Report Card Odisha

| Daily Odia News

ବିକ୍ରମଦେବ ସ୍ବୟଂଶାସିତ ମହାବିଦ୍ୟାଳୟର ୭୫ ବର୍ଷ ପୂର୍ତ୍ତି ଉତ୍ସବରେ ମୁଖ୍ୟମନ୍ତ୍ରୀ…..

ରିପୋର୍ଟ କାର୍ଡ / ଜୟପୁର

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୟପୁରର ବିକ୍ରମଦେବ ସ୍ବୟଂଶାସିତ ମହାବିଦ୍ୟାଳୟର ୭୫ ବର୍ଷ ପୂର୍ତ୍ତି ଉତ୍ସବରେ ଯୋଗ ଦେଇଛନ୍ତି । ବିକ୍ରମଦେବ କଲେଜକୁ ବିଶ୍ବବିଦ୍ୟାଳୟ ମାନ୍ୟତା ପ୍ରଦାନକରାଯାଇଥିବା ନେଇ ଆଜି ମୁଖ୍ୟମନ୍ତ୍ରୀ ଉଦ୍‌ବୋଧନରେ ଛାତ୍ରଛାତ୍ରୀମାନଙ୍କୁ କହିଛନ୍ତି | ମୁଖ୍ୟମନ୍ତ୍ରୀ ବିକ୍ରମଦେବ ବିଶ୍ବବିଦ୍ୟାଳୟରେ ଏକ ଅତ୍ୟାଧୁନିକ ଅଡିଟୋରିଅମ ନିର୍ମାଣ କରାଯିବ ବୋଲି ଘୋଷଣା କରିଛନ୍ତି। ଏ ସଂପର୍କରେ ଅଧିକ ସୂଚନା ଦେଇ ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି.କେ. ପାଣ୍ଡିଆନ କହିଛନ୍ତି ଯେ, ଏହି ଅଡିଟୋରିଅମ ୧୦୦୦ ଆସନ ବିଶିଷ୍ଟ ହେବ ଏବଂ ଏଥିପାଇଁ ୮ କୋଟି ଟଙ୍କା ବିନିଯୋଗ କରାଯିବ। ଯୁବସମାଜ ଉପରେ ତାଙ୍କର ପୁରା ଆସ୍ଥା ରହିଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଆପଣମାନେ ଭଲ ପାଠ ପଢନ୍ତୁ ଏବଂ ସମାଜ ସହିତ ଯୋଡ଼ି ହୋଇ ରୁହନ୍ତୁ। ନିଜର ତଥା ନିଜ ପରିବାରର ଏବଂ ସାରା ଓଡ଼ିଶାର ସ୍ବପ୍ନ ପୂରଣ କରିବା ପାଇଁ ଉଦ୍ୟମ ଜାରି ରଖିବାକୁ ସେ ପରାମର୍ଶ ଦେଇଥିଲେ। କୋରାପୁଟ ତାଙ୍କ ପାଇ ସବୁବେଳେ ସ୍ବତନ୍ତ୍ର ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଭିତ୍ତିଭୂମିର ବିକାଶ ଜରିଆରେ କୋରାପୁଟର ବିକାଶ ପାଇଁ କାମ କରାଯାଉଛି। ଭିତ୍ତିଭୂମିର ଗୁରୁତ୍ବ ସଂପର୍କରେ ଉଦାହରଣ ଦେଇ ସେ କହିଛନ୍ତି, ଗୋଟିଏ ଗୁରୁପ୍ରିୟା ସେତୁ ଆଜି ସ୍ବାଭିମାନ ଅଞ୍ଚଳରେ ବିକାଶର ନୂଆ ଧାରା ଆଣିପାରିଛି। ଭିତ୍ତିଭୂମି ହିଁ ବିକାଶର ଆଧାର ବୋଲି ମତବ୍ୟକ୍ତ କରି ନବୀନ କୋରାପୁଟ ପାଇଁ ୧୫୯୬ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏଥିରେ ୨୦୭.୮୦ କୋଟି ଟଙ୍କାର ପ୍ରକଳ୍ପ ଉଦ୍‌ଘାଟିତ ହୋଇଥିବା ବେଳେ ୧୩୭୮.୪୦ କୋଟି ଟଙ୍କାର ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ସେତୁ, ସଡ଼କ, ପାନୀୟ ଜଳ, ଜଳସେଚନ, ବିଦ୍ୟୁତୀକରଣ ଓ ପର୍ଯ୍ୟଟନ ଆଦି ପ୍ରକଳ୍ପ କାମ କରାଯାଇଛି। ଏହା ବ୍ୟତୀତ ଜିଲାର ୧୨୩୫ ମିଶନ ଶକ୍ତି ଗୋଷ୍ଠୀକୁ ୫୦ କୋଟି ଟଙ୍କାର ସୁଧ ବିହୀନ ଋଣ ପ୍ରଦାନ କରାଯାଇଥିଲା। ମୁଖ୍ୟମନ୍ତ୍ରୀ କୋରାପୁଟ ପର୍ଯ୍ୟଟନ ଉପରେ ଆଧାରିତ ଏକ ସ୍ବତନ୍ତ୍ର ପୋଷ୍ଟାଲ କଭର ଉନ୍ମୋଚନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଅନୁସୂଚିତ ଜାତି ଓ ଜନଜାତି ବିକାଶ ମନ୍ତ୍ରୀ ଜଗନ୍ନାଥ ସାରକା, ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ, ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, କୋରାପୁଟ ବିଧାୟକ ରଘୁରାମ ପେଡାଲ, କୋରାପୁଟ ଜିଲା ପରିଷଦ ଅଧ୍ୟକ୍ଷା ସସ୍ମିତା ମେଲ୍ଲେକା ଏବଂ କୋରାପୁଟ ସ୍ବତନ୍ତ୍ର ବିକାଶ ପରିଷଦର ଅଧ୍ୟକ୍ଷ ଚନ୍ଦ୍ରଶେଖର ମାଝୀ ପ୍ରମୁଖ ସେମାନଙ୍କ ବକ୍ତବ୍ୟ ରଖି ମୁଖ୍ୟମନ୍ତ୍ରୀଙ୍କ ବିଶ୍ବବିଦ୍ୟାଳୟ ଘୋଷଣାକୁ ସ୍ବାଗତ କରିଥିଲେ।

Breaking News