ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିବାର ୯ ବର୍ଷ ପରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଉତ୍ତର ପ୍ରଦେଶର ବିଜେପିର ଜଣେ ବିଧାୟକ। ସେ ଦୋଷୀ ସାବ୍ୟସ୍ତ୍ୟ ହେବା ସହ ତାକୁ ୨୫ ବର୍ଷ ଜେଲ ଦଣ୍ଡ ମିଳିଛି। ଏବେ ବିଧାୟକ ଜଣଙ୍କ ବିଧାନସଭାରେ ନିଜର ସଦସ୍ୟ ପଦ ହରାଇବେ। ଦୁଷ୍କର୍ମ ଘଟଣା ୨୦୧୪ରେ ଘଟିଥିଲା। ହେଲେ ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ୯ ବର୍ଷ ସମୟ ଲାଗିଗଲା। ବିଜେପି ବିଧାୟକ ଓ ତାଙ୍କ ସମର୍ଥକମାନେ ଗୋଟିଏ ବର୍ଷ ଧରି ପୀଡ଼ିତାଙ୍କ ପରିବାର ଲୋକଙ୍କୁ ମାମଲା ପ୍ରତ୍ୟାହାର ପାଇଁ ଧମକାଇ ଥିଲେ। ତଥାପି ସେମାନେ ହାର ମାନି ନଥିଲେ। ଏବେ ନାବାଳିକା ଦୁଷ୍କର୍ମ ମାମଲାରେ ବିଜେପିର ବିଧାୟକ ରାମଦୁଲାରେ ଗୋଣ୍ଡ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ରାମଦୁଲାରେ ଜଣେ ଆଦିବାସୀ ନେତା। ସେ ସୋନଭଦ୍ରା ଜିଲ୍ଲାରେ ଥିବା ଦୁଧି ନିର୍ବାଚନ ମଣ୍ଡଳୀର ବିଧାୟକ। ଦୁଷ୍କର୍ମ ମାମରେ ଶୁକ୍ରବାର ତାଙ୍କୁ ସାଂସଦ-ବିଧାୟକଙ୍କ ମାମଲାର ବିଚାର ପାଇଁ ଗଠିତ ସ୍ୱତନ୍ତ୍ର କୋର୍ଟ ୨୫ ବର୍ଷର ସଶ୍ରମ କାରଦାଣ୍ଡରେ ଦଣ୍ଡିତ କରିଛନ୍ତି। ସେହିପରି ତାଙ୍କ ଉପରେ ୧୦ ଲକ୍ଷ ଟଙ୍କାର ଫାଇନ ଲଗାଇଛନ୍ତି। ୨୦୧୪ରେ ରାମଦୁଲାରେଙ୍କ ପତ୍ନୀ ଦୁଧି ନିର୍ବାଚନ ମଣ୍ଡଳୀରେ ଥିବା ଗୋଟିଏ ଗ୍ରାମପଞ୍ଚାୟତର ମୁଖ୍ୟ ଭାବେ କାମ କରୁଥିଲେ। ଏହି ସମୟରେ ସ୍ଥାନୀୟ ଅଞ୍ଚଳରେ ରାମଦୁଲାରେଙ୍କ ବେଶ ଦବଦବା ରହିଥିଲା। ସେ ନିଜ ପତ୍ନୀଙ୍କ କ୍ଷମତା ବଳରେ ନିଜ ଇଚ୍ଛାରେ ସବୁ କାମ କରୁଥିଲେ। ୨୦୧୪ ନଭେମ୍ବର ୪ରେ ରାମଦୁଲାରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ। ଏନେଇ ମୟୂରପୋର ପୁଲିସ ଷ୍ଟେସନରେ ଗୋଟିଏ ଅଭିଯୋଗ ଦାଖଲ କରାଯାଇଥିଲା। ଦୁଷ୍କର୍ମ ମାମଲାରେ ଫସିଥିଲେ ମଧ୍ୟ ରାମଦୁଲାରେଙ୍କୁ ବିଜେପି ନିର୍ବାଚନ ଲଢ଼ିବାକୁ ଟିକେଟ ଦେଇଥିଲା। ଗତବର୍ଷ ସେ ବିଜେପି ଟିକେଟରେ ବିଧାନସଭା ନିର୍ବାଚନ ଲଢ଼ିଥିଲେ ଓ ବିଜୟୀ ମଧ୍ୟ ହୋଇଥିଲେ। ବିଧାୟକ ହୋଇଯିବାରୁ ରାମଦୁଲାରେଙ୍କ ମାମଲା ସୋନଭଦ୍ରାରେ ଥିବା ସାଂସଦ-ବିଧାୟକଙ୍କ ବିଚାର କରିବା ପାଇଁ କୋର୍ଟକୁ ଯାଇଥିଲା। କୋର୍ଟ ମାମଲାର ଶୁଣାଣି କରି ତାଙ୍କୁ ଦଣ୍ଡବିଧାନ କରିଛନ୍ତି। ସରକାରୀ ଓକିଲ ସତ୍ୟ ପ୍ରକାଶ ତ୍ରିପାଠୀ କହିଛନ୍ତି, ବିଧାୟକ ରାମଦୁଲାରେ ଗୋଣ୍ଡ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତାଙ୍କ ନାଁ ପକ୍ସୋ ଆଇନରେ ମାମଲା ହୋଇଥିଲା। ଏହାବାଦ ପ୍ରମାଣ ନଷ୍ଟ କରିବା ଓ ଅନ୍ୟାନ୍ୟ ଅଭିଯୋଗରେ ମଧ୍ୟ ଆଇପିସିର ବିଭିନ୍ନ ଦଫାରେ ତାଙ୍କ ନାଁରେ ମାମଲା ରହିଥିଲା। ଏଥିପାଇଁ ଏମସି-ଏମଏଲଏ କୋର୍ଟର ଅତିରିକ୍ତ ଜିଲ୍ଲା ଜଜ ଏହଶନ ଉଲ୍ଲା ଖାନ ମାମଲାର ବିଚାର କରି ବିଧାୟକଙ୍କୁ ୨୫ ବର୍ଷର ସଶ୍ରମ କାରାଦଣ୍ଡ ସହ ୧୦ ଲକ୍ଷ ଟଙ୍କାର ଜୋରିମାନା ଦେବାକୁ କହିଛନ୍ତି। ଜୋରିମାନା ଅର୍ଥ ପୀଡ଼ିତାଙ୍କୁ ଦିଆଯିବ ବୋଲି ଶ୍ରୀ ତ୍ରିପାଠୀ ସୂଚନା ଦେଇଛନ୍ତି।
More Stories
ପାକିସ୍ତାନର ଏଜେଣ୍ଡା ଜମ୍ମୁକଶ୍ମୀରରେ ଲାଗୁ ହେବ ନାହିଁ,କଂଗ୍ରେସ ଓ ପାକିସ୍ତାନର ଏଜେଣ୍ଡା ସମାନ…..
ଆମେରିକା କୋର୍ଟରୁ ଅଜିତ ଡୋଭାଲ ଙ୍କ ନାଁରେ ସମନ…..
କଂଗ୍ରେସ-ଏନସି ମେଣ୍ଟ ସହ ଏକମତ ଅଛୁ : ପାକିସ୍ତାନ….