Report Card Odisha

| Daily Odia News

ବିଜେପି ଆଣିଲା ଚାର୍ଜସିଟ୍,କହିଲା ଓଡ଼ିଶାରେ ଶାସନ ବ୍ୟବସ୍ଥା ଲାଇନଚ୍ୟୁତ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟ ସରକାରଙ୍କ ବିରୋଧରେ ବିଜେପି ଆଣିଛି ଚାର୍ଜସିଟ୍। ରାଜ୍ୟ କାର୍ଯ୍ୟାଳୟରେ ଏହା ଲୋକାର୍ପିତ ହୋଇଛି। ‘୨୫ ବର୍ଷର ପାପ ପେଡ଼ି, କେତେଦିନ ସହିବା, ପରିବର୍ତ୍ତନ ଆଣିବା ’ନାଁରେ ଚାର୍ଜସିଟର ଲୋକାର୍ପଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ। ୨୫ ବର୍ଷ କାଳ ଓଡ଼ିଶାରେ କ୍ଷମତାସୀନ ବିଜେଡି ସରକାରରେ ପଞ୍ଚାୟତଠୁ ସଚିବାଳୟ ଯାଏଁ ବିଭିନ୍ନ ଦୁର୍ନୀତିକୁ ଚାର୍ଜସିଟରେ ଉଲ୍ଲେଖ କରିଛି ବିଜେପି। ଚାର୍ଜସିଟ୍‌ରେ ରାଜ୍ୟରେ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ବ୍ୟବସ୍ଥା ବି ଠିକ୍‌ ଭାବେ ହୋଇନଥିବା ଅଭିଯୋଗ ଆସିଛି। ଚିଟଫଣ୍ଡ ଦୁର୍ନୀତି, ମହିଳା ବିରୋଧୀ ହିଂସା ସଂପର୍କରେ ମଧ୍ୟ ଚାର୍ଜସିଟରେ ଉଲ୍ଲେଖ ରହିଛି। । ଚାର୍ଜସିଟ୍ ଲୋକାର୍ପଣ କରି ଏକ ବଡ଼ ଖୁଲାସା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ। ସେ କହିଛନ୍ତି, ଓଡ଼ିଶାବାସୀଙ୍କଠାରୁ ତାମିଲନାଡୁକୁ କାହିଁକି ଶସ୍ତାରେ ବିଜୁଳି ଦିଆଯାଉଛି। ଓଡ଼ିଶା ଲୋକେ ବିଜୁଳି ୟୁନିଟ ପିଛା ୨ ଟଙ୍କା ୮୩ ପଇସା ଦେଉଛନ୍ତି। କିନ୍ତୁ ସେହି ବିଜୁଳି ତାମିଲନାଡୁକୁ ଶସ୍ତାରେ ଯୋଗାଇ ଦିଆଯାଉଛି। ତାମିଲନାଡୁ ବିଦ୍ୟୁତ ବିତରଣ ସଂସ୍ଥା ୟୁନିଟ ପିଛା ୨.୫୩ ଦେଉଛି। କାହିଁକି ତାମିଲନାଡୁକୁ ଶସ୍ତାରେ ବିଜୁଳି ଦିଆଯାଉଛି ବୋଲି ପ୍ରଶ୍ନ କରିଛନ୍ତି ଭୂପେନ୍ଦ୍ର ଯାଦବ। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ରାଜ୍ୟରେ ଓଡ଼ିଆ ଲୋକଙ୍କ ଅସ୍ମିତା ପାଇଁ ଲଢ଼େଇ କରିବ ବିଜେପି। ଓଡ଼ିଶାରେ ଅଫିସରଙ୍କ ଆତଙ୍କରାଜ ଚାଲିଛି। ଆଜି ରାଜ୍ୟର ମନ୍ତ୍ରୀ, ବିଜେଡି ବିଧାୟକ ଓ ସାଂସଦଙ୍କ ମୁହଁରୁ ପଦୁଟିଏ କଥା ବାହାରୁନାହିଁ। ରାଜ୍ୟରେ ୨୫ ବର୍ଷ ଭିତରେ କ’ଣ କ’ଣ ସମସ୍ୟା ଦେଖାଦେଇଛି ତାହା କହିଛି ବିଜେପି । ରାଜ୍ୟରେ ହଜାର ହଜାର ପରିବାର ଚିଟଫଣ୍ଡର ଶିକାର ହେଲେ । ସେମାନଙ୍କୁ ସେମାନଙ୍କ ଜମା ଟଙ୍କା ଫେରାଇବାକୁ କର୍ପସ୍ ଫଣ୍ଡ ଗଠନ ହେଲା , କମିଶନ ବି ବସିଲା କିନ୍ତୁ ଫଳ କିଛି ହେଲାନି । ସାଧାରଣ ଲୋକଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଛି ବିଜେଡି ସରକାର। ଓଡ଼ିଶାରେ ୭୫ ବର୍ଷ ପରେ ସବୁଠୁ ଚିନ୍ତାଜନକ ବିଷୟକୁ ନିମନ୍ତ୍ରଣ କରିଛନ୍ତି ବିଜେଡି ସରକାର। ଏ ରାଜ୍ୟରେ ମନ୍ତ୍ରୀ , ଏମଲଏ, ଏମପିଙ୍କ ସମ୍ମାନ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସେମାନଙ୍କ ମୂଲ୍ୟବୋଧ ନିରୂପଣ କରିପାରୁନାହାଁନ୍ତି ବିଜେଡି ସରକାର। ସେମାନଙ୍କ ମର୍ଯ୍ୟାଦା ରଖିପାରୁନାହାନ୍ତି । ରାଜ୍ୟରେ ଜନପ୍ରତିନିଧି ନୁହଁନ୍ତି ବରଂ କିଛି ମୁଷ୍ଟିମେୟ ଅଫିସର ରହି ଶାସନ ନିୟନ୍ତ୍ରଣ କରୁଛନ୍ତି। ଅଫିସରଙ୍କ ଆତଙ୍କ ରାଜ୍ୟରେ ନୂଆ ରୂପ ନେଇଛି ବୋଲି କହିଛନ୍ତି ମନମୋହନ ସାମଲ। ଏ ସରକାର ଗାଁକୁ ସମ୍ମାନ ଦେଇନାହାଁନ୍ତି । ରାଜ୍ୟର ଅସ୍ମିତାକୁ କ୍ଷୁର୍ଣ୍ଣ କରିଛନ୍ତି । ତେଣୁ ଏବେ ସାଧାରଣ ଲୋକଙ୍କ ମନରେ ଏହି ସରକାରଙ୍କ ବିରୋଧରେ ଅସନ୍ତୋଷ ବିସ୍ଫୋରଣ ହୋଇଛି। ଲୋକେ ଏବେ ପରିବର୍ତ୍ତନ ଚାହୁଁଛନ୍ତି ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ।

 

Breaking News