Report Card Odisha

| Daily Odia News

୮ରେ ରାଜ୍ୟ ବିଜେପିକୁ ମିଳିବ ନୂଆ ସଭାପତି…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଜୁଲାଇ ୮ରେ ରାଜ୍ୟ ବିଜେପିକୁ ମିଳିଯିବ ନୂଆ ସଭାପତି | ରାଜ୍ୟ ବିଜେପି ସଭାପତି ଓ ରାଷ୍ଟ୍ରୀୟ ପରିଷଦ ସଦସ୍ୟ ନିର୍ବାଚନ ପାଇଁ ଶୁକ୍ରବାର ରାଜ୍ୟ ନିର୍ବାଚନ ଅଧିକାରୀ ତଥା ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ଦସ୍ତଖତରେ ବିଜ୍ଞପ୍ତି ଜାରି ହୋଇଛି। ଜୁଲାଇ ୬ରେ ଅନ୍ତରୀଣ ମତଦାତା ସୂଚୀ, ୭ରେ ନାମାଙ୍କନପତ୍ର ଦାଖଲ ଏବଂ ୮ରେ ଚୂଡ଼ାନ୍ତ ଫଳ ପ୍ରକାଶ ପାଇବ।ରାଜ୍ୟ ବିଜେପି ସଭାପତି ନିର୍ବାଚନ ପ୍ରାୟ ୬ମାସ ବିଳମ୍ବିତ ହୋଇଛି। ଦଳର ନେତୃତ୍ବ କିଏ ନେବ ତାକୁ ନେଇ ଲାଗି ରହିଥିବା ଉତ୍କଣ୍ଠା ଆସନ୍ତା ୮ରେ ଦୂର ହେବ। ରାଷ୍ଟ୍ରୀୟ ନିର୍ବାଚନ ଅଧିକାରୀ ଡ. କେ. ଲକ୍ଷ୍ମଣଙ୍କ ନିର୍ଦେଶାନୁଯାୟୀ କିଛି ଅନିବାର୍ଯ୍ୟ କାରଣବଶତଃ ସ୍ଥଗିତ ଥିବା ରାଜ୍ୟ ସଭାପତି ଏବଂ ରାଷ୍ଟ୍ରୀୟ ପରିଷଦ ସଦସ୍ୟ ନିର୍ବାଚନ ପ୍ରକ୍ରିୟା ସମୟ ସାରଣୀ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପ୍ରକ୍ରିୟା ଆସନ୍ତା ୬ରୁ ଆରମ୍ଭ ହୋଇ ୮ରେ ଶେଷ ହେବ ବୋଲି ରାଜ୍ୟ ସାଧାରଣ ସମ୍ପାଦକ ତଥା ରାଜ୍ୟ ସହ ନିର୍ବାଚନ ଅଧିକାରୀ ଡ. ଯତୀନ ମହାନ୍ତି ସୂଚନା ଦେଇଛନ୍ତି। ୬ ତାରିଖ ପୂର୍ବାହ୍ଣ ୧୧ଟାରେ ଅନ୍ତରୀଣ ମତଦାତାଙ୍କ ସୂଚୀ ପ୍ରକାଶ ପାଇବ। ସେହିଦିନ ମଧ୍ୟାହ୍ନ ୧୨ଟାରୁ ଅପରାହ୍ଣ ୨ଟା ସୁଦ୍ଧା ମତଦାତାଙ୍କ ସୂଚୀ ଉପରେ ବିଭିନ୍ନ ଆପତ୍ତି ଓ ଅଭିଯୋଗର ଯାଞ୍ଚ କରାଯିବା ପରେ ଅପରାହ୍ଣ ୨ରୁ ସନ୍ଧ୍ୟା ୫ ମଧ୍ୟରେ ଚୂଡ଼ାନ୍ତ ମତଦାତାଙ୍କ ତାଲିକା ପ୍ରକାଶ ପାଇବ। ୭ ତାରିଖ ପୂର୍ବାହ୍ଣ ୧୧ରୁ ଅପରାହ୍ଣ ୨ ସୁଦ୍ଧା ଉପରୋକ୍ତ ନିର୍ବାଚନ ପାଇଁ ଆଗ୍ରହୀ ପ୍ରାର୍ଥୀଙ୍କ ପକ୍ଷରୁ ନାମାଙ୍କନପତ୍ର ଦାଖଲ କରାଯିବ। ମଧ୍ୟାହ୍ନ ୨ରୁ ଅପରାହ୍ଣ ୩ ମଧ୍ୟରେ ନାମାଙ୍କନ ସମ୍ପର୍କିତ ଆପତ୍ତି ଅଭିଯୋଗର ଯାଞ୍ଚ କରାଯାଇ ଅପରାହ୍ଣ ୪ ସୁଦ୍ଧା ଅନ୍ତିମ ସୂଚୀ ପ୍ରକାଶ କରାଯିବ ଏବଂ ଚିହ୍ନ ଆବଣ୍ଟନ ହେବ। ଆବଶ୍ୟକ ହେଲେ ୮ତାରିଖ ସକାଳ ୯ରୁ ପୂର୍ବାହ୍ଣ ୧୧ ପର୍ଯ୍ୟନ୍ତ ମତଦାନ ହେବ। ପୂର୍ବାହ୍ଣ ୧୧ଟା ୩୦ରୁ ଭୋଟ ଗଣତି କରାଯାଇ ଚୂଡ଼ାନ୍ତ ଫଳାଫଳ ଘୋଷଣା କରାଯିବ। ଏହି ନିର୍ବାଚନ ପ୍ରକ୍ରିୟାର ସୁପରିଚାଳନା ଓ ତଦାରଖ କରିବା ପାଇଁ କେନ୍ଦ୍ର ନିର୍ବାଚନ ଅଧିକାରୀଙ୍କ ତରଫରୁ ବିହାର ସାଂସଦ ସଞ୍ଜୟ ଜୟସ୍ୱାଲଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି ବୋଲି ଡ. ମହାନ୍ତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।ପରବର୍ତ୍ତୀ ରାଜ୍ୟ ସଭାପତି କିଏ ହେବ ତାକୁ ନେଇ ଚାଲିଛି ଚର୍ଚ୍ଚା। ଦଳ ନୂଆ ଚେହେରା ଦେଖିବ ନା ମନମୋହନ ସାମଲଙ୍କ ଉପରେ ରାଷ୍ଟ୍ରୀୟ ନେତୃତ୍ବ ପୁନର୍ବାର ଆସ୍ଥା ପ୍ରକଟ କରିବ ତାକୁ ନେଇ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଚର୍ଚ୍ଚା ଲାଗି ରହିଛି। ୨୦୨୪ ସାଧାରଣ ନିର୍ବାଚନରେ ବିଜେଡି ଓ ବିଜେପି ମେଣ୍ଟ ଚର୍ଚ୍ଚା ଚାଲିଥିବାବେଳେ ଦିଲ୍ଲୀ ଯାଇ ସଭାପତି ମନମୋହନ ରାଷ୍ଟ୍ରୀୟ ଶୀର୍ଷସ୍ତରୀୟ ନେତାଙ୍କ ପାଖରେ ବସି ଦଳ ଏକାକୀ ନିର୍ବାଚନ ଲଢ଼ିବ ଓ ସରକାର ଗଠନ କରିବ ବୋଲି ଦମ୍ଭୋକ୍ତି ଦେଖାଇଥିଲେ। ମନମୋହନଙ୍କ ଦମ୍ଭୋକ୍ତିକୁ ବିଶ୍ବାସକୁ ନେଇ ବିଜେପି ମେଣ୍ଟରୁ ଓହରି ଯାଇଥିଲା। ସଭାପତି ନିଜେ ନିର୍ବାଚନ ହାରିଥିଲେ ମଧ୍ୟ ତାଙ୍କ ନେତୃତ୍ବରେ ଦଳ ନିର୍ବାଚନ ଜିତି ସରକାର ଗଠନ କରିଛି। ଆଗକୁ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳ ପୁଣିଥରେ ତାଙ୍କୁ ସଭାପତି କରିପାରେ ବୋଲି ସମର୍ଥକଙ୍କ ମହଲରେ ଚର୍ଚ୍ଚା ହେଉଛି। ସଭାପତି ପଦ ପାଇଁ ଦୁଇଟି ଗୋଷ୍ଠୀ ମଧ୍ୟରେ ଟଣାଓଟରା ଚାଲିଥିବାରୁ ତାଙ୍କ ସ୍ଥାନରେ ଆଉ କାହାକୁ ଦଳ ଅବସ୍ଥାପିତ କରିପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି।

Breaking News