ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଅରୁଣାଚଳ ପ୍ରଦେଶର ୩୦ ଅଞ୍ଚଳର ନାମକରଣ କରିଛି ଚୀନ୍ | ଭାରତର ଆପତ୍ତି ସତ୍ତ୍ବେ ଚୀନ୍ର ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ଙ୍କ ସରକାର ଅରୁଣାଚଳ ପ୍ରଦେଶ ଉପରେ ନିଜର ଅଧିକାର ସାବ୍ୟସ୍ତ କରିବାର ଅପଚେଷ୍ଟା କରୁଛନ୍ତି। ପୂର୍ବରୁ ଭାରତ ସରକାର ଚୀନ୍ର ଏଭଳି ହୀନ ଉଦ୍ୟମର କଡ଼ା ଜବାବ ଦେଇ ଅରୁଣାଚଳ ପ୍ରଦେଶ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ବୋଲି କହିବା ସହିତ କୌଣସି ଗଣତାନ୍ତ୍ରିକ ଦେଶର ଆଭ୍ୟନ୍ତରୀଣ ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ତାଗିଦ୍ କରିଥିଲେ। ତେବେ ଚୀନ୍ ନିଜର କାର୍ଯ୍ୟ ପୂର୍ବଭଳି ଜାରି ରଖି ଅରୁଣାଚଳ ପ୍ରଦେଶର ୩୦ ଅଞ୍ଚଳର ନାମକରଣ କରିଛି। ଚୀନ୍ ସରକାର ଏସବୁ ଅଞ୍ଚଳର ନାମକୁ ପରିବର୍ତ୍ତନ କରିଛନ୍ତି। ସାଉଥ୍ ଚାଇନା ମର୍ଣ୍ଣିଂପୋଷ୍ଟ୍ର ରିପୋର୍ଟ ଅନୁସାରେ ଚୀନ୍ର ନାଗରିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି। ଚୀନ୍ ଅରୁଣାଚଳ ପ୍ରଦେଶକୁ ନିଜର ଅଞ୍ଚଳ ଦାବି କରିବା ସହିତ ଏହାକୁ ଜାଙ୍ଗ୍ନାମ୍ ବୋଲି କହୁଛି। ଏହାକୁ ତିବ୍ବତ ସ୍ବତନ୍ତ୍ର ଅଞ୍ଚଳର ଏକ ଅଂଶ ବୋଲି ଚୀନ୍ ଦାବି କରୁଛି। ସାଉଥ୍ ଚାଇନା ମର୍ଣ୍ଣିଂପୋଷ୍ଟ୍ ଅନୁସାରେ ଚୀନ୍ର ନାଗରିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଭୌଗୋଳିକ ନାମର ପ୍ରବନ୍ଧନ ନେଇ ଷ୍ଟେଟ୍ କାଉନସିଲ ଅର୍ଥାତ୍ ଚୀନ୍ କ୍ୟାବନେଟ୍ ଦ୍ବାରା ପ୍ରାସଙ୍ଗିକ ପ୍ରାବଧାନ ଅଧାାରରେ ସମ୍ପୃକ୍ତ ବିଭାଗଗୁଡ଼ିକ ସହିତ ମିଳିତ ହୋଇ ଅରୁଣାଚଳ ପ୍ରଦେଶର କେତେକ ଭୌଗୋଳିକ ଅଞ୍ଚଳର ନାମକୁ ବଦଳାଇ ନୂତନ ନାମକରଣ କରାଯାଇଛି। ସେଥିମଧ୍ୟରେ ଅରୁଣାଚଳ ପ୍ରଦେଶର ୧୧ ଜିଲ୍ଲାର ୧୨ ପାହାଡ଼, ଏକ ହ୍ରଦ, ଏକ ପାହାଡ଼ିଆ ଗିରିପଥ ଏବଂ କେତେକ ଜମି ରହିଛି। ଏସବୁକୁ ତିବ୍ବତ ଭାଷାରେ ଚୀନ୍ ଅକ୍ଷର ଏବଂ ରୋମାନ୍ରେ ମାନ୍ଦାରିନ୍ ଭାଷା ଦ୍ବାରା ଲେଖାଯାଇ ଚିହ୍ନିତ କରାଯାଇଛି। ଏହି ଘଟଣାକୁନେଇ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି ଯେ ଯଦି ମୁଁ ଆଜି ଆପଣଙ୍କ ଘରର ନାମ ପରିବର୍ତ୍ତନ କରେ, ତେବେ ଏହା ମୋର ହୋଇଯିବ କି? ଅରୁଣାଚଳ ପ୍ରଦେଶ ଭାରତର ଏକ ରାଜ୍ୟ ଥିଲା, ଅଛି ଏବଂ ରହିବ । ନାମ ପରିବର୍ତ୍ତନ କଲେ କିଛି ହୋଇନଥାଏ କି ଏହାର କୌଣସି ପ୍ରଭାବ ପଡିନଥାଏ । ସେଠାରେ (ଏଲ୍ଏସିରେ) ଆମ ସେନା ମୁତୟନ ରହିଛି।ବେଜିଂ ଭାରତର ବିଭିନ୍ନ ସ୍ଥାନ ପାଇଁ ୩୦ ଟି ନୂଆ ନାମର ଚତୁର୍ଥ ତାଲିକା ପ୍ରକାଶ କରିବାର ଗୋଟିଏ ଦିନ ପରେ ଜୟଶଙ୍କର ଏହି ମନ୍ତବ୍ୟ ଦେଇଛନ୍ତି।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..