Report Card Odisha

| Daily Odia News

ଓଡ଼ିଶାରେ ବିଲ୍ ଗେଟସ୍,କୃଷି ସମୀକ୍ଷା କେନ୍ଦ୍ରର ପରିଚାଳନାକୁ ଅନୁଧ୍ୟାନ କରିବେ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ତଥା ବିଶ୍ୱର ଅନ୍ୟତମ ଧନୀ ବିଲ୍ ଗେଟସ୍ ଭୁବନେଶ୍ୱରରେ ଅଛନ୍ତି। ଆଜି ସେ କୃଷିଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହେବେ । ସୂଚନା ଅନୁସାରେ, ବିଲ୍ ଗେଟ୍‌ସ କୃଷି ଭବନରୁ କୃଷି ସମୀକ୍ଷା କେନ୍ଦ୍ରର ପରିଚାଳନାକୁ ଅନୁଧ୍ୟାନ କରିବା ସହ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି । ବିଲ୍ ଗେଟସ୍ ନିକ ଓଡ଼ିଶା ଗସ୍ତ ସମ୍ପର୍କରେ ସୋସିଆଲ ମିଡିଆରେ ସୂଚନା ଦେଇ କହିଛନ୍ତି ଯେ, ଏହି ଗସ୍ତ ସମୟରେ ସେ ଭାରତରେ ଡିଜିଟାଲ ପବ୍ଲିକ ଇନଫ୍ରାଷ୍ଟକଚର(ଡିପିଆଇ) କିଭଳି କାର୍ଯ୍ୟ କରୁଛି ତାହା ଅନୁଧ୍ୟାନ କରିବେ। ଓଡ଼ିଶା ସରକାରଙ୍କ ଏଗ୍ରିକଲଚରାଲ ମନିଟରିଂ ସେଂଟରରେ କିଭଳି ଡିପିଆଇ ମାଧ୍ୟମରେ ଚାଷୀମାନଙ୍କୁ ରିଏଲଟାଇମ୍ ପରାମର୍ଶ ଦିଆଯାଇ ପାରୁଛି ତାହା ଦେଖିବେ । ‘ଆଧାର’ର ପ୍ରଶଂସା କରି ସେ କହିଛନ୍ତି ଯେ ପ୍ରାୟ ୭୫ଲକ୍ଷ ଚାଷୀଙ୍କ ରେକର୍ଡ ରଖିବା ସରକାରଙ୍କ ଦ୍ୱାରା ସମ୍ଭବପର ହୋଇଛି, ଏପରିକି ଯେଉଁ ଚାଷୀମାନଙ୍କ ଜମି ନାହିଁ କି ଚାଷ ନାହିଁ ସେମାନଙ୍କ ତଥ୍ୟ ମଧ୍ୟ ସରକାର ରଖିଛନ୍ତି ବୋଲି ଗେଟସ୍ କହିଛନ୍ତି । ଆଜି କୃଷି ଭବନ ବୁଲିବାବେଳେ ଏହି ଡିପିଆଇ ମାଧ୍ୟମରେ ଚାଷୀମାନଙ୍କୁ ରାଜ୍ୟ ସରକାର ‘କାଳିଆ’ ଯୋଜନାରେ ଦେଉଥିବା ସହାୟତା ସମ୍ପର୍କରେ ମଧ୍ୟ ସୂଚନା ଦିଆଯିବ । ଏହାସହିତ ଚାଷୀମାନଙ୍କୁ ନିୟମିତ ଫସଲ ଓ ଚାଷ ସଂକ୍ରାନ୍ତରେ ପାଣିପାଗ ସୂଚନା ଦିଆଯାଉଥିବା ନେଇ ମଧ୍ୟ ବିଲ୍ ଗେଟସକୁ ଅବଗତ କରାଯିବ । କୃଷି ବିଭାଗ ପକ୍ଷରୁ ଏକ ପାୱାର ପଏଂଟ ପ୍ରେଜେଣ୍ଟେସନ ତାଙ୍କ ଆଗରେ ପ୍ରଦର୍ଶନ କରାଯିବ ବୋଲି ସୂଚନା ମିଳିଛି । ପେଷ୍ଟ ମ୍ୟାନେଜମେଂଟଠୁ ଆରମ୍ଭ କରି ଏଆଇ ଉପଯୋଗ କରି ଚାଷୀଙ୍କୁ ନିୟମିତ ରିଏଲ ଟାଇମ୍ ଚାଷ ସଂକ୍ରାନ୍ତ ସୂଚନା ପ୍ରଦାନ ସମ୍ପର୍କରେ ମଧ୍ୟ ବିଲ୍ ଗେଟସକୁ ଅବଗତ କରାଯିବ । ଏହି ଗସ୍ତ ସମୟରେ ବିଲ୍ ଗେଟସ୍ ରାଜ୍ୟର ଚାଷୀ ଓ କୃଷି ଉଦ୍ୟୋଗୀଙ୍କୁ ମଧ୍ୟ ଭେଟିବେ ବୋଲି ଜଣାପଡ଼ିଛି । ରାଜ୍ୟର କିଛି ମହିଳା ଚାଷୀ ଓ ଉଦ୍ୟୋଗୀଙ୍କୁ ବିଲ୍ ଗେଟସ୍ ଏହି ସମୟରେ ଭେଟି ସେମାନଙ୍କର ମତାମତ ନେବେ ବୋଲି ସୂଚନା ମିଳିଛି ।

Breaking News