ରିପୋର୍ଟ କାର୍ଡ / ଭୁବନେଶ୍ବର
୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଏବେଠାରୁ ରଣନୀତି ଆରମ୍ଭ କରିଦେଇଛି ଶାସକ ଦଳ ବିଜେଡି । ଦଳ ୬ ବରିଷ୍ଠ ପର୍ଯ୍ୟବେକ୍ଷକଙ୍କୁ ୩୦ଟି ଜିଲ୍ଲାର ଦାୟିତ୍ବ ପ୍ରଦାନ କରିଛି । ପୂର୍ବ ହୋଇଥିବା ନିର୍ଦ୍ଦେଶକୁ ବାତିଲ କରି ବିଜେଡି ସୁପ୍ରମ ନବୀନ ପଟ୍ଟନାୟକ ଏବେ ନୂଆ ନିଯୁକ୍ତି ତାଲିକା ପ୍ରସ୍ତୁତ କରିଛନ୍ତି | ଏନେଇ ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ଜଣାଇଛନ୍ତି। ପୁରୁଣା ତାଲିକାରୁ ୨ ଜଣଙ୍କୁ ବାଦ୍ ଦିଆଯାଇଥିବା ବେଳେ ନୂଆ କରି ୨ ଜଣଙ୍କୁ ଦାୟିତ୍ବ ମିଳିଛି। ନବନିଯୁକ୍ତ ଦଳର ୬ ବରିଷ୍ଠ ପର୍ଯ୍ୟବେକ୍ଷକମାନେ ହେଲେ ନିରଞ୍ଜନ ପୂଜାରୀ, ପ୍ରସନ୍ନ ଆଚାର୍ଯ୍ୟ, ପ୍ରମିଳା ମଲ୍ଲିକ, ଦେବୀପ୍ରସାଦ ମିଶ୍ର, ମହେଶ୍ବର ମହାନ୍ତି ଏବଂ ପ୍ରତାପ ଜେନା। ଶ୍ରୀ ପୂଜାରୀଙ୍କୁ ପୂର୍ବପରି ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗିର ଓ ବରଗଡ଼ ଦାୟିତ୍ବ ମିଳିଛି। ଶ୍ରୀ ଆଚାର୍ଯ୍ୟଙ୍କୁ ପୂର୍ବରୁ ମିଳିଥିବା କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଏବଂ ବାଲେଶ୍ବର ଜିଲ୍ଲା ଦାୟିତ୍ବ କାଏମ ରହିଛି। ପ୍ରମିଳା ମଲ୍ଲିକଙ୍କୁ ନୂଆ କରି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଓ ଗଜପତି ଜିଲା ଦାୟିତ୍ବ ଦିଆଯାଇଛି। ଏହି ଜିଲାଗୁଡ଼ିକରେ ପୂର୍ବରୁ ବିକ୍ରମ କେଶରୀ ଆରୁଖ ଦାୟିତ୍ବରେ ଥିଲେ। ଶ୍ରୀ ଆରୁଖ ଓଡ଼ିଶା ବିଧାନସଭାର ବାଚସ୍ପତି ଥିବାରୁ ଏହି ଦାୟିତ୍ବ ପ୍ରମିଳାଙ୍କୁ ମିଳିଥିବା କୁହାଯାଉଛି। ସେହିପରି ଦେବୀପ୍ରସାଦ ମିଶ୍ରଙ୍କୁ ପୂର୍ବପରି ଗଞ୍ଜାମ, ନୟାଗଡ଼, କନ୍ଧମାଳ, ଖୋର୍ଦ୍ଧା, ପୁରୀ ଏବଂ ବୌଦ୍ଧ ଜିଲା ଦାୟିତ୍ବ ଦିଆଯାଇଛି। ମହେଶ୍ବର ମହାନ୍ତିଙ୍କୁ ମୟୂରଭଞ୍ଜ ଓ କେନ୍ଦୁଝର ଜିଲା ପର୍ଯ୍ୟବେକ୍ଷକ ଭାବେ ପୁଣି ନିଯୁକ୍ତି ମିଳିଛି। ପ୍ରତାପ ଜେନାଙ୍କୁ ନୂଆ କରି ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁବର୍ଣ୍ଣପୁର, ଦେବଗଡ଼, ଅନୁଗୋଳ ଏବଂ ଢେଙ୍କାନାଳ ଜିଲ୍ଲାର ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ମିଳିଛି। ପୂର୍ବରୁ ଏହି ଜିଲ୍ଲାଗୁଡ଼ିକ ଦାୟିତ୍ବରେ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ରହିଥିଲେ। ଗୁରୁବାର ଦଳ ପକ୍ଷରୁ ପ୍ରକାଶ ପାଇଥିବା ବରିଷ୍ଠ ପର୍ଯ୍ୟବେକ୍ଷକ ତାଲିକାରୁ ସୌମ୍ୟଙ୍କ ନାଁ କାଟି ଦିଆ ଯାଇଛି | ଏହି ଘଟଣାକୁ ନେଇ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋରଧରିଛି |






More Stories
ଓଡ଼ିଶାରେ ପଶିପାରିବ ନାହିଁ ବାହାର ରାଜ୍ୟର ଗାଡ଼ି !…..
ରାଜ୍ୟସଭାରେ ଶପଥ ନେଲେ ଓଡ଼ିଶାରୁ ୩ ସାଂସଦ…..
୨୩ ଜିଲ୍ଲା ପାଇଁ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଘୋଷଣା…..