ରିପୋର୍ଟ କାର୍ଡ / ଭୁବନେଶ୍ବର
ରାଜ୍ୟ ସରକାର ଆଶା କରିଥିଲେ ଯେ ୨୦୧୬-୧୭ରୁ ୨୦୨୧-୨୨ ଅକ୍ଟୋବର ସୁଦ୍ଧା କେନ୍ଦ୍ରୀୟ ଅନୁଦାନ ଏବଂ କେନ୍ଦ୍ରୀୟ ଟିକସରୁ ରାଜ୍ୟ ଅଂଶ ବାବଦ ଅର୍ଥ ମିଶି ମୋଟ ୩ଲକ୍ଷ ୬୫ ହଜାର ୨୫୧ କୋଟି ୩୦ ଲକ୍ଷ ଟଙ୍କା ମିଳିବ। ରିପୋର୍ଟ କହୁଛି, ଏହି ସମୟ ସୁଦ୍ଧା ଉଭୟ କ୍ଷେତ୍ରରୁ ମୋଟ୍ କେନ୍ଦ୍ରୀୟ ପ୍ରାପ୍ତିର ପରିମାଣ ୨ଲକ୍ଷ ୭୫ ହଜାର ୯୯୫ କୋଟି ୧୬ଲକ୍ଷ ଟଙ୍କା ମିଳିଛି। ଅର୍ଥାତ୍ ଏହି ସମୟ ସୁଦ୍ଧା କେନ୍ଦ୍ର ସରକାରଙ୍କ ସୂତ୍ରରୁ ରାଜ୍ୟକୁ ୮୯ହଜାର ୨୫୬ କୋଟି ୧୪ଲକ୍ଷ ଟଙ୍କା କମ୍ ମିଳିଛି। କେନ୍ଦ୍ରୀୟ ଟିକସ ପରିମାଣ କମିଥିବା ପରିପ୍ରେକ୍ଷୀରେ ରାଜ୍ୟ ଅଂଶ ହ୍ରାସ ପାଇବା ସ୍ବାଭାବିକ। ହେଲେ ଆଶ୍ଚର୍ଯ୍ୟଜନକ କଥା ହେଲା, ଏହି ସମୟ ମଧ୍ୟରେ କେନ୍ଦ୍ରୀୟ ଅନୁଦାନ ପାଖପାଖି ୫୫ ହଜାର ୧୩ କୋଟି ୩୮ଲକ୍ଷ ଟଙ୍କା ହ୍ରାସ ପାଇଛି। ଆର୍ଥିକ ବର୍ଷର ଶେଷ ପାଞ୍ଚମାସରେ କେନ୍ଦ୍ର ଆଉ ଯେତେ ଟଙ୍କା ଦେଲେ ବି ଏହି ପରିମାଣ ୩୦ ହଜାର କୋଟି ଟଙ୍କାରୁ ଅଧିକ ରହିବ ସିନା କମିବାର ପ୍ରଶ୍ନ ଉଠୁନାହିଁ। କେନ୍ଦ୍ର ସରକାର ସହଯୋଗଭିତ୍ତିକ ସଂଘୀୟ ବ୍ୟବସ୍ଥା କଥା କହୁଥିବା ବେଳେ ବର୍ଷକୁ ବର୍ଷ ଅନୁଦାନ ହ୍ରାସ ପାଇବା ଅର୍ଥନୀତି ବିଶେଷଜ୍ଞଙ୍କୁ ବିସ୍ମିତ କରୁଛି। କେଉଁ ପରିସ୍ଥିତିରେ ବିଭିନ୍ନ ଯୋଜନାର ଶଙ୍ଖି ଚିପି କେନ୍ଦ୍ର ସରକାର ଅନୁଦାନ ହ୍ରାସ କରୁଛନ୍ତି, ସେ ସଂକ୍ରାନ୍ତରେ କାହା ପାଖରେ ସନ୍ତୋଷଜନକ ଉତ୍ତର ନାହିଁ। ସବୁଠାରୁ ବଡ଼ କଥା ହେଲା, ରାଜ୍ୟ ସ୍ବାର୍ଥର ସୁରକ୍ଷା ତଥା କେନ୍ଦ୍ରୀୟ ଅବହେଳା କଥା କହି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବାଧୀନ ବିଜେଡି ସରକାର ଓ ଶାସକ ବିଜେଡି ତମ୍ବିତୋଫାନ କରୁଥିବା ବେଳେ ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ଯେଭଳି ପ୍ରତିକ୍ରିୟା ପ୍ରକାଶ କରିବା କଥା ତାହା ଏଯାଏ ପରିଲକ୍ଷିତ ହେଲାନାହିଁ।
Discussion about this post