ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସଂସଦର ସୁରକ୍ଷା ଭଙ୍ଗ ପ୍ରସଙ୍ଗରେ ବିରୋଧୀ ଦଳଗୁଡ଼ିକ ଗୃହମନ୍ତ୍ରୀ ଅମିତ ଶାହଙ୍କ ବିବୃତି ଦାବି କରି ଶୁକ୍ରବାର ହଟ୍ଟଗୋଳ କରିଥିଲେ | ଉକ୍ତ ପ୍ରସଙ୍ଗକୁ ନେଇ ଉଭୟ ଗୃହକୁ ବାରମ୍ବାର ମୁଲତବୀ କରିବାକୁ ହୋଇଥିଲା। ଫଳରେ ଉଭୟ ଗୃହକୁ ଆସନ୍ତା ସୋମବାର ୧୧ଟା ପର୍ଯ୍ୟନ୍ତ ମୁତଲବୀ ଘୋଷଣା କରାଯାଇଛି। କଂଗ୍ରେସ ସାଂସଦ ହିବି ଇଡେନଙ୍କ କହିବାନୁଯାୟୀ, ସାଂସଦମାନଙ୍କୁ ନିଲମ୍ବନ ଏବଂ ବହିଷ୍କାର ଏ ସରକାର ପାଇଁ କିଛି ନୂଆ ନୁହେଁ। ଗତ ସପ୍ତାହରେ ଟିଏମ୍ସି ସାଂସଦ ମହୂଆ ମୈତ୍ର ବହିଷ୍କୃତ ହୋଇଥିଲେ। ଚଳିତ ସପ୍ତାହରେ ୧୪ ସାଂସଦଙ୍କୁ ନିଲମ୍ବନ କରାଯାଇଛି। କିନ୍ତୁ ସଂସଦ ସୁରକ୍ଷା ଭଙ୍ଗ ମାମଲାରେ ବିଜେପି ସାଂସଦ ପ୍ରତାପ ସିହ୍ମାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। ସଂସଦରୁ ନିଲମ୍ବିତ ହୋଇଥିବା ଡିଏମ୍କେ ସାଂସଦ କାନିମୋଝି କହିଛନ୍ତି, ବିଜେପି ବାରମ୍ବାର କହୁଛି ଯେ ସେମାନେ କେବଳ ଦେଶକୁ ସୁରକ୍ଷା ଦେଇପାରିବେ। କିନ୍ତୁ ସେମାନେ ସଂସଦକୁ ସୁରକ୍ଷା ଦେଇ ପାରୁନାହାନ୍ତି। ଗୃହ ଭିତରେ ଯଦି ପ୍ରଧାନମନ୍ତ୍ରୀ ଥା’ନ୍ତେ ତା’ହେଲେ ସେମାନେ ପ୍ରଧାନମନ୍ତ୍ରୀଙ୍କୁ ସୁରକ୍ଷା ଦେଇ ପାରି ନଥାନ୍ତେ। କିନ୍ତୁ କହୁଛନ୍ତି ଆମେ ଘଟଣାକୁ ରାଜନୈତିକ ରୂପ ଦେଉଛୁ। ଏହି ଘଟଣା ପାଇଁ ସରକାର ଉତ୍ତରଦାୟୀ ରହିବା ଆବଶ୍ୟକ। ଲୋକସଭାରୁ ନିଲମ୍ବନ ପ୍ରସଙ୍ଗରେ କଂଗ୍ରେସ ସାଂସଦ ମାଣିକମ ଟାଗୋର କହିଛନ୍ତି, ଇଣ୍ଟିଆ ମେଣ୍ଟର ସମସ୍ତ ସାଂସଦ ଏକାଠି ଅଛନ୍ତି। ଆମକୁ ଅଗଣତାନ୍ତ୍ରିକ ଭାବେ ଗତକାଲି ନିଲମ୍ବନ କରାଯାଇଛି। ଗାନ୍ଧୀ ପ୍ରତିମୂର୍ତ୍ତିଙ୍କ ସାମ୍ନାରେ ଆମେ ନିରବ ପ୍ରତିବାଦ କରୁଛୁ ଏବଂ ନ୍ୟାୟ ମିଳିବା ପର୍ଯ୍ୟନ୍ତ ଏହା ଜାରି ରହିବ। ଗାନ୍ଧୀ ପ୍ରତିମୂର୍ତ୍ତି ନିକଟରେ ଆନ୍ଦୋଳନ ଚଳାଇଥିବା ନିଲମ୍ବିତ ଓ ବିରୋଧୀ ସାଂସଦମାନଙ୍କୁ କଂଗ୍ରେସ ସାଂସଦ ସୋନିଆ ଗାନ୍ଧି ମଧ୍ୟ ଭେଟିଛନ୍ତି। ଅନ୍ୟପକ୍ଷରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି, ବାଚସ୍ପତି ଯେଉଁ ନିର୍ଦ୍ଦେଶ ଦେଉଛନ୍ତି ସରକାର ତାହାକୁ ଅକ୍ଷରେ ଅକ୍ଷରେ ପାଳନ କରୁଛନ୍ତି। ମାମଲା ମଧ୍ୟ କୋର୍ଟରେ ରହିଛି। ଉଚ୍ଚସ୍ତରୀୟ ତଦନ୍ତ ଚାଲିଛି। ବିରୋଧୀ ସାଂସଦମାନେ ଦାୟିତ୍ବ ସହକାରେ ବ୍ୟବହାର କରିବା ଉଚିତ ବୋଲି ଶ୍ରୀ ଯୋଶୀ କହିଛନ୍ତି। ନିଲମ୍ବନ ବିରୋଧରେ ଟିଏମ୍ସି ସାଂସଦ ଡେରେକ ଓବ୍ରେନ ଗାନ୍ଧୀ ପ୍ରତିମୂର୍ତ୍ତି ନିକଟରେ ମୌନ ବ୍ରତ ସହିତ ନିରବ ପ୍ରତିବାଦ କରିଛନ୍ତି। ଇଣ୍ଡିଆ ମେଣ୍ଟ ଅଧୀନ ବିଭନ୍ନ ଦଳର ଗୃହର ନେତାମାନଙ୍କର ଏକ ବୈଠକ ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେଙ୍କ ସଂସଦ ଭବନ କାର୍ଯ୍ୟାଳୟ ପରିସରରେ ଏକ ବୈଠକ ହୋଇଛି। ଏଭଳି ସ୍ଥିତିରେ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ ଗୃହର ନେତାମାନଙ୍କର ଏକ ବୈଠକ ତାଙ୍କ ଚାମ୍ବରରେ ଡାକିଥିଲେ।






More Stories
ନୀତଶଙ୍କ ମନ୍ତ୍ରିମଣ୍ଡଳରେ ବଡ଼ ପରିବର୍ତ୍ତନ…..
ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ: ୧୫ ମୃତ…..
ଅନିଲଙ୍କ ସମ୍ପତ୍ତି ବାଜ୍ୟାପ୍ତ କଲା ED, ରହିଛି ଭୁବନେଶ୍ୱର ଲିଙ୍କ୍…..