ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଗୋଟାଏ ବସ୍ ଭୟଙ୍କର ଦୁର୍ଘଟଣା ଘଟାଇଛି | ଦୁର୍ଘଟଣାରେ ୧୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୨ଜଣ ଆହତ ହୋଇଛନ୍ତି। ଏହି ତୀର୍ଥଯାତ୍ରୀ ବସ୍ କେନ୍ଦ୍ରୀୟ ମେକ୍ସିକୋର ଏକ ଧର୍ମପୀଠକୁ ଯାଉଥିବା ସମୟରେ ଗୋଟାଏ କୋଠାଘରେ ପିଟି ହୋଇଥିଲା। ରାଜ୍ୟ ଅଧିକାରୀମାନଙ୍କ କହିବା ଅନୁସାରେ, ବ୍ରେକ୍ ଫେଲ୍ ହେବାରୁ ବସ୍ଟି ଗୋଟାଏ କୋଠାଘରେ ପିଟି ହୋଇଯାଇଥିଲା। ଆହତମାନଙ୍କ ମଧ୍ୟରୁ ୬ଜଣଙ୍କ ଅବସ୍ଥା ଏତେ ଗୁରୁତର ହୋଇପଡ଼ିଲା ଯେ, ସେମାନଙ୍କୁ ବିମାନ ଯୋଗେ ଟୋଲୁକାସ୍ଥିତ ଡାକ୍ତରଖାନାକୁ ନେବାକୁ ପଡ଼ିଲା। ବାକି ଆହତ ଯାତ୍ରୀମାନଙ୍କର ସ୍ବାସ୍ଥ୍ୟାବସ୍ଥା ସଂକ୍ରାନ୍ତରେ ହଠାତ୍ କୌଣସି ସୂଚନା ମଳିନାହିଁ। ମେକ୍ସିକୋ ସିଟିର ଦକ୍ଷିଣପଶ୍ଚିମରେ ଥିବା ଟାଉନ୍ସିପ୍ ଜୋକ୍ବିସିଙ୍ଗୋରେ ଦୁର୍ଘଟଣା ଘଟିଥିବା କଥା ରାଜ୍ୟ ସହକାରୀ ଗୃହ ସଚିବ ରିକାର୍ଡୋ ଡି ଲା କ୍ରୁଜ୍ କହିଛନ୍ତି। ବସ୍ଟି ପଶ୍ଚିମାଞ୍ଚଳ ରାଜ୍ୟ ମିଚୋଆକାନ୍ରୁ ଚାଲ୍ମା ଅଭିମୁଖେ ଯାତ୍ରା କରୁଥିଲା। ଶହ ଶହ ବର୍ଷ ଧରି ରୋମାନ୍ କ୍ୟାଥୋଲିକ୍ ତୀର୍ଥଯାତ୍ରୀମାନେ ଉକ୍ତ ସହରକୁ ଯାଉଛନ୍ତି। ଡିସେମ୍ବର ୧୨ ତାରିଖରେ ‘ଭର୍ଜିନ୍ ଅଫ୍ ଗୁଆଡାଲୁପ୍ ଦିବସ’ ପଡୁଥିବାରୁ ଅନେକ ମେକ୍ସିକୋବାସୀ ସେଠାକୁ ତୀର୍ଥ କରି ଯାଆନ୍ତି। ସହରର ଅଣଓସାରିଆ ରାସ୍ତାରେ ଅନେକ ଲୋକ ଚାଲି ଚାଲି କିଂବା ବାଇକ୍ରେ ଏବଂ ପୁରୁଣା ବସ୍ରେ ଯାତାୟାତ କରୁଥିବାରୁ ସେ ଅଞ୍ଚଳରେ ଦୁର୍ଘଟଣା କିଛି ଅସ୍ବାଭାବିକ ଘଟଣା ନୁହେଁ।






More Stories
ମୁନ୍ଦ୍ରା ବନ୍ଦରରେ ପହଞ୍ଚିଛି ଜଗ୍ ଲଡକି…..
ରାଜନୀତିରେ କେବେ ପୂର୍ଣ୍ଣଚ୍ଛେଦ ପଡ଼ିନଥାଏ…..
ଦିଲ୍ଲୀ ସାଧନଗରରେ ଅଗ୍ନିକାଣ୍ଡ:୩ ଜଣ ଶିଶୁଙ୍କ ସମେତ ୭ ମୃତ…..