Report Card Odisha

| Daily Odia News

ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନ ପାଇଁ ଆଜି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେପି। ଏହି ତାଲିକାରେ ୧୦ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି | ଏଥିରୁ ବାଦ୍ ପଡ଼ିଛନ୍ତି ପୂର୍ବତନ ଉପମୁଖ୍ୟମନ୍ତ୍ରୀ କବିନ୍ଦର ଗୁପ୍ତା । ଗାନ୍ଧି ନଗର (ବର୍ତ୍ତମାନର ବାହୁ) ଆସନରୁ ଦଳ ତାଙ୍କ ବଦଳରେ ବିକ୍ରମ ରନ୍ଧୱାଙ୍କୁ ଟିକେଟ୍ ଦେଇଛି। ସେହିପରି ଦଳ କଠୁଆରୁ ଭରତ ଭୂଷଣଙ୍କୁ ଟିକେଟ୍ ଦେଇ ଥିବାବେଳେ ଗୁଲାମ ମହମ୍ମଦ ମୀରଙ୍କୁ ହନ୍ଦୱାଡାରୁ ପ୍ରାର୍ଥୀ ଘୋଷଣା କରିଛି। ମୀର ଜମ୍ମୁ କଶ୍ମୀର ପିପୁଲ୍ସ କନଫରେନ୍ସ ମୁଖ୍ୟ ସାଜଜାଦ ଲୋନଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବେ, ଯାହାଙ୍କୁ ବିଜେପି ଲୋକସଭା ନିର୍ବାଚନ ସମୟରେ ବାରମୁଲ୍ଲା ଆସନରେ ସମର୍ଥନ କରିଥିଲା। ସେପଟେ, ନାସିର ଅହମ୍ମଦ ଲୋନ ବନ୍ଦିପୋରାରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ଆର.ଏସ୍ ପାଥାନିଆଙ୍କୁ ଉଦମପୁର ପୂର୍ବରୁ ଟିକେଟ୍ ଦିଆଯାଇଛି। ମହମ୍ମଦ ଇଡ୍ରେସ୍ କର୍ନାହି, ଅବଦୁଲ ରସିଦ ଖାନ ଏବଂ ଫକିର ମହମ୍ମଦ ଖାନ ଯଥାକ୍ରମେ କରନାହ, ସୋନାୱାରୀ ଏବଂ ଗୁରେଜରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ବିଷନାହ ନିର୍ବାଚନମଣ୍ଡଳୀରୁ ରାଜୀବ ଭଗତ ଏବଂ ମଢରୁ ସୁରିନ୍ଦର ଭଗତ ପ୍ରାର୍ଥୀ ହୋଇଛନ୍ତି। ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଏବଂ ନ୍ଦ୍ରଶାସିତ ଅଞ୍ଚଳ ମାନ୍ୟତା ପାଇବା ପରେ ଏଠାରେ ପ୍ରଥମ ଥର ବିଧାନସଭା ଅନୁଷ୍ଠିତ ହେଉଛି। ଏଥିପାଇଁ ବିଜେପି ଶୁକ୍ରବାର ଘୋଷଣାପତ୍ର ପ୍ରକାଶ କରିଥିଲା, ଯେଉଁଥିରେ ବିକାଶମୂଳକ କାର୍ଯ୍ୟକୁ ମୁଦ୍ଦା କରାଯାଇଥିଲା। ବିଶେଷ କରି ପର୍ଯ୍ୟଟନ କ୍ଷେତ୍ରର ବିକାଶକୁ ବିଜେପି ନିର୍ବାଚନୀ ଘୋଷଣାପତ୍ରରେ ମୁଖ୍ୟ ମୁଦ୍ଦା କରିଛି। ଜମ୍ମୁ କଶ୍ମୀରରେ ସେପ୍ଟେମ୍ବର ୧୮, ୨୫ ଏବଂ ଅକ୍ଟୋବର ୧ ରେ ତିନୋଟି ପର୍ଯ୍ୟାୟରେ ମତଦାନ ହେବ ଏବଂ ଅକ୍ଟୋବର ୮ ରେ ଫଳାଫଳ ପ୍ରକାଶ ପାଇବ।

Breaking News