ରିପୋର୍ଟ କାର୍ଡ / ମୁମ୍ବାଇ
ଏନ୍ସିପି ମୁଖ୍ୟ ଶରଦ ପାୱାର ରବିବାର ଆମେ ଧନୁ-ତୀର ବିବାଦରେ ପଶିବୁ ନାହିଁ ବୋଲି କହି ଏକନାଥ ସିନ୍ଦେ ଗୋଷ୍ଠୀକୁ ନିର୍ବାଚନ କମିସନ ଅସଲ ଶିବସେନା କହି ଧନୁ-ତୀର ଚିହ୍ନ ପ୍ରଦାନ କରିବାକୁ ଏକପ୍ରକାର ସମର୍ଥନ କରିଛନ୍ତି। ଏହା ପୂର୍ବରୁ ସେ ଉଦ୍ଧବ ଠାକରେଙ୍କୁ ନିର୍ବାଚନ କମିସନଙ୍କ ନିଷ୍ପତ୍ତି ପରିପ୍ରେକ୍ଷୀରେ ଏକ ନୂଆ ଚିହ୍ନ ଗ୍ରହଣ କରିନେବାକୁ ପରାମର୍ଶ ଦେଇଥିଲେ। ପାୱାର କହିଛନ୍ତି, ଏକନାଥ ସିନ୍ଦେଙ୍କୁ ଦିଆଯାଇଥିବା ନାମ ଓ ଚିହ୍ନକୁ ନେଇ ସେ ବିବାଦ ଭିତରେ ପଶିବାକୁ ଚାହାନ୍ତି ନାହିଁ। ଦୁଇଦିନ ତଳୁ ସେ ଏ ବିଷୟରେ ତାଙ୍କର ମତ ସ୍ପଷ୍ଟ କରିସାରିଛନ୍ତି ବୋଲି ରବିବାର ପୁନେଠାରେ କହିଛନ୍ତି। ପାୱାରଙ୍କ ଏନ୍ସିପି ହେଉଛି ଉଦ୍ଧବ ଠାକରେଙ୍କ ଶିବସେନାର ଏକ ସହଯୋଗୀ ଦଳ ଏବଂ ଉଦ୍ଧବଙ୍କ ସରକାର ଭାଙ୍ଗିବା ପୂର୍ବରୁ ସେ ତାଙ୍କ ସହ ଓ କଂଗ୍ରେସ ସହ ମିଶି ସରକାର ଗଢ଼ିଥିଲେ।
ସମ୍ପ୍ରତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ମହାରାଷ୍ଟ୍ର ଗସ୍ତ ଅବସରରେ ପାୱାର କହିଛନ୍ତି ଯେ, ଏକ କନକ୍ଲେଭର ଉଦ୍ଘାଟନୀ ସମାରୋହରେ ସେ ଅମିତ ଶାହଙ୍କ ସହିତ ଥିଲେ। ଶାହଙ୍କ ସହ ତାଙ୍କର କୌଣସି ମତପାର୍ଥକ୍ୟ ନାହିଁ। ଶାହ ତାଙ୍କ ଭାଷଣରେ ଯାହାସବୁ କହିଲେ ସେଥିରେ କୌଣସି ତ୍ରୁଟି ବା ବିରୋଧାଭାସ ସେ ଦେଖୁନାହାନ୍ତି ବୋଲି ପାୱାର କହିଛନ୍ତି। ଉଦ୍ଧବ ନେତୃତ୍ବାଧୀନ ଶିବସେନା ପରାଜୟକୁ ଗ୍ରହଣ କରିବାକୁ ଏବଂ ବାଲାସୋହେବଙ୍କ ଲିଗାସିର ପ୍ରତୀକ ଧନୁ-ତୀରକୁ ହରାଇବାକୁ ପ୍ରସ୍ତୁତ ନୁହେଁ। ତେଣୁ ସେମାନେ ନିର୍ବାଚନ କମିସନଙ୍କ ନିଷ୍ପତ୍ତି ବିରୋଧରେ ସୁପ୍ରିମ୍କୋର୍ଟ ଯିବାକୁ ମସୁଧା କରୁଛନ୍ତି। ଶରଦ ପାୱାର କହିଛନ୍ତି ଯେ, ଚିହ୍ନ ବଦଳିବା ଦ୍ବାରା ଦଳର କିଛି କ୍ଷତି ହେବ ନାହିଁ ଏବଂ ଏହି ପ୍ରସଙ୍ଗ ୧୫ରୁ ୩୦ ଦିନ ଯାଏ ଚର୍ଚ୍ଚାରେ ରହିବ। ସେ କହିଛନ୍ତି ଯେ, ଇନ୍ଦିରା ଗାନ୍ଧି ମଧ୍ୟ ଏପରି ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ। ଯୋଡ଼ିବଳଦ ଥିଲା କଂଗ୍ରେସର ଚିହ୍ନ। ପରେ ସେ ଏହି ଚିହ୍ନ ହରାଇ ହାତ ଚିହ୍ନକୁ ଆପଣାଇଲେ। ଲୋକେ ତାକୁ ଗ୍ରହଣ କରିନେଲେ। ସେହିପରି ଉଦ୍ଧବ ଠାକରେଙ୍କ ନୂଆ ଚିହ୍ନକୁ ବି ଲୋକେ ଗ୍ରହଣ କରିନେବେ।






More Stories
ଭରଣପୋଷଣ ଦୟା ନୁହେଁ,ସ୍ତ୍ରୀଙ୍କ ଅଧିକାର…..
କ୍ଷମା ମାଗିଲେ ଅଶ୍ୱିନ ବୈଷ୍ଣବ……
ଫ୍ଲାଟ ମୂଲ୍ୟରୁ ହଟିଲା ପାର୍କିଂ ଚାର୍ଜ…..