ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ତେଲେଙ୍ଗାନାର ବିଆର୍ଏସ୍ର ନେତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଝିଅ କେ କବିତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଛି। ଗିରଫ ପରେ ପଚରାଉଚୁରା ପାଇଁ ତାଙ୍କୁ ହାଇଦ୍ରାବାଦରୁ ଦିଲ୍ଲୀ ଅଣାଯାଇଛି। ଶୁକ୍ରବାର ନିର୍ଦ୍ଦେଶାଳୟର ଦିଲ୍ଲୀ ଟିମ୍ ଓ ହାଇଦ୍ରାବାଦର ଟିମ୍ ମିଳିତ ଭାବେ କବିତାଙ୍କ ଘରେ ଚଢ଼ଉ କରିଥିଲେ। ଗିରଫ କରି ଅଣାଯାଉଥିବା ବେଳେ କବିତାଙ୍କ ଭାଇ କେ ରାମାରାଓ ପ୍ରତିବାଦ କରିଥିଲେ। ନିର୍ଦ୍ଦେଶାଳୟ ଅଧିକାରୀଙ୍କ ସହ ତାଙ୍କର ଉଚ୍ଚବାଚ ହୋଇଥିଲା। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ସବିଆଇ ଏକ ମାମଲା ରୁଜୁ କରି ତଦନ୍ତ କରୁଛି। ଏହି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଧ୍ୟ ତଦନ୍ତ ଜାରି ରଖିଛି। ୨୦୨୩ରେ କେ କବିତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜେରା କରିଥିଲା। ଚଳିତ ବର୍ଷ ଦୁଇ ମାସ ମଧ୍ୟରେ ସେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଦୁଇଟି ସମନକୁ ଏଡ଼ାଇ ଦେଇଥିଲେ। ଏହାପରେ ସେ ସୁପ୍ରିମ୍କୋର୍ଟର ଦ୍ବାରସ୍ଥ ହୋଇଥିଲେ। ତାଙ୍କୁ ବୁଧବାର ଯାଏଁ ପଚରାଉଚୁରା ନକରିବାକୁ ସୁପ୍ରିମ୍କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଶୁକ୍ରବାର ପୁଣିଥରେ ଆବେଦନର ବିଚାର କରି ପରବର୍ତ୍ତୀ ଶୁଣାଣି ମଙ୍ଗଳବାରକୁ ଧାର୍ଯ୍ୟ କରିଥିଲେ।






More Stories
ଅସ୍ତ୍ର ବିରତି ସତ୍ତ୍ବେ ଇସ୍ରାଏଲର ଆକ୍ରମଣ ଜାରି….
ସାରା ରାଜ୍ୟ ଉପରେ ରହିବ ସରକାରଙ୍କ ନଜର….
ଆଜି ଆସାମ,କେରଳ ଓ ପୁଡୁଚେରୀ ନିର୍ବାଚନ…..