛି। କିନ୍ତୁ, ନୀତୀଶ କୁମାରଙ୍କ କ୍ଷମାଯାଚନାରେ ସନ୍ତୁଷ୍ଟ ନ ହୋଇ ବିରୋଧୀ ନେତାମାନେ ବିଧାନସଭା ଭିତରେ ପ୍ରତିବାଦ ପ୍ରଦର୍ଶନ କରି ତାଙ୍କର ଇସ୍ତଫା ଦାବି କରୁଛନ୍ତି।






More Stories
୮ ସାଂସଦ ନିଲମ୍ବିତ…..
ଡାଟା ସେୟାରିଂ ନାଁରେ ନାଗରିକଙ୍କ ଗୋପନୀୟତାର…..
ଏନଡିଏ ବୈଠକରେ ମୋଦୀଙ୍କୁ ଭବ୍ୟ ସ୍ୱାଗତ…..