ରିପୋର୍ଟ କାର୍ଡ / ଭୁବନେଶ୍ୱର
ଅଗଷ୍ଟ ୧୬ ତାରିଖ ରାଜ୍ୟରେ ଘରୋଇ ବସ୍ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହେବ। ଜିଲ୍ଲା-ଜିଲ୍ଲା ଭିତରେ ଚାଲୁଥିବା ମୋ’ ବସ୍ ଏବଂ ଗାଁରୁ ରାଜଧାନୀ ଯାଏ ଚାଲିବାକୁ ଯାଉଥିବା ‘ଲାକମି’ ଯୋଜନାରେ ବସ୍ ଚଳାଚଳକୁ ବିରୋଧ କରି ଘରୋଇ ବସ୍ ମାଲିକ ସଂଘ ଏହି ନିଷ୍ପତ୍ତି ନେଇଛି। ଏଭଳି ସରକାରୀ ବସ୍ ଚଳାଚଳ ଦ୍ବାରା ଘରୋଇ ବସ୍ ମାଲିକମାନେ ପ୍ରତିଦିନ ଦେଢ଼ କୋଟି ଟଙ୍କା କ୍ଷତି ସହିବେ ବୋଲି ସଂଘ ଦର୍ଶାଇଛି। ୨୦୧୮ ନଭେମ୍ବର ୬ ତାରିଖରେ ରାଜ୍ୟ ସରକାର ମୋ’ ବସ୍ ଚଳାଚଳ ଆରମ୍ଭ କରିଥିଲେ। ଏହି ବସ୍ କଟକ, ଭୁବନେଶ୍ବର, ପୁରୀ, ରାଉରକେଲା, ସମ୍ବଲପୁର, ବ୍ରହ୍ମପୁର, ଭବାନୀପାଟଣା ଭଳି ସହରାଞ୍ଚଳରେ ଚଳାଚଳ କରିଥିଲା। ଗତ ଏକ ବର୍ଷରେ ଭୁବନେଶ୍ବର-ପୁରୀ, କଟକ-ପୁରୀ, କଟକ-ସାଲେପୁର, କଟକ-ଆଠଗଡ଼, କଟକ-ଢେଙ୍କାନାଳ, ବରଗଡ଼-ସମ୍ବଲପୁର, ସୁନ୍ଦରଗଡ଼-ବେଲପାହାଡ଼, ରାଉରକେଲା-ରାଜଗାଙ୍ଗପୁର, ସୁନ୍ଦରଗଡ଼-ରାଉରକେଲାରେ ମଧ୍ୟ ଚାଲିଲାଣି | ଏବେ ପୁଣି ‘ଲାକମି’ ଯୋଜନାରେ ରାଜ୍ୟ ସରକାର ପାଖାପାଖି ୧ ହଜାର ୪୦୦ ଗାଡ଼ି ଚଳାଚଳ କରିବାକୁ ଯାଉଛନ୍ତି। ପ୍ରତି ଗାଁରୁ ବ୍ଲକ୍, ବ୍ଲକ୍ରୁ ଜିଲ୍ଲା ଏବଂ ଜିଲ୍ଲାରୁ ରାଜଧାନୀକୁ ଏହି ବସ୍ ଚଳାଚଳ କରିବ। ଗୋଟିଏ ସମୟରେ ଉଭୟ ଘରୋଇ ଓ ସରକାରୀ ବସ୍ ଚାଲିଲେ ଘରୋଇ ବସ୍ ମାଲିକମାନେ ବିପୁଳ ପରିମାଣର ଆର୍ଥିକ କ୍ଷତି ସହିବେ ବୋଲି ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ସୂଚନା ଦିଆଯାଇଛି। ଏ ପ୍ରସଂଗରେ ସଂଘ ଗତ ୨୬ତାରିଖ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଭାବେ ଅବଗତ କରିଥିଲା। କିନ୍ତୁ କୌଣସି ପଦକ୍ଷେପ ନିଆଯାଇନାହିଁ। ସେହିପରି ଅଗଷ୍ଟ ୧୫ ତାରିଖ ସୁଦ୍ଧା ଲାକମି ଯୋଜନାରେ ପ୍ରାଥମିକ ପର୍ଯ୍ୟାୟରେ ୩୦୦ ଗାଡ଼ି ଚଳାଚଳ କରିବାର ସମ୍ଭାବନା ରହିଛି। ଏଭଳି ଯୋଜନାକୁ ଘରୋଇ ବସ୍ ମାଲିକ ସଂଘ ବିରୋଧ କରି ୧୬ ତାରିଖରୁ ସମଗ୍ର ରାଜ୍ୟରେ ୧୪ ହଜାର ବସ୍ ଚଳାଚଳ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି।






More Stories
କାଲିଠାରୁ CBSE ଦଶମ-ଦ୍ବାଦଶ ପରୀକ୍ଷା…..
ମୋତେ ନିୟମକାନୁନ ଦେଖାନା…..
ଗୀତା ପଟ୍ଟନାୟକଙ୍କ ଶେଷକୃତ୍ୟ ସମ୍ପନ୍ନ…..