ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆସାମର କଂଗ୍ରେସ ସାଂସଦ ଗୌରବ ଗୋଗୋଇଙ୍କ ପତ୍ନୀ ଏଲିଜାବେଥ ଗୋଗୋଇଙ୍କର ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ ସହିତ ସମ୍ପର୍କ ଥିବା ଅଭିଯୋଗ ହୋଇଛି। ଏଲିଜାବେଥ ବ୍ରିଟିଶ ନାଗରିକ ହୋଇଥିବାବେଳେ ଜଣେ ପାକିସ୍ତାନୀ ନାଗରିକ ଅଲି ତକୀର ଶେଖ୍ ତାଙ୍କ ସହିତ କାର୍ଯ୍ୟ କରୁଥିବା ସାମ୍ନାକୁ ଆସିଛି। ଏହା ଜଣାପଡ଼ିବା ପରେ ଆସାମ ପୁଲିସ ତକୀର ଏବଂ ଅନ୍ୟ କେତେଜଣଙ୍କ ନାମରେ ଭାରତୀୟ ନ୍ୟାୟ ସଂହିତା (ବିଏନଏସ) ଏବଂ ୟୁଏପିଏ(ବେଆଇନ କାର୍ଯ୍ୟକଳାପ ପ୍ରତିରୋଧ ଆଇନ) ଆଧାରରେ ମାମଲା ରୁଜୁ କରିଥିବା ନେଇ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମା ସୋମବାର ସୂଚନା ଦେଇଛନ୍ତି | ପୁଲିସ ମାମଲା ରୁଜୁ କରିବା ପରେ ସାଂସଦ ଗୌରବ ଗୋଗୋଇ ବିଜେପିକୁ ଟାର୍ଗେଟ କରି ସମାଲୋଚନା କରିଛନ୍ତି। ତାଙ୍କ ପତ୍ନୀ ଏଲିଜାବେଥଙ୍କର ଆଇଏସଆଇ ଲିଙ୍କ୍ ଥିବା ଅଭିଯୋଗ ଆସିବା ପରେ ସେ ଯେକୌଣସି ପ୍ରକାର ତଦନ୍ତକୁ ସାମ୍ନା କରିବାକୁ ପ୍ରସ୍ତୁତ ଥିବା କହିଛନ୍ତି। ହିମନ୍ତ କହିଛନ୍ତି ଯେ, ଗୌରବଙ୍କୁ ବିବାହ ପୂର୍ବରୁ ଏଲିଜାବେଥ କଲବର୍ନ(ବର୍ତ୍ତମାନ ଗୋଗୋଇ) ଜଣେ ଆମେରିକୀୟ ସିନେଟରଙ୍କ ପାଇଁ କାମ କରୁଥିଲେ। ପାକିସ୍ତାନର ଏକ ସଂଗଠନ ସହିତ ଉକ୍ତ ସିନେଟରଙ୍କର ଘନିଷ୍ଠ ସମ୍ପର୍କ ରହିଥିଲା। ଉକ୍ତ ସଂଗଠନଟି ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇର ଏକ ସହଯୋଗୀ ସଂସ୍ଥା। ଗୌରବ ଗୋଗୋଇଙ୍କୁ ଏକ ବଡ଼ ଭାରତ ବିରୋଧୀ ଷଡ଼ଯନ୍ତ୍ର ଦ୍ବାରା ଫସାଇ ଦିଆଯାଇଥାଇପାରେ ଅଥବା ବ୍ଲାକମେଲ କରାଯାଇଥାଇପାରେ ବୋଲି ହିମନ୍ତ କହିଛନ୍ତି। ଏହି ପ୍ରସଙ୍ଗ ରାଜନୀତିଠାରୁ ଊର୍ଦ୍ଧ୍ଵରେ ଏବଂ ଜାତୀୟ ସୁରକ୍ଷା ପ୍ରତି ଏହାର ଗମ୍ଭୀର ପ୍ରଭାବ ରହିଛି। ଏଲିଜାବେଥଙ୍କର ଆଇଏସଆଇ ସହିତ ସମ୍ପର୍କ ଥିବା ଏବଂ ଭାରତରେ ୧୨ ବର୍ଷ ରହିବା ପରେ ବି ଭାରତୀୟ ନାଗରିକତା ଗ୍ରହଣ କରିବାକୁ ମନା କରିବା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପାକିସ୍ତାନ ଯୋଜନା ଆୟୋଗର ପରାମର୍ଶଦାତା ତଥା ଏଲିଜାବେଥଙ୍କ ପୂର୍ବତନ ସହକର୍ମୀ ଅଲି ତକୀରଙ୍କ ଦ୍ବାରା ସାମାଜିକ ଗଣମାଧ୍ୟରେ କରାଯାଇଥିବା କିଛି ପୋଷ୍ଟର ସ୍କ୍ରିନଶଟକୁ ହିମନ୍ତ ଶେୟାର କରିବା ସହିତ ଏଥିରୁ ଉଭୟଙ୍କ ମଧ୍ୟରେ ଗଭୀର ସମ୍ପର୍କ ଥିବା ସ୍ପଷ୍ଟ ହେଉଛି ବୋଲି ସେ କହିଛନ୍ତି।






More Stories
ଜୀବନ ନେଉଛି SIR…..
ଆସନ୍ତାକାଲି ୧୧ଟା ପର୍ଯ୍ୟନ୍ତ ଗୃହ ମୁଲତବୀ…..
ଖଡଗେ-ନଡ୍ଡା ମୁହାଁମୁହିଁ…..