Report Card Odisha

| Daily Odia News

ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ୬ ନିର୍ଦ୍ଦେଶ…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ଖରିଫ ଋତୁ ପାଇଁ ସାର ଉପଲବ୍ଧତା ଓ ସୁଷମ ବଣ୍ଟନ ଉପରେ ଗୁରୁତ୍ବ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ଶୁକ୍ରବାର ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି। ସାରର ‘ଅନ୍ତିମ ବ୍ୟକ୍ତିକୁ ଯୋଗାଣ’ ବ୍ୟବସ୍ଥା ଉପରେ ସେ ଗୁରୁତ୍ବ ଦେଇଛନ୍ତି। ପ୍ରତ୍ୟେକ ଚାଷୀ, କ୍ଷୁଦ୍ର ହୁଅନ୍ତୁ ବା ନାମମାତ୍ର, ସମସ୍ତେ ଯେପରି ଆବଶ୍ୟକତା ଅନୁଯାୟୀ ସାର ପାଇବେ, ତାହା ସୁନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି। ମଧ୍ୟପ୍ରାଚ୍ୟ ଯୁଦ୍ଧ ପରିସ୍ଥିତି ଯୋଗୁଁଁ ସାର ପ୍ରସ୍ତୁତି ବାଧାପ୍ରାପ୍ତ ହୋଇଛି। ଖରିଫ ଋତୁରେ ଚାଷୀ ଉଚିତ୍ ମୂଲ୍ୟରେ ଆବଶ୍ୟକତା ଅନୁଯାୟୀ ସାର ପାଇବା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଶୁକ୍ରବାର ଜିଲ୍ଲାପାଳମାନଙ୍କ ସହ ଆଭାସି ଜରିଆରେ ଆଲୋଚନା କରିବା ସହ ଏଦିଗରେ ପଦକ୍ଷେପ ନେବାକୁ ନିର୍ଦେଶ ଦେଇଛନ୍ତି। କୃଷି ବିଭାଗର ସଚିବ ସଚିନ ରାମଚନ୍ଦ୍ର ଯାଦବ କହିଲେ ଯେ, ରାଜ୍ୟକୁ ଚଳିତବର୍ଷ କେନ୍ଦ୍ର ସରକାର ୧୧,୪୨,୯୫୦ ମେଟ୍ରିକ ଟନ୍‌ର ସାର ଯୋଗାଇବେ। ଏପ୍ରିଲ୍‌ ପାଇଁ ୭୯,୬୩୦ ମେଟ୍ରିକ ଟନ ସାର ଆବଶ୍ୟକ ଥିବାବେଳେ ଏପ୍ରିଲ ୧୫ ସୁଦ୍ଧା ୩,୬୧,୪୯୦ ମେଟ୍ରିକ ଟନ୍‌ ସାର ଉପଲବ୍ଧ ଅଛି। ରାଜ୍ୟରେ ସାର ପାଇକାରୀ ବିକ୍ରେତାଙ୍କ ସଂଖ୍ୟା ୧୦୨୯ ଥିବାବେଳେ ଖୁଚୁରା ବିକ୍ରେତାଙ୍କ ସଂଖ୍ୟା ୧୨,୦୯୩ ଅଛି। ବିଭିନ୍ନ କମ୍ପାନୀଙ୍କ ପକ୍ଷରୁ ସାର ଯୋଗାଣ ମଧ୍ୟ ଠିକ୍ ରହିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଡିଲର ପଏଣ୍ଟ ଯାଞ୍ଚ କରାଯାଇ ୬ଟି ଲାଇସେନ୍ସ ବାତିଲ୍ କରାଯାଇଛି। ବୈଠକରେ ସୂଚନା ଦିଆଯାଇଥିଲା ଯେ, କେନ୍ଦ୍ର ସରକାରଙ୍କ ସାର ବିଭାଗ ପକ୍ଷରୁ ଏକ ଇଣ୍ଟିଗ୍ରେଟେଡ୍ ଫର୍ଟିଲାଇଜର ମ୍ୟାନେଜମେଣ୍ଟ ସିଷ୍ଟମ (ଆଇଏମଏଫଏସ) ଆରମ୍ଭ କରାଯାଇଛି। ଏଥିରେ ପ୍ରତ୍ୟେକ ଜିଲାର ଦୈନିକ ସାର ଉପଲବ୍ଧତା ଓ ଆବଣ୍ଟନ ସମ୍ପର୍କରେ ସୂଚନା ପ୍ରଦାନ କରାଯାଉଛି। ଜିଲ୍ଲାପାଳମାନଙ୍କ ସହିତ ସାର ଯୋଗାଣ ସ୍ଥିତି ସମ୍ପର୍କରେ ଆଲୋଚନା କରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଲେ, ରାଜ୍ୟରେ ବର୍ତ୍ତମାନ ୧.୭୭ ଲକ୍ଷ ମେଟ୍ରିକ ଟନ ୟୁରିଆ ଓ ୬୦ ହଜାର ମେଟ୍ରିକ ଟନ୍‌ରୁ ଅଧିକ ଡିଏପି ସାର ମହଜୁଦ ଅଛି। ସେ କହିଲେ, ଛୋଟ ଚାଷୀ ହେଉ ବା ନାମମାତ୍ର, ବର୍ତ୍ତମାନ ସମୟରେ ପ୍ରତ୍ୟେକ ଚାଷୀ ଯେପରି ଆବଶ୍ୟକତା ଅନୁସାରେ ସାର ପାଇବେ ତାହା ଜିଲାପାଳମାନେ ସୁନିଶ୍ଚିତ କରନ୍ତୁ। ଏଥିପାଇଁ ମୁଖ୍ୟମନ୍ତ୍ରୀ ୬ଟି ଗୁରୁତ୍ବପୂର୍ଣ୍ଣ ନିର୍ଦେଶ ଦେଇଛନ୍ତି। କଳାବଜାର ଓ ସାର ମହଜୁଦକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ, ପାଇକାରୀ ଓ ଖୁଚୁରା ବିକ୍ରେତାଙ୍କ ଗୋଦାମକୁ ଯାଞ୍ଚ୍‌ କରିବା, ବେନିୟମ ସାର ମହଜୁଦକାରୀଙ୍କ ବିରୋଧରେ ଏତଲା କରି ସେମାନଙ୍କ ଲାଇସେନ୍ସ ବାତିଲ, ଯେପରି ପଡ଼ୋଶୀ ରାଜ୍ୟକୁ ସାର ଚୋରାଚାଲାଣ ନହୁଏ ସେଥିପାଇଁ ପୁଲିସ ଓ କୃଷି ବିଭାଗ ମିଳିତ ଭାବେ ସୀମାନ୍ତ ଅଞ୍ଚଳର ଚେକପୋଷ୍ଟଗୁଡ଼ିକ ଉପରେ ନଜର ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେବା ସହ ପ୍ରତ୍ୟେକ ସନ୍ଦେହଜନକ ଗାଡ଼ିର ଯାଞ୍ଚ ଜରୁରୀ ବୋଲି କହିଥିଲେ। ବେଳେବେଳେ ଶିଳ୍ପ କ୍ଷେତ୍ରରେ ରେଜିନ୍, ପ୍ଲାଇଉଡ କିମ୍ବା ପଶୁଖାଦ୍ୟ ଶିଳ୍ପକୁ ଚାଷପାଇଁ ଉଦ୍ଦିଷ୍ଟ ରିଆତିଯୁକ୍ତ ୟୁରିଆ ଚୋରାଚାଲାଣ ହେବାର ଆଶଙ୍କା ଥାଏ। ଜିଲାସ୍ତରୀୟ ଟାସ୍କଫୋର୍ସଗୁଡ଼ିକ ଏହାର ଯାଞ୍ଚ କରିବା ପାଇଁ ସେ ନିର୍ଦେଶ ଦେଇଥିଲେ। ପଞ୍ଚାୟତସ୍ତରରେ ସାରର ଉପଲବ୍ଧତା ଏବଂ ଯୋଗାଣ ବ୍ୟବସ୍ଥାକୁ ସୁନିୟନ୍ତ୍ରିତ କରିବା ପାଇଁ ପ୍ରତ୍ୟେକ ପଞ୍ଚାୟତରେ ନିରୀକ୍ଷଣ ସମିତି ଗଠନ କରାଯାଉଛି। ସୂଚନାଯୋଗ୍ୟ, ରାଜ୍ୟରେ ୬୭୯୪ଟି ଗ୍ରାମ ପଞ୍ଚାୟତ ଥିବାବେଳେ ତନ୍ମଧ୍ୟରୁ ୬୨୨୯ଟି ପଞ୍ଚାୟତରେ ଏହା ଗଠନ କରାଯାଇଛି। ୫୬୫ଟି ପଞ୍ଚାୟତରେ ଦୁଇ-ତିନି ଦିନ ମଧ୍ୟରେ ତାହା ସମ୍ପୂର୍ଣ୍ଣ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ସରକାରୀ ଯୋଜନାର ସୁଫଳ ଲାଗି ବର୍ତ୍ତମାନ ସୁଦ୍ଧା ୪୪ ଲକ୍ଷ ଚାଷୀଙ୍କ ମଧ୍ୟରୁ ୧୫ ଲକ୍ଷ ଚାଷୀଙ୍କ ଡିଜିଟାଲ ଫାର୍ମର ଆଇଡି କରାଯାଇଛି। ଏହାକୁ ମିଶନ ମୋଡ୍‌ରେ କାର୍ଯ୍ୟକାରୀ କରି ସମ୍ପୂର୍ଣ୍ଣ କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଚାଷୀଙ୍କୁ ୟୁରିଆ ପରି ଅଧିକ କେମିକାଲ ସାର ବ୍ୟବହାର ନ କରି ସନ୍ତୁଳିତ ସାର ପ୍ରୟୋଗ କରିବା ପାଇଁ ସଚେତନତା କାର୍ଯ୍ୟକ୍ରମ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ବୈଠକରେ କୃଷି ମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କହିଲେ, କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ମଝିରେ ମଝିରେ ସାର ସମ୍ପର୍କରେ ପରାମର୍ଶ ଦେଉଛନ୍ତି। କୃଷି ବିଭାଗ ଅଧିକାରୀମାନେ ଏହାକୁ ଅନୁସରଣ କରିବା ଆବଶ୍ୟକ। ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଅଧିକାରୀମାନଙ୍କୁ ସାର ବଣ୍ଟନ ବ୍ୟବସ୍ଥା ସୁନିୟନ୍ତ୍ରିତ କରିବା ପାଇଁ ପରାମର୍ଶ ଦେଇଥିଲେ। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ସମବାୟ ବିଭାଗ ସଚିବ ରାଜେଶ ପ୍ରଭାକର ପାଟିଲ୍ ଏବଂ କୃଷି ଓ ସମବାୟ ବିଭାଗର ବରିଷ୍ଠ ଅଧିକାରୀ ବୈଠକରେ ଉପସ୍ଥିତ ଥିଲେ।

Breaking News