ରିପୋର୍ଟ କାର୍ଡ / ପାଟନା
ବିହାରରେ ମଦମୃତ୍ୟୁକୁ ନେଇ ବିରୋଧୀ ତଥା ସହଯୋଗୀଙ୍କ ଟାର୍ଗେଟରେ ନିତିଶ ସରକାର। ରାଜ୍ୟରେ ମଦ ବିକ୍ରି ନିଷିଦ୍ଧ ହୋଇଥିବା ବେଳେ କେଉଁଠୁ ବିଷାକ୍ତ ମଦ ଆସୁଛି ଓ କେମିତି ବିକ୍ରି ହେଉଛି ତାକୁ ନେଇ ପ୍ରଶ୍ନ କରିଛନ୍ତି ନିତିଶ । ଏମିତି ସ୍ଥିତିରେ ବିଭିନ୍ନ ରାଜେନୖତିକ ଦଳଙ୍କ ଉପରେ ରାଗି ବର୍ଷିଛନ୍ତି ବିହାର ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି, ମଦ ବନ୍ଦକୁ ନେଇ କିଛି ଲୋକ ମୋତେ ବିରୋଧ କରୁଛନ୍ତି । ରାଜନୀତି କରିବା ବନ୍ଦ କରି ‘ମଦ ପିଇବ ତ ମରିବ’ କଥା ଲୋକଙ୍କ ପାଖରେ ପହଞ୍ଚାଇବା ଦରକାର ।’ ସୂଚନା ଅନୁସାରେ- ଗତ ସପ୍ତାହରେ ଗୋପାଳଗଞ୍ଜରେ ବିଷାକ୍ତ ମଦ ପିଇ ୪୦ ଜଣଙ୍କ ମୃତ୍ୟୁ ଘଟିଥିଲା । ଏହା ପରଠାରୁ ନିତିଶ ସରକାର ବିରୋଧୀଙ୍କ ଟାର୍ଗେଟରେ। ଏପରିକି ମେଣ୍ଟ ସରକାରର ଅନ୍ୟତମ ଅଂଶିଦାର ବିଜେପି ବି ଘଟଣାକୁ ନେଇ ପ୍ରଶ୍ନ ଉଠାଇଛି ଓ ମଦ ବନ୍ଦ ଆଇନର ପୁର୍ନବିଚାର କରିବାକୁ ଦାବି କରିଛି । ନିତିଶ କହିଛନ୍ତି, ‘ମଦ ବନ୍ଦ ନିଷ୍ପତ୍ତି ମୋର ଏକା ନଥିଲା । ସରକାର ସମେତ ବିରୋଧୀ ମଧ୍ୟ ଏହାକୁ ପୂର୍ଣ୍ଣ ସମର୍ଥନ ଦେଇଥିଲେ । ଏବେ ମୋ ଉପରେ ଦୋଷ ଲଗାଯାଉଛି । ମଦ ସ୍ବାସ୍ଥ୍ୟ ପ୍ରତି କେତେ ହାନୀକାରକ ସେ ସମ୍ପର୍କରେ ଲୋକଙ୍କୁ ସଚେତନ କରାଯିବା ଆବଶ୍ୟକ । ମଦ ବନ୍ଦକୁ ନେଇ ଲୋକଙ୍କ ମଧ୍ୟରେ ପୁଣି ବ୍ୟାପକ ସଚେତନତା ସୃଷ୍ଟି କରାଯିବ ।’ ଆସନ୍ତାକାଲିକୁ ନିତିଶ ଏକ ଉଚ୍ଚସ୍ତରୀୟ ବୈଠକ ଡକାଇଛନ୍ତି । ଏଥିରେ ମଦ ବନ୍ଦ ଆଇନର ସମୀକ୍ଷା କରାଯିବା ସହ ମଦମୃତ୍ୟୁକୁ ନେଇ ବିସ୍ତୃତ ଆଲୋଚନା କରାଯିବ । ରାଜ୍ୟ ସରକାରଙ୍କ ସବୁ ମନ୍ତ୍ରୀ ଏବଂ ଜିଲ୍ଲାପାଳ, ଏସପିମାନେ ବୈଠକରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।






More Stories
ଜାଣନ୍ତୁ ଚଳିତବର୍ଷର ବଜେଟ୍…..
ବଢିଲା ଏଲପିଜି ସିଲିଣ୍ଡର ଦର….
ରାଷ୍ଟ୍ରପତିଙ୍କୁ ଭେଟିଲେ ନିର୍ମଳା ସୀତାରମଣ……