Report Card Odisha

| Daily Odia News

ବାଲେଶ୍ବରରେ ୧୮୦୬ କୋଟି ଟଙ୍କା ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଲେଶ୍ବର ଗସ୍ତ କରି ୧୮୦୬ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏଥିରେ ୩୭୪ କୋଟି ଟଙ୍କାର ପ୍ରକଳ୍ପ ଉଦ୍‌ଘାଟିତ ହୋଇଥିବା ବେଳେ ୧୪୩୧ କୋଟି ଟଙ୍କାର ପ୍ରକଳ୍ପ ପାଇଁ ଭିତ୍ତି ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ବାଲେଶ୍ବରର ସୋମନାଥପୁରଠାରେ ଏକ ନବନିର୍ମିତ ରେଳ ଓଭରବ୍ରିଜକୁ ମଧ୍ୟ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜିଲ୍ଲାର ୫୬୦୦ ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ୨୨୦ କୋଟି ଟଙ୍କାର ସହାୟତା ମଧ୍ୟ ପ୍ରଦାନ କରି ମିଶନ ଶକ୍ତି ମାଆମାନଙ୍କୁ ଉଦ୍ୟୋଗୀ ହେବା ପାଇଁ ଆହ୍ବାନ ଦେଇଛନ୍ତି ଏବଂ ଏହି ଆନ୍ଦୋଳନକୁ ଏକ ନୂଆ ସୋପାନକୁ ନେବା ପାଇଁ ଉଦ୍ୟମ କରିବାକୁ ପରାମର୍ଶ ଦେଇଛନ୍ତି। ଜିଲ୍ଲାର ୬୦ ହଜାର ମାଆମାନଙ୍କୁ ଏହି ସହାୟତା ମିଳିଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।ୱାନ ପଞ୍ଚାୟତ, ୱାନ ପ୍ରଡକ୍ଟ ଉପରେ ଗୁରୁତ୍ବାରୋପ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପ୍ରତ୍ୟେକ ପଞ୍ଚାୟତ ଯଦି ଗୋଟିଏ ଗୋଟିଏ ସ୍ବତନ୍ତ୍ର ଦ୍ରବ୍ୟ ଉତ୍ପାଦନ କରିପାରିବେ, ତେବେ ଏଥିପାଇଁ ବଜାର ସୃଷ୍ଟି ହେବାରେ ସୁବିଧା ହେବା ସହିତ ପ୍ରତ୍ୟେକ ପଞ୍ଚାୟତର ଏକ ସ୍ବତନ୍ତ୍ର ପରିଚୟ ମଧ୍ୟ ସୃଷ୍ଟି ହୋଇପାରିବ । ମାଆମାନେ ଓଡ଼ିଶାର ଶିଳ୍ପ ବିକାଶରେ ନୂଆ ଇତିହାସ ସୃଷ୍ଟି କରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି। ନବୀନ କହିଛନ୍ତି ଯେ, ଆଗାମୀ ୫ ବର୍ଷରେ ମାଆମାନଙ୍କୁ ବିନା ସୁଧରେ ୫୦ ହଜାର କୋଟି ଟଙ୍କାର ଋଣ ଦିଆଯିବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବାଲେଶ୍ବର ହେଉଛି ଏକ ଆଗୁଆ ଜିଲ୍ଲା। ଶିକ୍ଷା, ସାହିତ୍ୟ, ଶିଳ୍ପ, କୃଷି, ଭିତ୍ତିଭୂମି- ସବୁ କ୍ଷେତ୍ରରେ ବାଲେଶ୍ବର ଆଗୁଆ। ଆଜିର କାର୍ଯ୍ୟକ୍ରମ ବିକାଶର ଏହି ଧାରାକୁ ଆହୁରି ଆଗକୁ ନେବ ବୋଲି ସେ କହିଛନ୍ତି।ଏହି କାର୍ଯ୍ୟକ୍ରମରେ ଶିଳ୍ପ ଓ ଶକ୍ତି ମନ୍ତ୍ରୀ ପ୍ରତାପ ଦେବ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶ୍ବିନୀ ପାତ୍ର ଏବଂ ବାଲେଶ୍ବର ବିଧାୟକ ସ୍ବରୂପ ଦାସ ପ୍ରମୁଖ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ବାଲେଶ୍ବର ଜିଲ୍ଲାରେ ହୋଇଥିବା ଅନେକ ବିକାଶମୂଳକ କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରିଛନ୍ତି। ମେଡିକାଲ କଲେଜଠାରୁ ଆରମ୍ଭ କରି ରାସ୍ତାଘାଟ, ପାନୀୟ ଜଳ, ସ୍ବାସ୍ଥ୍ୟ କଲ୍ୟାଣ କାର୍ଯ୍ୟକ୍ରମ ସବୁ କ୍ଷେତ୍ରରେ ବାଲେଶ୍ବର ଜିଲ୍ଲାରେ ଉଲ୍ଲେଖନୀୟ କାର୍ଯ୍ୟ ହେଉଛି ବୋଲି  କହିଛନ୍ତି। ମିଶନ ଶକ୍ତି କାର୍ଯ୍ୟକ୍ରମ ଦ୍ବାରା ମାଆମାନଙ୍କୁ ନୂଆ ପରିଚୟ ମିଳିପାରିଛି ବୋଲି ସେମାନେ ମତବ୍ୟକ୍ତ କରିଛନ୍ତି |

 

 

 

 

Breaking News