ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ସନ୍ଧ୍ୟା ସାଢ଼େ ୫ଟାରେ ବସୁଛି ରାଜ୍ୟ ମନ୍ତ୍ରିପରିଷଦ ବୈଠକ ସହିତ କ୍ୟାବିନେଟ୍ ବୈଠକ। ଡିସେମ୍ବର ୧ ରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଅନୁଷ୍ଠିତ ହେବାକୁ ଯାଉଥିବାରୁ ଏଥିରେ କେଉଁସବୁ ଗୁରୁତ୍ବପୂର୍ଣ୍ଣ ବିଷୟବସ୍ତୁ ରହିବ ଏବଂ ସରକାର କେତେ ଟଙ୍କାର ଅତିରିକ୍ତ ବଜେଟ ଆଣିବେ ସେନେଇ ଆଜିର ବୈଠକରେ ନିଷ୍ପତ୍ତି ନିଆଯିବ | ଏହି ବୈଠକ ପରେ ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ। ବୈଠକରେ ୨୧ଟିରୁ ଊର୍ଦ୍ଧ୍ବ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଆସିବ ବୋଲି ସୂଚନା ମିଳିଛି। ରାଜ୍ୟ ସରକାର ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ସୌନ୍ଦର୍ଯ୍ୟକରଣ ଓ ଉନ୍ନତିକରଣକୁ ପ୍ରାଥମିକତା ଦେଇ ସ୍ବତନ୍ତ୍ର ନୀତି ଆପଣାଇଛନ୍ତି। ଏଥିଲାଗି ଜବରଦଖଲ ଉଚ୍ଛେଦ ସହିତ ଶ୍ରୀଲିଙ୍ଗରାଜ ମନ୍ଦିରର ଭିତ୍ତିଭୂମି ଓ ଶ୍ରୀବୃଦ୍ଧି କରାଯାଉଛି। ଐତିହ୍ୟ ବିକାଶ କାର୍ଯ୍ୟକ୍ରମରେ ବିନ୍ଦୁସାଗର, ପାପନାଶିନୀ, ଦେବୀ ପାଦହରା, ଗଙ୍ଗାଯମୁନା ଓ କୋଟିତୀର୍ଥର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କରାଯିବ। ଏଥିଲାଗି ଆବଶ୍ୟକ ଅର୍ଥ ଆଇସିଟି ଏବଂ ଆଇଓସିଏଲ ବହନ କରିବେ। ଓଡ଼ିଶା ସେତୁ ଓ ନିର୍ମାଣ ନିଗମ ତତ୍ତ୍ବାବଧାନରେ ପୁଷ୍କରିଣୀଗୁଡ଼ିକର ଖନନ କାର୍ଯ୍ୟ କରାଯିବ। ଏଥିପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ଏକ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି। ଆଗାମୀ ଦିନରେ ଶ୍ରୀଲିଙ୍ଗରାଜ ମନ୍ଦିର ଉନ୍ନତିକରଣ ଲାଗି ଆଉ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯିବ। ଏଥିଲାଗି ଆସନ୍ତାକାଲି ସରକାର ଅଧ୍ୟାଦେଶ ଆଣିବାକୁ ସ୍ଥିର କରିଛନ୍ତି। ଏହାସହିତ ରାଜସ୍ବ ବିଭାଗ ପକ୍ଷରୁ ଜମି ଜମା ସଂକ୍ରାନ୍ତ ସ୍ବତନ୍ତ୍ର ନୀତି ଏବଂ ସୂଚନା ଓ ପ୍ରଯୁକ୍ତି ବିଭାଗ ପକ୍ଷରୁ ଏକ ସ୍ବତନ୍ତ୍ର ଯୋଜନା ସମ୍ପର୍କରେ ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି। ଏହାବାଦ୍ ଅର୍ଥ, ସାଧାରଣ ପ୍ରଶାସନ, ପୂର୍ତ୍ତ, ପଞ୍ଚାୟତିରାଜ, ନଗର ଉନ୍ନୟନ ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଆସିବ ବୋଲି ଜଣାପଡ଼ିଛି।






More Stories
ଭୁବନେଶ୍ୱର ଗଣବଳାତ୍କାର:ଝିଅମାନେ ରାତି ୮ଟା ପରେ…..
ବଢ଼ିବ ଜମି ମୂଲ୍ୟ…..
ବିଶ୍ଵସନୀୟତା ହରାଉଛି ସରକାର….