Report Card Odisha

| Daily Odia News

ନୂତନ ଜ୍ଞାନକୌଶଳ ସହ ନିଜକୁ ବଦଳାଇଲେ ଦକ୍ଷତା ଓ ସ୍ବଚ୍ଛତା ଆସିବ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଜଳସମ୍ପଦ ବିଭାଗରେ ୧୦୬ଜଣ କନିଷ୍ଠ ଯନ୍ତ୍ରୀ ଯୋଗଦେଇଛନ୍ତି। ରାଜ୍ୟ ଷ୍ଟାଫ୍ ସିଲେକ୍ସନ କମିସନ୍‌ ଦ୍ବାରା ନବନିଯୁକ୍ତ ଇଞ୍ଜିନିୟରମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମୋଡ୍‌ରେ ସ୍ବାଗତ କରି କହିଛନ୍ତି ଯେ ନିଜକୁ ନୂଆ ଜ୍ଞାନକୌଶଳ ସହ ଖାପ ଖୁଆଇବାକୁ ପଡ଼ିବ। ଆପଣମାନେ ଟେକ୍ନୋକ୍ରାଟ ହୋଇଥିବାରୁ ମୁଁ ଆଶା କରିବି ଯେ ନୂତନ ଜ୍ଞାନକୌଶଳ ସହ ନିଜକୁ ବଦଳାଇଲେ ଆପଣମାନଙ୍କ କାମରେ ଦକ୍ଷତା ଓ ସ୍ବଚ୍ଛତା ଆସିବ। ଏହାଦ୍ବାରା ଆମର ୫ଟି ପଦକ୍ଷେପର ସୁଫଳ ମିଳିବ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଜଳସମ୍ପଦ ବିଭାଗ ୩୦ଟି ନଦୀ ଗର୍ଭରେ ଜଳ ଭଣ୍ଡାର ନିର୍ମାଣ କରୁଛି। ଆଗାମୀ ଦିନରେ ବିଭିନ୍ନ ନଦୀରେ ଆଉ ୧୬ଟି ଏହିଭଳି ପ୍ରକଳ୍ପ ହେବ। ଏହାଦ୍ବାରା କେବଳ ନଦୀର ଜଳକୁ ସଂରକ୍ଷଣ କରାଯିବନି ବରଂ ଗ୍ରାମାଞ୍ଚଳକୁ ପାନୀୟ ଜଳ ଯୋଗାଣ ସହ ଭୂତଳ ଜଳ ସ୍ତର ବଢ଼ାଯାଇପାରିବ। ଓଡ଼ିଶା ଏକ କୃଷିଭିତ୍ତିକ ରାଜ୍ୟ ହୋଇଥିବା ବେଳେ କୃଷକମାନଙ୍କୁ ଜଳସେଚନ ସୁବିଧା ଯୋଗାଇବାରେ ଏହି ବିଭାଗର ଭୂମିକା ଗୁରୁତ୍ବପୂର୍ଣ୍ଣ। ଏହାବ୍ୟତୀତ ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟକୁ ବୈଜ୍ଞାନିକ ପଦ୍ଧତିରେ ଜଳ ଭଣ୍ଡାରଗୁଡ଼ିକର ପରିଚାଳନା କରି ଧନଜୀବନ ରକ୍ଷା କରିବା ଆମର ଦାୟିତ୍ବ। ଆମ ରାଜ୍ୟରେ ଅଢ଼େଇ ହଜାରରୁ ଅଧିକ ଡ୍ୟାମ୍ ଥିବାବେଳେ ଏବେ ଲୋୟର ସୁକତେଲ, ଦେଓ, କାନପୁର ଏବଂ ଘଟକେଶ୍ବର ଡ୍ୟାମ କାମ ଆଗେଇଚାଲିଛି। ଜଳସମ୍ପଦର ଗୁରୁତ୍ବକୁ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଥିଲେ, ଜନସଂଖ୍ୟା ବଢ଼ିବା ସହ ଜଳ ଏକ ଅଭାବୀ ଉତ୍ସ ଭାବେ ପରିଗଣିତ ହେଲାଣି। ଏହି ପରିପ୍ରେକ୍ଷୀରେ ଜଳସମ୍ପଦ ବିଭାଗର ଇଞ୍ଜିନିୟରମାନଙ୍କୁ ପାନୀୟ ଜଳ, ଜଳସେଚନ, ଜଳବିଦ୍ୟୁତ ଶକ୍ତି, ଶିଳ୍ପ, ମାଛ ଚାଷ ଏବଂ ପରିବେଶ ସନ୍ତୁଳନ ପାଇଁ ଜଳ ସଂରକ୍ଷଣ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ହେବ। ମେକାନିକାଲ ଇଞ୍ଜିନିୟରମାନଙ୍କ ଭୂମିକା ନେଇ ମୁଖ୍ୟମନ୍ତ୍ରୀ କହିଥିଲେ, ଯଦିଓ ସିଭିଲ୍ ଇଞ୍ଜିନିୟରମାନେ ନିର୍ମାଣ କାର୍ଯ୍ୟ କରିବେ କିନ୍ତୁ ମେକାନିକାଲ ଇଞ୍ଜିନିୟରମାନେ ହାଇଡ୍ରୋଲିକ୍ ଷ୍ଟ୍ରକଚରରେ ଯନ୍ତ୍ରାଂଶ ଖଞ୍ଜିବା, ଗେଟ୍ ନିର୍ମାଣ, ଏହାର ପରିଚାଳନା ଓ ରକ୍ଷଣାବେକ୍ଷଣ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବେ। ଏହି ଅବସରରେ ଜଳସମ୍ପଦ ବିଭାଗ ମନ୍ତ୍ରୀ ଟୁକୁନି ସାହୁ କହିଥିଲେ, ମୁଖ୍ୟମନ୍ତ୍ରୀ ସର୍ବଦା ମହିଳା ସଶକ୍ତୀକରଣକୁ ଗୁରୁତ୍ବ ଦେଇଆସୁଛନ୍ତି। ନବନିଯୁକ୍ତ ଯନ୍ତ୍ରୀମାନେ ରାଜ୍ୟ ସରକାରଙ୍କ ପଦକ୍ଷେପଗୁଡ଼ିକର ଲାଭ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଯଥାସମ୍ଭବ ଉଦ୍ୟମ କରିବେ। ନବନିଯୁକ୍ତ ଇଞ୍ଜିନିୟରମାନେ ପ୍ରତିଶ୍ରୁତିବଦ୍ଧତା ଏବଂ ସ୍ବଚ୍ଛତାର ସହ କାମ କରିବାକୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ପରାମର୍ଶ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଭି.କେ ପାଣ୍ଡିଆନ ଇଞ୍ଜିନିୟରମାନଙ୍କୁ ପରାମର୍ଶ ଦେଇ କହିଥିଲେ ଯେ ଯେହେତୁ ତୁମେମାନେ କେବଳ ଯୋଗ୍ୟତା ଭିତ୍ତିକ ନିଯୁକ୍ତି ପ୍ରକ୍ରିୟା ଦେଇ ଆସିଛ ତେଣୁ ସର୍ବଦା ନିଜ ଯୋଗ୍ୟତା ଉପରେ ପୂର୍ଣ୍ଣ ବିଶ୍ବାସ ରଖିବ। ନିର୍ଭୟ ହୋଇ କୌଣସି ଅନୁଗ୍ରହ ବିନା କାମ କରିବାକୁ ସେ ପରାମର୍ଶ ଦେଇଥିଲେ। ଜଳସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସ୍ବାଗତ ଭାଷଣ ଦେଇଥିବାବେଳେ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ନବନିଯୁକ୍ତ ଇଞ୍ଜିନିୟରମାନେ ସେମାନଙ୍କ ଅଭିଜ୍ଞତା କହିଥିଲେ।

Breaking News