Report Card Odisha

| Daily Odia News

BMCର ବଡ଼ ନିଷ୍ପତ୍ତି:ବିଲଡିଂ ପ୍ଲାନକୁ ମିଳିବନି ଅନୁମତି…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ପାର୍କିଂ ପାଇଁ ସ୍ଥାନ ନଥିଲେ ଏଣିକି ବିଲଡିଂ ପ୍ଲାନକୁ ମଞ୍ଜୁରୀ ମିଳିବ ନାହିଁ । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏଭଳି କଡ଼ା ନିଷ୍ପତ୍ତି ନିଆଯାଇଛି । ଯେଉଁମାନେ ଘର ପ୍ଲାନିଂ ନେଇଛନ୍ତି ଓ ପାର୍କିଂ ପାଇଁ ସ୍ଥାନ ଛାଡ଼ି ନାହାନ୍ତି ସେମାନଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଏମସି କମିଶନର ନିର୍ଦ୍ଦେଶ ଦେଇଛନ୍ତି । ବିଏମସିର ନିଷ୍ପତ୍ତି ଅନୁଯାୟୀ, ଯେଉଁମାନେ ପାର୍କିଂ ପାଇଁ ଆବଶ୍ୟକ ସ୍ଥାନ ଛାଡ଼ି ନାହାନ୍ତି, ନିୟମ ଅନୁସାରେ ସ୍ଥାନ ଛାଡ଼ି ନାହାନ୍ତି, ବିଏମସିର ସୀମା ଭିତରେ ଥିବା କୌଣସି ଘର ବା ଅନୁଷ୍ଠାନ ଅନୁମୋଦିତ ଯୋଜନାକୁ ଉଲ୍ଲଂଘନ କରି ନିର୍ମାଣ କରିଛନ୍ତି ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବିଏମସି କମିଶନରଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ବେଳେ ପ୍ରତ୍ୟେକ ୱାର୍ଡକୁ ଅଚାନକ ଭାବେ ଗସ୍ତ କରିବାକୁ କୁହାଯାଇଛି । ଓଡ଼ିଶା ବିକାଶ କର୍ତ୍ତୃପକ୍ଷ ନର୍ମ ୨୦୨୦ ଆଧାରରେ ୩୦୦ ବର୍ଗ ମିଟର ପ୍ଲଟ ଏରିଆ ବିଶିଷ୍ଟ ଘରେ ଜଳ ଅମଳ ପ୍ରକଳ୍ପ ବାଧ୍ୟତାମୂଳକ କରାଯାଇଛି । ଯେଉଁଠାରେ ୨୦ ବର୍ଗମିଟର ବା ତା’ଠାରୁ ଅଧିକ ଅଞ୍ଚଳରେ ନିର୍ମାଣ ପାଇଁ ପ୍ଲାନ ମଞ୍ଜୁରୀ ମିଳିଥିବ, ନିୟମ ଅନୁସାରେ ସେହି ସ୍ଥାନରେ ନିଜସ୍ୱ ସ୍ୱେରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ରହିବା ଆବଶ୍ୟକ । ଏହା ବିଜ୍ଞାନ ସମ୍ମତ ଭାବେ କାର୍ଯ୍ୟକାରୀ ହେଉଛି କି ନାହିଁ, ପରିବେଶ ସୁରକ୍ଷା ଦୃଷ୍ଟିରୁ ସଠିକ୍ ଭାବେ କରାଯାଇଛି କି ନା ସେନେଇ ଯାଞ୍ଚ କରାଯିବ । ଏଥିସହିତ ନିୟମକୁ କାର୍ଯ୍ୟକାରୀ କରିବାକୁ ଉଲ୍ଲଂଘନକାରୀଙ୍କୁ ନିର୍ଦ୍ଦିଷ୍ଟ ସମୟ ଦିଆଯିବ । ଘରଟି ଯେଉଁ ଉଦ୍ଦେଶ୍ୟରେ ନିର୍ମାଣ ହୋଇଛି, ତାହା ଅନ୍ୟ କାମରେ ବ୍ୟବହୃତ ହୋଇଥିବା ନଜରକୁ ଆସିଲେ ଗୃହ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି |

 

Breaking News