Report Card Odisha

| Daily Odia News

ଆଜି କଂଗ୍ରେସ ଘେରିବ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଜି ପ୍ରଦେଶ କଂଗ୍ରେସ ଭବନରେ କର୍ମୀମାନଙ୍କୁ ଆକ୍ରମଣ ଘଟଣାର ବିଚାର ବିଭାଗୀୟ ତଦନ୍ତ ଏବଂ ଦୋଷୀ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ଉଦ୍ୟମ ଭଳି ଅପରାଧିକ ମାମଲା ସହିତ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛି କଂଗ୍ରେସ। ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଗତ ୧୦ରେ ବିଧାନସଭା ମୁହାଁ ହୋଇଥିବା ଛାତ୍ର କଂଗ୍ରେସ କର୍ମୀଙ୍କୁ ପୋଲିସ ମାଡ଼ ଘଟଣାକୁ ନେଇ କଂଗ୍ରେସ ଆସନ୍ତାକାଲି ରାଜ୍ୟର ସମସ୍ତ ଆରକ୍ଷୀ କାର୍ଯ୍ୟାଳୟ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛି। ପୋଲିସ ମାଡରେ ୧୦ ଜଣ କଂଗ୍ରେସ କର୍ମୀ ଆହତ ହୋଇଥିବା ବେଳେ ୩ ଜଣ ଛାତ୍ରଙ୍କ ମୁଣ୍ଡ ଫାଟିଥିଲା। ଏହା ପ୍ରତିବାଦରେ ରାଜ୍ୟର ସମସ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ସକାଳ ୯ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଦଳୀୟ କର୍ମୀ ଧାରଣାରେ ବସିବେ ବୋଲି ବରିଷ୍ଠ ନେତା ତଥା ପିସିସି ଗଣମାଧ୍ୟମ ଅଧ୍ୟକ୍ଷ ଗଣେଶ୍ୱର ବେହେରା କହିଛନ୍ତି। ପିସିିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିଷ୍ପତ୍ତି ଅନୁସାରେ ଆସନ୍ତାକାଲି ଦଳ ପକ୍ଷରୁ ଘେରାଉ କାର୍ଯ୍ୟକ୍ରମ କରାଯିବ । କଂଗ୍ରେସର ସମସ୍ତ ବରିଷ୍ଠ ନେତୃବୃନ୍ଦ, ସାଂସଦ, ବିଧାୟକ, ପୂର୍ବତନ ମନ୍ତ୍ରୀ, ପୂର୍ବତନ ବିଧାୟକ ଏବଂ ଲୋକସଭା ଓ ବିଧାନସଭା ଦଳୀୟ ପ୍ରାର୍ଥୀଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ପରାମର୍ଶ ଦିଆଯାଇଛି। ତତ୍ ସହିତ ଦଳର ସବୁ ଛାମୁଆ ସଂଗଠନର କର୍ମକର୍ତ୍ତା ଓ କର୍ମୀମାନଙ୍କୁ ସାମିଲ ହେବାକୁ କୁହାଯାଇଛି | କଂଗ୍ରେସର ଆନ୍ଦୋଳନ ଆହ୍ବାନକୁ ବିଚାରକୁ ନେଇ ପୁଲିସ ଶାନ୍ତିଶୃଙ୍ଖଳା ରକ୍ଷା କରିବାକୁ ସବୁପ୍ରକାର ବ୍ୟବସ୍ଥା ଗ୍ରହଣ କରିଛି।

Breaking News