ରିପୋର୍ଟ କାର୍ଡ / ଭୁବନେଶ୍ୱର
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ବିଭିନ୍ନ ବିଭାଗର ମୋଟ ୨୭ଟି ପ୍ରସ୍ତାବ ମଧ୍ୟରୁ ୨୬ଟିକୁ ଅନୁମୋଦନ ମିଳିଛି। ରାଜ୍ୟର ୯୫.୯୦ଲକ୍ଷ ପରିବାର (ଖାଦ୍ୟ ସୁରକ୍ଷା ହିତାଧିକାରୀ) କୁ ହଜାରେ ଟଙ୍କା ଲେଖାଏଁ ସହ ୨ଟି ଝୋଟ ବ୍ୟାଗ ଯୋଗାଇ ଦେବେ। ଏବାବଦରେ ରାଜ୍ୟ ସରକାର ମୋଟ ୧୨୩୭.୭୪କୋଟି ଟଙ୍କା ବ୍ୟୟ କରିବେ। ନିର୍ବାଚନ ଆଚରଣ ବିଧି ଘୋଷଣା ହେବା ପୂର୍ବରୁ ପ୍ରତି ପରିବାର ପାଖରେ ହଜାରେ ଟଙ୍କା ଲେଖାଏଁ ପହଂଚାଇବାର ଏହି ନୂଆ ଫନ୍ଦି ବାହାର କରିଛନ୍ତି ରାଜ୍ୟର ଶାସକ ବିଜେଡି। ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଅତନୁ ସବ୍ୟସାଚୀ ନାୟକ ଓ ପ୍ରଦୀପ କୁମାର ଜେନା କହିଛନ୍ତି ଯେ, କ୍ୟାବିନେଟ ବୈଠକରେ ବିଭିନ୍ନ ବିଭାଗର ମୋଟ ୨୭ଟି ପ୍ରସ୍ତାବ ମଧ୍ୟରୁ ୨୬ଟିକୁ ଅନୁମୋଦନ ମିଳିଛି। ଓଡ଼ିଶା ସରକାର ରାଜ୍ୟର ୯୫.୯୦ଲକ୍ଷ ହିତାଧିକାରୀ ପରିବାର(ଉଭୟ ଜାତୀୟ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀ)ଙ୍କ ସୁଗମ ଜୀବିକା ନିର୍ବାହ ନିମନ୍ତେ ପ୍ରତ୍ୟେକ ପରିବାର ପାଇଁ ୨ଟି ଲେଖାଏଁ ଝୋଟ ତିଆରି ବ୍ୟାଗ ଓ ହଜାରେ ଟଙ୍କା ସହାୟତା ରାଶି ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ଥିବା ସମସ୍ତ ହିତାଧିକାରୀ ପରିବାରକୁ ଦୈନନ୍ଦିନ ଜୀବନରେ ବ୍ୟବହୃତ ହେଉଥିବା ସାମଗ୍ରୀକୁ ନେବାଆଣିବା, ବଜାରରେ ଦରଦାମ ବୃଦ୍ଧି ସମୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀ କ୍ରୟ କରିବାରେ ସାହାଯ୍ୟ କରିବ। ୯୫.୯୦ଲକ୍ଷ ହିତାଧିକାରୀ ପରିବାରଙ୍କ ପାଇଁ ବଂଟନ ହେବାକୁ ଥିବା ମୋଟ ୧କୋଟି ୯୧ଲକ୍ଷ ୮୧ହଜାର ୫୨ଟି ଝୋଟ ତିଆରି ବ୍ୟାଗର ଖର୍ଚ୍ଚ ବାବଦକୁ ୨୭୮.୬୯କୋଟି ଟଙ୍କା ଓ ହଜାରେ ଟଙ୍କା ସହାୟତା ରାଶି ପ୍ରଦାନ କରିବା ଖର୍ଚ୍ଚବାବଦକୁ ୯୫୯.୦୫କୋଟି ଟଙ୍କା ଏଭଳି ମୋଟ ୧୨୩୭.୭୪କୋଟି ଟଙ୍କା ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ବହନ କରିବେ ବୋଲି ସୂଚନା ଦିଆଯାଇଛି।






More Stories
ପାହାଡପୁରରେ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ବାଗତ…..
ବଦଳିବ ଜିଲ୍ଲାର ଇଂରାଜୀ ନାମ…..
ବାରମ୍ବାର ଦେଇପାରିବେନି ଆଇଏଏସ୍,ଆଇପିଏସ୍ ପରୀକ୍ଷା……