ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ଅଧ୍ୟକ୍ଷ ତଥା ବିଶିଷ୍ଠ ଶିଳ୍ପପତି ମୁକେଶ ଅମ୍ବାନି, ପତ୍ନୀ ନୀତା ଓ ପୁଅ ଆକାଶଙ୍କୁ ହତ୍ୟା, ସେମାନଙ୍କ ବାସଭବନ ଆଣ୍ଟିଲିଆ ଏବଂ ସାର୍ ଏଚ୍ଏନ୍ ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲକୁ ବିସ୍ଫୋରଣ କରି ଉଡ଼ାଇ ଦେବା ପାଇଁ ଧମକ ଦେଇଥିବା ବ୍ୟକ୍ତିକୁ ବିହାରରୁ ଗିରଫ କରାଯାଇଛି। ବିହାର ପୁଲିସ ସହାୟତାରେ ମୁମ୍ବାଇ ପୁଲିସ ଦରଭଙ୍ଗାରୁ ବୁଧବାର ରାତିରେ ରାକେଶ କୁମାର ମିଶ୍ର ନାମକ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତକୁ ମୁମ୍ବାଇ ଅଣାଯାଉଛି। ଅଭିଯୁକ୍ତ ବିରୋଧରେ ଆଇପିସିର ୫୦୬(୨) ଏବଂ ୫୦୭ ଦଫା ଲଗାଯାଇ ଏହି ଘଟଣାର ତଦନ୍ତ କରାଯାଉଛି। ଗତ ବୁଧବାର ଦକ୍ଷିଣ ମୁମ୍ବାଇସ୍ଥିତ ଉକ୍ତ ହସ୍ପିଟାଲକୁ ରାକେଶ ତାଙ୍କ ମୋବାଇଲ ନମ୍ବରରୁ ହସ୍ପିଟାଲର ଲ୍ୟାଣ୍ଡଲାଇନକୁ ଫୋନ କରି ଧମକ ଦେଇଥିଲା। ଦୁଇମାସ ଭିତରେ ମୁକେଶଙ୍କୁ ଉକ୍ତ ହସ୍ପିଟାଲ ଜରିଆରେ ଏହା ଦ୍ବିତୀୟ ଧମକ। ଗତ ଅଗଷ୍ଟରେ ନିଜକୁ ଅଫଜଲ ଗୁରୁ ପରିଚୟ ଦେଇ ଧମକ ଦେଇଥିବା ବୋରିଭାଲିର ୫୬ ବର୍ଷୀୟ ଗହଣା ବ୍ୟବସାୟୀ ବିଷ୍ଣୁ ବିଧୁ ଭୌମିକଙ୍କୁ ପୁଲିସ ଗିରଫ କରିଥିଲା। ଉଲ୍ଲେଖଯୋଗ୍ୟ, ନିକଟରେ ମୁକେଶ ଅମ୍ବାନିଙ୍କୁ ସରକାର ଜେଡ୍ ପ୍ଲସ ସୁରକ୍ଷା ଯୋଗାଇ ଦେଇଛନ୍ତି।






More Stories
ଅସ୍ତ୍ର ବିରତି ସତ୍ତ୍ବେ ଇସ୍ରାଏଲର ଆକ୍ରମଣ ଜାରି….
ଆଜି ଆସାମ,କେରଳ ଓ ପୁଡୁଚେରୀ ନିର୍ବାଚନ…..
ମୋହସିନା କିଦୱାଇଙ୍କ ପରଲୋକ…..