Report Card Odisha

| Daily Odia News

ପୋଲିସର ମନ୍ତ୍ର ହେଉଛି ସେବା ଓ ସୁରକ୍ଷା,୨୨୯୮ ହୋମଗାର୍ଡଙ୍କୁ ପୁନଃ ନିଯୁକ୍ତି…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଜିଲ୍ଲାପାଳ ଓ ଏସ୍‌ପିଙ୍କ ମିଳିତ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମ‌ୋହନ ଚରଣ ମାଝୀ ସମ୍ବୋଧିତ କରି କହିଛନ୍ତି ମୋ ରାଜ୍ୟର ପୋଲିସ ବିଭାଗଠାରୁ ଅତ୍ୟନ୍ତ ଉଚ୍ଚକୋଟୀର ସେବା ମୁଁ ଆଶା କରୁଛି। ପୋଲିସର ମନ୍ତ୍ର ହେଉଛି ସେବା ଓ ସୁରକ୍ଷା | ଯାହାଦ୍ବାରା ଆଗାମୀ ଦିନରେ ମୁଁ ଗର୍ବର ସହିତ କହିପାରିବି ଯେ, ଓଡ଼ିଶାର ପୋଲିସ ବିଭାଗ ଦିନ ରାତି ୨୪ ଘଣ୍ଟା ଡ୍ୟୁଟିରେ ରହିଛନ୍ତି। ଲୋକସେବା ଭବନରେ ଅନୁଷ୍ଠିତ ହୋଇଥିବା ଏହି ସମ୍ମିଳନୀରେ ଉପସ୍ଥିତ ଆରକ୍ଷୀ ଅଧୀକ୍ଷକଙ୍କୁ ସମ୍ବୋଧନ ଜରିଆରେ ତାଗିଦ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଅପରାଧୀ ଯେଊଁ ପଦ ମର୍ଯ୍ୟାଦାରେ ଥିଲେ ବି କାର୍ଯ୍ୟାନୁଷ୍ଠାନ ହେବ । ବିଗତ ୨୨ ବର୍ଷ ଓଡ଼ିଶା ପାଇଁ ବିରାଟ କାଳଖଣ୍ଡ ଥିଲା । ୨୦୨୨ ପର୍ଯ୍ୟନ୍ତ ମହିଳା ବିରୋଧୀ ହିଂସା ଦଣ୍ଡହାର ମାତ୍ର ୯.୭୩% ରହିଛି। ଯାହା ଅତ୍ୟନ୍ତ ନୈରାଶ୍ୟଜନକ, ଆମ ସରକାର ଏହାକୁ ବରଦାସ୍ତ କରିବେ ନାହିଁ । ଏହା ସହିତ ମୁଖ୍ୟମନ୍ତ୍ରୀ ସପ୍ତାହକ ମଧ୍ୟରେ ମହିଳା ହିଂସା ତଥ୍ୟ ଲୋଡିଛନ୍ତି। ପୂର୍ବରୁ ମୁଖ୍ୟମନ୍ତ୍ରୀ ଆଇଏଏସ ଅଫିସରଙ୍କୁ ତାଗିଦ୍ କରିଥିବାବେଳେ ଏବେ ଆଇପିଏସ୍ ଅଫିସରଙ୍କୁ ମଧ୍ୟ ତାଗିଦ୍ କରିଛନ୍ତି। ପୋଲିସ କର୍ମଚାରୀଙ୍କ ଆଚରଣ ଏବଂ ଉଚ୍ଚାରଣ ଠିକ୍ ରହିବା ଉପରେ ସେ ଗୁରୁତ୍ବାରୋପ କରିଛନ୍ତି। ଥାନାକୁ ଆସୁଥିବା ଲୋକଙ୍କ ଅଭିଯୋଗ ଧୈର୍ଯ୍ୟର ସହ ଶୁଣିବାକୁ ସେ ପରାମର୍ଶ ଦେଇଛନ୍ତି । ଡାକ୍ତରଖାନା ଏବଂ ଥାନାକୁ ଲୋକେ ଆସିବାକୁ ଚାହିଁ ନ ଥାନ୍ତି। ଅପରାଧରେ ଲଗାମ ଲଗାଇବା ପାଇଁ ପୋଲିସ କର୍ମଚାରୀମାନେ ୮ଘଣ୍ଟିଆ ଡ୍ୟୁଟି ବଦଳରେ ସବୁବେଳେ ଡ୍ୟୁଟିରେ ରହିବାକୂ କହିଛନ୍ତି। ଅଭିଯୋଗକାରୀ ଯେତେବେଳେ ମଧ୍ୟ ଥାନାକୁ ଆସିଲେ ସେମାନଙ୍କ କଥା ଶୁଣିବାକୁ ସେ କହିଛନ୍ତି। ପୋଲିସ ଲୋକଙ୍କ ବନ୍ଧୁ ବୋଲି ଜନସଚେତନତା ଜରିଆରେ ଜଣାନ୍ତବାକୁ ସେ କହିଛନ୍ତି। ଥାନାରେ ଥିବା ମହିଳା ଓ ଶିଶୁ ଡେସ୍କକୁ ଅଧିକ କାର୍ଯ୍ୟଶୀଳ କରାଇବାକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ବାରୋପ କରିଛନ୍ତି। ଏଣିକି ପ୍ରତି ପୋଲିସ ପାଖରେ ବାଇକ୍‌ ରହିବ ବୋଲି ସେ କହିଛନ୍ତି। ଥାନାରେ ୨ଟି ଜିପ୍‌ ତଥା ଓଡ୍ରାଫ୍‌ ଟିମ୍‌ ମଧ୍ୟ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ବିଗତ ସରକାରରେ ହୋମଗାର୍ଡଙ୍କ ନିଯୁକ୍ତିକୁ ବନ୍ଦ କରାଯାଇଥିଲା। ବର୍ତ୍ତମାନର ସରକାରରେ ହୋମଗାର୍ଡଙ୍କ ନିଯୁକ୍ତିକୁ ଗୁରୁତ୍ୱ ଦିଆଯାଉଛି। ୨୨୯୮ ହୋମଗାର୍ଡଙ୍କୁ ପୁନଃ ନିଯୁକ୍ତି ଦିଆଯିବ ବୋଲି କହିଛନ୍ତି ମୋହନ ମାଝୀ। କାର୍ଯ୍ୟରତ ହୋମଗାର୍ଡଙ୍କ ମୃତ୍ୟୁ ହେଲେ କ୍ଷତିପୂରଣ ପ୍ରଦାନ ଓ ମୃତ୍ୟୁ ପରେ ପରିବାରର ଜଣଙ୍କୁ ଚାକିରି ଦେବାକୁ ମଧ୍ୟ ଯୋଜନା ଚାଲିଥିବା କହିଛନ୍ତି।

Breaking News