Report Card Odisha

| Daily Odia News

୨୦ ସୁଦ୍ଧା ପ୍ରକାଶ ପାଇବ ସିବିଏସ୍‌ଇ ଦଶମ ପରୀକ୍ଷା ଫଳ…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ସିବିଏସ୍‌ଇ ପରିଚାଳିତ ଦଶମ ‌ଶ୍ରେଣୀ ପରୀକ୍ଷା ଫଳ ଆସନ୍ତା ୨୦ ତାରିଖ ସୁଦ୍ଧା ପ୍ରକାଶ ପାଇବା ସମ୍ଭାବନା ରହିଛି। ଅନୁବନ୍ଧିତ ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ଫଳ ପ୍ରକାଶନ ମଣ୍ଡଳୀ(କମିଟି) ନିୟମାବଳୀ ଅନୁଯାୟୀ ବିଦ୍ୟାର୍ଥୀଙ୍କ ନମ୍ବର ସିବିଏସ୍‌ଇ ୱେବସାଇଟ୍‌ରେ ଅପଲୋଡ୍‌ କରି ସାରିଛନ୍ତି। ତେବେ ନମ୍ବରକୁ ନେଇ ବୋର୍ଡ ପକ୍ଷରୁ ମୂଲ୍ୟାୟନ ପ୍ରକ୍ରିୟା ଚୂଡାନ୍ତ ସ୍ତରରେ ପହଞ୍ଚିଛି। ପରିଷଦ ପକ୍ଷରୁ ପୂର୍ବ ଘୋଷଣା ଅନୁସାରେ ମେ ୪ରୁ ଜୁନ୍ ୧୪ ମଧ୍ୟରେ ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷା ଅନୁଷ୍ଠିତ ହେବାର ଥିଲା। ଏଥିନିମନ୍ତେ ସିବିଏସ୍‌ଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା; କିନ୍ତୁ କରୋନା ଦ୍ବିତୀୟ ଲହର ସାରା ଦେଶରେ କାୟା ବିସ୍ତାର କରିବାରୁ ପରୀକ୍ଷାକୁ ନେଇ ଅନିଶ୍ଚିତତା ଦେଖାଦେଇଥିଲା। ପରବର୍ତ୍ତୀ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶିକ୍ଷା ଏବଂ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ଉଚ୍ଚପଦସ୍ଥ ଅଧିକାରୀଙ୍କୁ ନେଇ ପରୀକ୍ଷା ସଂକ୍ରାନ୍ତରେ ସମୀକ୍ଷା ବୈଠକ କରିଥିଲେ। ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ସ୍ବାସ୍ଥ୍ୟଗତ ସୁରକ୍ଷାକୁ ଦୃଷ୍ଟିରେ ରଖି ପରୀକ୍ଷାକୁ ବାତିଲ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ମୂଲ୍ୟାୟନ ପାଇଁ ସିବିଏସଇ ପକ୍ଷରୁ ଏକ ନିୟମାବଳୀ ପ୍ରସ୍ତୁତ ହୋଇଥିଲା। ପୂର୍ଣ୍ଣ ସଂଖ୍ୟା ୧୦୦ ନମ୍ବରରୁ ଆଭ୍ୟନ୍ତରୀଣ ମୂଲ୍ୟାୟନ (ଇଣ୍ଟରନାଲ ଆସେସମେଣ୍ଟ) ୨୦ ନମ୍ବର ଏବଂ ବିଷୟ ଭିତ୍ତିକରୁ ୮୦ ନମ୍ବରରୁ ହାରାହାରି ନମ୍ବର ନିଆଯିବ। ବିଦ୍ୟାଳୟ କର୍ତ୍ତୃପକ୍ଷ ଇଣ୍ଟରନାଲ ଆସେସମେଣ୍ଟର ୨୦ ନମ୍ବରରୁ ହାରାହାରି ନମ୍ବର ନେଇ ବିଦ୍ୟାର୍ଥୀଙ୍କୁ ନମ୍ବର ଦେଇଛନ୍ତି। ୮୦ ନମ୍ବରରୁ ହାରାହାରି ନମ୍ବର ଦିଆଯିବା ନିମନ୍ତେ ବିଦ୍ୟାର୍ଥୀଙ୍କ ଦଶମ‌ ଶ୍ରେଣୀ ପିରିଓଡିକ୍/ୟୁନିଟ (​ତ୍ରୈମାସିକ) ପରୀକ୍ଷାରୁ ୧୦ନମ୍ବର, ଷାଣ୍ମାସିକ ପରୀକ୍ଷାରୁ ୩୦ ନମ୍ବର ଏବଂ ପ୍ରି-ବୋର୍ଡ ପରୀକ୍ଷାରୁ ୪୦ ନମ୍ବରରୁ ହାରାହାରି ନମ୍ବର ନିଆଯାଇ ଛାତ୍ରଛାତ୍ରୀଙ୍କୁ ବିଷୟ ଭିତ୍ତିକ ନମ୍ବର ଦିଆଯିବ। ଯେଉଁ ଛାତ୍ରଛାତ୍ରୀ ଦଶମ ଶ୍ରେଣୀର ଏହି ପରୀକ୍ଷା ଦେଇ ନ ଥିବେ ସେମାନଙ୍କ ନବମ ଶ୍ରେଣୀର ତିନିଟି ବିଷୟର ରଖିଥିବା ସର୍ବାଧିକ ନମ୍ବରକୁ ନିଆଯାଇ ମାର୍କ ଦିଆଯିବ। ଏହି ନିୟମାବଳୀ ଅନୁସାରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଏବଂ ଫଳ ପ୍ରକାଶନ କମିଟି ନମ୍ବର ଅପଲୋଡ କରିଛନ୍ତି। ଫଳ ଜାଣିବା ନିମନ୍ତେ ପ୍ରାୟ ୧୦ ଲକ୍ଷ ସିବିଏସଇ ଦଶମ ଶ୍ରେଣୀ ବିଦ୍ୟାର୍ଥୀ ଚାହିଁ ବସିଛନ୍ତି। ଫଳ ପ୍ରକାଶ ପରେ ବିଦ୍ୟାର୍ଥୀ ଉଚ୍ଚଶିକ୍ଷା ନିମନ୍ତେ ନାମ ଲେଖାଇବେ। ୱେବସାଇଟ୍‌ (cbseresults.nic.in/cbse.gov.in) କୁ ଲଗଇନ କରି ବିଦ୍ୟାର୍ଥୀ ପରୀକ୍ଷା ଫଳ ଦେଖିପାରିବେ ବୋଲି ଜଣାପଡିଛି।

Breaking News