Report Card Odisha

| Daily Odia News

ମଧ୍ୟମ ଓ ଗରୀବ ଶ୍ରେଣୀଙ୍କ ପାଇଁ ବଜେଟରେ କୌଣସି ବ୍ୟବସ୍ଥା ନାହିଁ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର କେନ୍ଦ୍ର ସରକାରଙ୍କ ୨୦୨୨-୨୩ ବର୍ଷ ପାଇଁ ଆଗତ ବଜେଟ ସମ୍ପର୍କରେ ନିଜର ପ୍ରତିକ୍ରିୟା ରଖି ମଧ୍ୟମ ଓ ଗରୀବ ଶ୍ରେଣୀର ଜନସାଧାରଣଙ୍କ ପାଇଁ ବଜେଟରେ କୌଣସି ବ୍ୟବସ୍ଥା ନାହିଁ ବୋଲି ମତ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମୁଦ୍ରାସ୍ପିତି ଓ ଦରବୃଦ୍ଧି ଯୋଗୁ ମଧ୍ୟବିତ ଓ ଗରୀବ ଶ୍ରେଣୀ ଲୋକମାନେ ଗଭୀର ଭାବେ ପ୍ରଭାବିତ ହୋଇଥିବାବେଳେ ବଜେଟରେ ଏ ସମସ୍ୟା ସମ୍ପର୍କରେ କୌଣସି ବ୍ୟବସ୍ଥା କରାଯାଇନାହିଁ। ଏହା ସହିତ ଏଲପିଜି ଗ୍ୟାସରେ ଦିଆଯାଇଥିବା ରିହାତି ଅତିରିକ୍ତ ଭାବେ ହ୍ରାସ ପାଇଛି। ଏହା ସାଧାରଣ ଲୋକଙ୍କ ଘରୋଇ ଅର୍ଥନୀତିକୁ ଭୟଙ୍କର ଭାବେ ପ୍ରଭାବିତ କରିବ। ବିଶେଷ କରି ମହିଳାମାନଙ୍କୁ ଏଲପିଜି ଦରବୃଦ୍ଧି ପରିଣାମ ଭୋଗିବାକୁ ପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହାସହିତ ମହାମାରୀ ସମୟରେ ନରେଗା କାର୍ଯ୍ୟକ୍ରମକୁ କମ ଅର୍ଥ ଆବଣ୍ଟନ ଗରୀବ ଲୋକମାନଙ୍କ ପାଇଁ ଆହୁରି ଅସୁବିଧା ସୃଷ୍ଟ କରିବ ବୋଲି ସେ କହିଛନ୍ତି। କୃଷି, କୃଷକ କଲ୍ୟାଣ, ଉଚ୍ଚ ଶିକ୍ଷା, ଗ୍ରାମ ବିକାଶ, ମହିଳା ଓ ଶିଶୁ କଲ୍ୟାଣ ପରି ବିଭିନ୍ନ ଜରୁରୀ କ୍ଷେତ୍ରକୁ ଆବଣ୍ଟନ ହ୍ରାସ ଦ୍ୱାରା ଅନ୍ତର୍ଭକୁକ୍ତ ଭିତ୍ତିକ ଅଭିବୃଦ୍ଧି ପ୍ରଭାବିତ ହେବ ବୋଲି ସେ ମଧ୍ୟ ଆଶଙ୍କା କରିଛନ୍ତି। ଏଫସିଆଇ ଦ୍ୱାରା ଶସ୍ୟ ଉଠାଣରେ ଅନେକ ସମସ୍ୟା ରହିଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହାଦ୍ୱାରା ଧାନସଂଗ୍ରହ ପ୍ରଭାବିତ ହେଉଛି। ଏହାସହିତ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଖାଦ୍ୟ ରିହାତି ହ୍ରାସ ଦ୍ୱାରା ଚାଷୀମାନେ ଗମ୍ଭୀର ସମସ୍ୟାରେ ପଡ଼ିବେ ଏବଂ ଏହାର ପୁନର୍ବିଚାର ଆବଶ୍ୟକତା ରହିଛି ବୋଲି ସେ ମତପ୍ରକାଶ କରିଛନ୍ତି। ସେହିପରି କେନ୍ଦ୍ରୀୟ କର ବ୍ୟବସ୍ଥା ସେସ ଓ ସରଚାର୍ଜର କ୍ରମାଗତ ବୃଦ୍ଧି ଦ୍ୱାରା ରାଜ୍ୟମାନେ କେନ୍ଦ୍ରୀୟ କରରୁ ତାଙ୍କର ନ୍ୟାୟୋଚିତ ଭାଗ ପାଇବାରୁ ବଞ୍ଚିତ ହେଉଛନ୍ତି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କେନ୍ଦ୍ର ନିଜର ୨୦ ପ୍ରତିଶତରୁ ଅଧିକ ଅଂଶ ସେସ ଓ ସରଚାର୍ଜ ଦ୍ୱାରା ଆଦାୟ କରିବାକୁ ପ୍ରସ୍ତାବ ରହିଛି। ଏହା ସହଭାଗୀ ସଂଘୀୟ ବ୍ୟବସ୍ଥାର ବିରୁଦ୍ଧାଚରଣ କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ତେବେ ଜଳ ଜୀବନ ମିଶନ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆଦି କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେଇ ଅଧିକ ଆବଣ୍ଟନ ବ୍ୟବସ୍ଥାକୁ ମୁଖ୍ୟମନ୍ତ୍ରୀ ସ୍ୱାଗତ କରିଛନ୍ତି। କିନ୍ତୁ ଗ୍ରାମ୍ୟ ଗୃହ ନିର୍ମାଣ କ୍ଷେତ୍ରରେ ଓଡ଼ିଶାବାସୀଙ୍କ ନ୍ୟାର୍ଯ୍ୟ ଦାବୀକୁ ଉପେକ୍ଷା କରାଯାଉଥିବାବେଳେ ଏହା ଜନସାଧାରଣଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରିଛି। ଓଡ଼ିଶା ଗରୀବ ଓ ଆଦିବାସୀ ପ୍ରତି ହେଉଥିବା ଏହି ଅନ୍ୟାୟକୁ ଦୂର କରି କେନ୍ଦ୍ର ନିଜର ଭୁଲ ସୁଧାରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି। ଓଡ଼ିଶା ହେଉଛି ଦେଶର ଏକମାତ୍ର ରାଜ୍ୟ ଯାହା ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା କ୍ଷତିଗ୍ରସ୍ତ ହେଉଛି। ତେଣୁ ଓଡ଼ିଶା ପାଇଁ କିଛି ସ୍ୱତନ୍ତ୍ର ବ୍ୟବସ୍ଥା ରହିବ ବୋଲି ଆଶା କରାଯାଉଥିଲା, କିନ୍ତୁ ବଜେଟରେ ଓଡ଼ିଶା ପାଇଁ କୌଣସି ସ୍ୱତନ୍ତ୍ର ବ୍ୟବସ୍ଥା ରଖାଯଇନାହିଁ। ପୁଷ୍ଟି ସୁରକ୍ଷା ଓ ଚାଷୀଙ୍କ ରୋଜଗାର ବୃଦ୍ଧିରେ ଓଡ଼ିଶା ମିଲେଟ ମିଶନ ଏକ ଚମତ୍କାରୀ ଭୂମିକା ଗ୍ରହଣ କରିଛି ବୋଲି ପ୍ରକାଶ କରି ୨୦୨୩କୁ ଜାତିସଂଘ ପକ୍ଷରୁ ଆନ୍ତର୍ଜାତିକ ମିଲେଟ ବର୍ଷ ଭାବେ ପାଳନ କରାଯାଉଥିବା ପରିପ୍ରେକ୍ଷୀରେ କେନ୍ଦ୍ରୀୟ ବଜେଟରେ ମିଲେଟକୁ ଗୁରୁତ୍ୱ ଦିଆଯାଇଥିବାରୁ ମୁଖ୍ୟମନ୍ତ୍ରୀ ଖୁସି ପ୍ରକାଶ କରିଛନ୍ତି। ବଜେଟରେ ପ୍ରଯୁକ୍ତି ଓ ଭିତ୍ତିଭୂମି ଭିତ୍ତିକ ଅଭିବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଉଥିବାରୁ ଏହାର ଅନୁକୂଳ ପ୍ରଭାବ ପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସ୍ୱାସ୍ଥ୍ୟ ଓ ଶିକ୍ଷାରେ ପ୍ରସ୍ତାବିତ ପ୍ରଯୁକ୍ତି ବିଦ୍ୟା ଭିତ୍ତିକ ଅଭିବୃଦ୍ଧି ମହାମାରୀ ସମୟରେ ଦେଶପାଇଁ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ସେ କହିଛନ୍ତି। ୧୪ଟି କ୍ଷେତ୍ରରେ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ଓ ଜରୁରୀ ନିଶ୍ଚିତ ଋଣ ସହାୟତା ଯୋଜନା ବ୍ୟବସାୟ କ୍ଷେତ୍ରରେ ଯୋଗାଣ ସମସ୍ୟାକୁ ଦୂର କରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

Breaking News