Report Card Odisha

| Daily Odia News

ଧାନ ସଂଗ୍ରହ ପ୍ରକ୍ରିୟାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟରେ ଧାନ ସଂଗ୍ରହ ପ୍ରକ୍ରିୟାର ସମୀକ୍ଷା କରିଛନ୍ତି। ଲୋକସେବା ଭବନରେ ଆୟୋଜିତ ଏହି ସମୀକ୍ଷା ବେଳେ ଧାନ ସଂଗ୍ରହ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ଏବଂ ଚାଷୀ ମାନଙ୍କ ଅଭିଯୋଗର ତୁରନ୍ତ ସମାଧାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ମଣ୍ଡିରେ ଚାଷୀମାନଙ୍କ ପାଇଁ ଖାଦ୍ୟ, ପାଣି ଓ ଟଏଲେଟର ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଛନ୍ତି। ଦଲାଲମାନଙ୍କ ଉପରେ ତୀକ୍ଷ୍ଣ ନଜର ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଜି ନୂଆ ସରକାର ଗଠନର ଛଅ ମାସ ପୂରଣ ହେଉଛି। ପିଏମ୍‌ କିଷାନ ଓ ସିଏମ୍‌ କିଷାନ ସହିତ ୮୦୦ ଟଙ୍କା ଇନ୍‌ପୁଟ ସହାୟତାରେ ଧାନ କିଣା ବ୍ୟବସ୍ଥା ଚାଷୀଙ୍କ ସଶକ୍ତୀକରଣ କ୍ଷେତ୍ରରେ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ। ଏହା ଦ୍ବାରା ୧୭ ଲକ୍ଷରୁ ଅଧିକ ଚାଷୀ ଲାଭବାନ ହୋଇପାରିବେ। ଏଣୁ, ଧାନ ସଂଗ୍ରହ କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ଭାବେ ଦକ୍ଷତାର ସହିତ ତ୍ରୁଟିଶୂନ୍ୟ ଭାବେ କାର୍ଯ୍ୟକାରୀ କରାଯିବା ଆବଶ୍ୟକ। କୌଣସି ପରିସ୍ଥିତିରେ ଚାଷୀମାନେ କୌଣସି ଅସୁବିଧାର ସମ୍ମୁଖୀନ ହେବା ଉଚିତ୍‌ ନୁହେଁ। ରାଜ୍ୟରେ ବର୍ତ୍ତମାନ ବରଗଡ, ନୂଆପଡା, ସମ୍ବଲପୁର, କଳାହାଣ୍ଡି, ବଲାଙ୍ଗିର, ଝାରସୁଗୁଡା, ନବରଙ୍ଗପୁର, ସୁବର୍ଣ୍ଣପୁର ଓ କୋରାପୁଟ ଆଦି ୯ଟି ଜିଲ୍ଲାରେ ଧାନ ସଂଗ୍ରହ ଆରମ୍ଭ ହୋଇଛି।ବର୍ତ୍ତମାନ ସୁଦ୍ଧା ଏହି ୯ଟି ଜିଲ୍ଲାର ୩୭,୦୭୯ ଜଣ ଚାଷୀ ୧,୮୧,୧୯୬ ମେଟ୍ରିକଟନ୍‌ ଧାନ ବିକ୍ରି କରିଛନ୍ତି। ଏହି ଚାଷୀମାନଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟଭାବେ ୩୨୩.୭୩ କୋଟି ଓ ଇନ୍‌ପୁଟ୍ ସହାୟତା ଭାବେ ୧୧୨.୬୧ କୋଟି ଟଙ୍କା ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ତ୍ରୁଟିଶୂନ୍ୟ ଧାନ ସଂଗ୍ରହ ପାଇଁ ବ୍ୟବସ୍ଥା ଗ୍ରହଣ, ମନିଟରିଂ, ଚାଷୀଙ୍କ ସମସ୍ଯାର ତୁରନ୍ତ ସମାଧାନ, ଚାଷୀମାନଙ୍କ ପାଇଁ ମଣ୍ଡି ନିକଟରେ କ୍ୟାଣ୍ଟିନ୍‌, ପାନୀୟ ଜଳ ଓ ଶୌଚାଳୟର ବ୍ୟବସ୍ଥାକୁ ଗୁରୁତ୍ଵ ଦେବା ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛି। ଚାଷୀଙ୍କ ସଶକ୍ତିକରଣ ଆମ ସରକାରର ଦାୟିତ୍ଵ ଏବଂ ଲକ୍ଷ୍ୟ, ଏହାକୁ ଗୁରୁତ୍ଵ ଦେଇ ଆମ ସରକାର କାର୍ଯ୍ୟ କରୁଛନ୍ତି।

Breaking News