Report Card Odisha

| Daily Odia News

ସମ୍ପତ୍ତି ବିବରଣୀ ନଦେଲେ ବଢ଼ିବନି ଦରମା, ହେବ କାର୍ଯ୍ୟାନୁଷ୍ଠାନ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ସର୍ବଭାରତୀୟ ସେବାରେ ରାଜ୍ୟରେ କାର୍ଯ୍ୟରତ ଅଫିସରମାନେ ଜାନୁୟାରୀ ୩୧ତାରିଖ ସୁଦ୍ଧା ନିଶ୍ଚିତ ଭାବେ ନିଜର ସମ୍ପତ୍ତି ବିବରଣୀ ଦାଖଲ କରିବେ । ଏହି ଅବଧି ମଧ୍ୟରେ ଯଦି କୌଣସି ଅଫିସର ଅନଲାଇନରେ ସମ୍ପତ୍ତି ବିବରଣୀ ପୈଠ କରିନଥିବେ ତାଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହାସହିତ ଦରମା ସହ ଉପର ପାହ୍ୟାକୁ ପଦୋନ୍ନତି ମିଳିବ ନାହିଁ । ଓଡ଼ିଶା କ୍ୟାଡ଼ରରେ କାର୍ଯ୍ୟରତ ସମସ୍ତ ଆଇଏଏସ୍‌, ଆଇପିଏସ୍ ଓ ଆଇଏଫଏସ୍ ଅଫିସରମାନଙ୍କୁ ଏ ସମ୍ପର୍କରେ ଆବଶ୍ୟକ ନିର୍ଦ୍ଦେଶନାମା ଜାରି କରିବାକୁ ମୁଖ୍ୟ ସଚିବଙ୍କୁ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି । ଚଳିତମାସ ୧୮ତାରିଖରେ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନାଙ୍କୁ ଲେଖିଥିବା ଚିଠିରେ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଦୀପ୍ତି ଉମାଶଙ୍କର ଉଲ୍ଲେଖ କରିଛନ୍ତି ଯେ, ସର୍ବଭାରତୀୟ ସେବା ରୁଲସ-୧୯୬୮ର ଧାରା ୧୬(୨) ଅନୁସାରେ ସର୍ବଭାରତୀୟ ସେବାରେ ଥିବା ସମସ୍ତ ସଦସ୍ୟ ନିଜର ବାର୍ଷିକ ସମ୍ପତ୍ତି ବିବରଣୀ ଏକ ନିର୍ଦ୍ଧାରିତ ଫର୍ମାଟରେ ଦାଖଲ କରିବାକୁ ବାଧ୍ୟ । ଜାନୁୟାରୀ ୩୧ତାରିଖ ସୁଦ୍ଧା ନିଜର ସମ୍ପତ୍ତି ବିବରଣୀ ଅନଲାଇନରେ ଦାଖଲ କରିବାକୁ ହେବ । ଯଦି କୌଣସି ଅଫିସର ଏହାକୁ ଅମାନ୍ୟ କରନ୍ତି ତାଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହାସହିତ ପରବର୍ତ୍ତୀ ପାହ୍ୟାକୁ ପଦୋନ୍ନତିବେଳେ ବାର୍ଷିକ ସମ୍ପତ୍ତି ବିବରଣୀ ଦାଖଲକୁ ବାଧ୍ୟତାମୂଳକ ପ୍ରାବଧାନ ଭାବେ ବିଚାର କରାଯିବ । ମନ୍ତ୍ରଣାଳୟ ପକ୍ଷରୁ ୨୦୧୬ ମସିହାରୁ ଅନଲାଇନରେ ସମ୍ପତ୍ତି ବିବରଣୀ ଦାଖଲ ବ୍ୟବସ୍ଥାକୁ ବାଧ୍ୟତାମୂଳକ କରାଯାଇଛି । ଜାନୁୟାରୀ ୩୧ତାରିଖ ପରେ ଏହି ଅନଲାଇନ୍ ମଡ୍ୟୁଲ ଆପେଆପେ ବନ୍ଦ ହୋଇଯିବ । ୨୦୨୩ ମସିହାର ସମ୍ପତ୍ତି ବିବରଣୀକୁ ଅଫିସରମାନେ ନିଶ୍ଚିତ ଭାବେ ଜାନୁୟାରୀ ୩୧ତାରିଖ ସୁଦ୍ଧା ଅପଲୋଡ୍ କରିବା ଜରୁରୀ । କୌଣସି ଅଫିସର ନିଜର କ୍ୟାଡ଼ର କିମ୍ବା କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟକୁ ସମ୍ପତ୍ତି ବିବରଣୀର ହାର୍ଡ କପି ପଠାଇବାର ଆବଶ୍ୟକତା ନାହିଁ ବୋଲି ସ୍ପଷ୍ଟ କରାଯାଇଛି ।୨୦୨୪ ଜାନୁୟାରୀ ସୁଦ୍ଧା ନିଜର ବାର୍ଷିକ ସମ୍ପତ୍ତି ବିବରଣୀ(୨୦୨୩ ମସିହାର)କୁ ଦାଖଲ କରିବା ପାଇଁ ସମସ୍ତ ଅଫିସରଙ୍କୁ ନିର୍ଦ୍ଦେଶ ଦେବାକୁ ମୁଖ୍ୟ ସଚିବଙ୍କୁ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଦୀପ୍ତି ଉମାଶଙ୍କର ଅନୁରୋଧ କରିଛନ୍ତି ।

Breaking News