Report Card Odisha

| Daily Odia News

ସ୍କୁଲ ଶିକ୍ଷକଙ୍କୁ ନିଯୁକ୍ତି ପତ୍ର ଦେଲେ ମୁଖ୍ୟମନ୍ତ୍ରୀ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୧୯ହଜାର ୯ଜଣ କନିଷ୍ଠ ଶିକ୍ଷକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି । ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ପ୍ରଥମଥର ପାଇଁ ଏତେ ସଂଖ୍ୟକ ନିଯୁକ୍ତି ପତ୍ର ଏକକାଳୀନ ପ୍ରଦାନ କରାଯାଇଛି । ଆଜି କଳିଙ୍ଗ ଷ୍ଟାଡ଼ିୟମରେ ଆୟୋଜିତ ଏହି ନିଯୁକ୍ତି ସମାରୋହରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ, ଶିକ୍ଷକତା ହେଉଛି ଏ ଦୁନିଆରେ ସବୁଠୁ ମହତ କାର୍ଯ୍ୟ । ସବୁଠୁ ସମ୍ମାନସ୍ପଦ ବୃତ୍ତି । ନୂଆ ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କୁ ସେ ୫ଟି ପରାମର୍ଶ ଦେଇଛନ୍ତି । କଂଚାମାଟିକୁ ନିଜ ହାତର ସ୍ପର୍ଶରେ କୁମ୍ଭାର ଯେମିତି ସୁନ୍ଦର କୃତ୍ତି ନିର୍ମାଣ କରିଥାଏ, ଠିକ୍ ସେହିପରି ଏକ ନିଷ୍ପାପ ଶିଶୁକୁ ଦାୟିତ୍ୱସମ୍ପନ୍ନ ତଥା ଜ୍ଞାନୀଗୁଣୀ ଭାବେ ଗଢ଼ିବାର ଗୁରୁଦାୟିତ୍ୱ ଆପଣମାନଙ୍କ କାନ୍ଧରେ ରହିଛି । ଆମ ସରକାର ସର୍ବଦା କାମରେ ବିଶ୍ୱାସ କରେ । ଶିକ୍ଷାର ଉନ୍ନତିରେ ଦେଶର ଉନ୍ନତି । ତେଣୁ ସରକାରର ୧୦୦ଦିନର ପୂର୍ତ୍ତି ଅବସରରେ ଶିକ୍ଷା ବିଭାଗ ପାଇଁ ଅନେକ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଆଣିଛନ୍ତି । ପୂର୍ବ ସରକାର ଫାଇଭ-ଟି ସ୍କୁଲ ରୂପାନ୍ତରଣ ନାଁରେ ହାଇସ୍କୁଲଗୁଡ଼ିକରେ ଅଯଥା ଖର୍ଚ୍ଚ କରିଚାଲିଲେ । କିନ୍ତୁ ପ୍ରାଥମିକ ଶିକ୍ଷା ଉପରେ ଧ୍ୟାନ ଦେଲେ ନାହିଁ। ମୂଳରୁ ପିଲା ଦୁର୍ବଳ ହେଲେ ଉଚ୍ଚଶ୍ରେଣୀରେ ପାଠ ପଢ଼ିବାକୁ କ’ଣ ଯୋଗ୍ୟ ହୋଇପାରିବ କି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏଥିପାଇଁ ପ୍ରାଥମିକସ୍ତରରୁ ପିଲାଙ୍କୁ ଶିକ୍ଷାକ୍ଷେତ୍ରରେ ମଜଭୂତ କରିବା ପାଇଁ ଆମ ସରକାର ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା, ଡ୍ରପଆଉଟ ହାର କମାଇବା ପାଇଁ ମାଧୋ ସିଂ ହାତଖର୍ଚ୍ଚ ଯୋଜନାରେ ୫ହଜାର ଟଙ୍କାର ସହାୟତା ଓ ନିପୁଣ ଓଡ଼ିଶା ଭଳି ଅନେକ ଯୋଜନା କାର୍ଯ୍ୟକାରୀ କରିବେ ବୋଲି ସେ କହିଥିଲେ । ଏହି ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ ଓଡ଼ିଶାରେ ପ୍ରାୟ ୭୬.୪୯ଲକ୍ଷ ପିଲା ସ୍କୁଲରେ ପଢ଼ୁଛନ୍ତି । ସେମାନଙ୍କୁ ଶିକ୍ଷିତ ଓ ନିର୍ଭୀକ କରି ଗଢ଼ିତୋଳିବାର ଦାୟିତ୍ୱ ହେଉଛି ଶିକ୍ଷକମାନଙ୍କର । ଓଡ଼ିଶାରେ ଧନୀ ଲୋକ ନାହାନ୍ତି କିନ୍ତୁ ଜ୍ଞାନୀ ଲୋକଙ୍କ ଅଭାବ ନାହିଁ । ଆଗାମୀ ଦିନରେ ଜ୍ଞାନ ଆଧାରିତ ବିକଶିତ ଭାରତର ମୂଳକେନ୍ଦ୍ର ହେବେ ଶିକ୍ଷକସମାଜ ବୋଲି ସେ କହିଥିଲେ ।ଏହି କାର୍ଯ୍ୟକ୍ରମରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଓ ମୁଖ୍ୟ ସଚିବ ମନୋଜ ଆହୁଜା ପ୍ରମୁଖ ଯୋଗ ଦେଇଥିଲେ ।

Breaking News