ରିପୋର୍ଟ କାର୍ଡ / ଭୁବନେଶ୍ବର
ଆସନ୍ତା ୨୭ ତାରିଖରେ ଶ୍ରୀରାମ ନବମୀ ଉତ୍ସବ ପାଳିତ ହେବାକୁ ଯାଉଥିବାରୁ ସାରା ରାଜ୍ୟରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ପୋଲିସ ପ୍ରଶାସନକୁ ଦୃଢ଼ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଙ୍ଗଳବାର ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ କହିଲେ ମର୍ଯ୍ୟାଦା ପୁରୁଷ ଶ୍ରୀରାମ ଚନ୍ଦ୍ରଙ୍କ ସ୍ୱନକ୍ଷତ୍ର ଦିବସକୁ ଶ୍ରୀରାମ ନବମୀ ଭାବରେ ସାରା ଦେଶରେ ଅତ୍ୟନ୍ତ ଭକ୍ତି ଓ ଶ୍ରଦ୍ଧାର ସହ ପାଳିତ କରାଯାଏ। ଆଧ୍ୟାତ୍ମିକତାର ଏହି ପର୍ବ ଓଡ଼ିଶାରେ ଭକ୍ତ ଓ ଶ୍ରଦ୍ଧାଳୁ ଯେପରି ବିନା କୌଣସି ଦ୍ୱିଧାରେ ସମ୍ପୂର୍ଣ୍ଣ ଭାବେ ଶାନ୍ତିର ସହ ପାଳନ କରିବେ ତାହା ସୁନିଶ୍ଚିତ କରିବା ପୋଲିସ ପ୍ରଶାସନର ଦାୟିତ୍ୱ। ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବ୍ୟାପକ ପୋଲିସ ମୁତୟନ ସହ ଉପଯୁକ୍ତ ପରିଚାଳନା ମାଧ୍ୟମରେ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଥିଲେ। ବୈଠକରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଉପଦେଷ୍ଟା ପ୍ରକାଶ ମିଶ୍ର, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ପୋଲିସ ମହାନିର୍ଦେଶକ ୱାଇ.ବି. ଖୁରାନିଆ, ଆଇନ ଓ ଶୃଙ୍ଖଳା ଅତିରିକ୍ତ ପୋଲିସ ମହାନିର୍ଦେଶକ ସଞ୍ଜୟ କୁମାର, ଗୁଇନ୍ଦା ନିର୍ଦେଶକ ଆର୍.ପି. କୋଚେ, ପୋଲିସ ଆୟୁକ୍ତ ଦେବଦତ୍ତ ସିଂହ ପ୍ରମୁଖ ଉପସ୍ଥିତ ଥିଲେ।






More Stories
୬ରୁ ସକାଳୁଆ କୋର୍ଟ……
ବିଦ୍ୟୁତଗ୍ରାହକଙ୍କ ପାଇଁ ଖୁସିଖବର:ବଢ଼ିବନି ବିଲ୍…..
ସରକାରଙ୍କ ଉପରେ ବର୍ଷିଲେ ନବୀନ…..