Report Card Odisha

| Daily Odia News

ମିଳିଲା ପଥରବନ୍ଧା ମୃତଦେହ…..

ରିପୋର୍ଟ କାର୍ଡ / ମୟୂରଭଞ୍ଜ

ମୟୂରଭଞ୍ଜ ଜିଲ୍ଲା ଯଶୀପୁର ହାଣ୍ଡିପୁହାଣ ଗାଁ ଜଙ୍ଗଲ ନିକଟ ଏକ ପୋଖରୀରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତଦେହ ସହ ଏକ ପଥର ବନ୍ଧା ହୋଇଥିବା ଦେଖିବାକୁ ମିଳିଛି । ତେଣୁ କେହି ହତ୍ୟା କରି ମୃତଦେହରେ ପଥର ବାନ୍ଧି ଫୋପାଡ଼ି ଦେଇଥିବା ଅନୁମାନ କରାଯାଉଛି। ମୃତା ମହିଳାଙ୍କ ପରିଚୟ ମିଳିପାରିନି। ହାଣ୍ଡିପୁହାଣ ଗାଁ ଜଙ୍ଗଲ ନିକଟ ନିଛାଟିଆ ସ୍ଥାନରେ ପୋଖରୀଟି ଅବସ୍ଥିତ । କିଛି ଗାଁ ଲୋକେ ଗତକାଲି ସନ୍ଧ୍ୟାରେ ପୋଖରୀ ନିକଟକୁ ଯାଇଥିବା ବେଳେ ଏକ ମୃତଦେହର କିଛି ଅଂଶ ଭାସୁଥିବା ଦେଖିବାକୁ ପାଇଲେ। ଏନେଇ ସେମାନେ ପୋଲିସ ଖବର ଦେଇଥିଲେ। ଆଜି ସକାଳେ ପୋଲିସ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ପୋଖରୀରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରିଥିଲେ। ମୃତଦେହରେ ଏକ ପଥର ବନ୍ଧା ହୋଇଥିବାରୁ ତାହା ସମ୍ପୂର୍ଣ୍ଣ ଭାସୁ ନ ଥିଲା। ମୃତା ମହିଳାଙ୍କ ବୟସ ପାଖାପାଖି ୩୦ ହେବ । ପ୍ରାୟ୨, ୩ ଦିନ ପୂର୍ବରୁ କେହି ସମ୍ପୃକ୍ତା ମହିଳାଙ୍କ ହତ୍ୟା କରି ଏଠାରେ ଫୋଫାଡ଼ି ଦେଇ ଯାଇଥିବା ଅନୁମାନ କରାଯାଉଛି। ତାଙ୍କ ପରିଚୟ ମିଳିପାରିନି। ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇ ଦିଆଯାଇଛି। କରଞ୍ଜିଆ ପୋଲିସ ଏହି ଘଟଣାର ଖୋଳତାଡ଼ ଆରମ୍ଭ କରି ସମ୍ପୃକ୍ତା ମହିଳାଙ୍କ ପରିଚୟ ଜାଣିବାକୁ ଚେଷ୍ଟା ଚଳାଇଛି। ଏପରିକି ଏନେଇ ଆଖାପାଖ ଥାନାରେ କିଛି ମିସିଂ କେସ୍‌ ହୋଇଛି କି ନାହିଁ ତାହାର ପତ୍ତା ଲଗାଉଛି। ଏହାଦ୍ୱାରା ମହିଳାଙ୍କ ପରିଚୟ ମିଳିବା ସହଜ ହୋଇପାରିବ ବୋଲି ଥାନା ଅଧିକାରୀ କହିଛନ୍ତି।

Breaking News