Report Card Odisha

| Daily Odia News

ପୁଣି ଘଣ୍ଟ ପିଟିଲା କଂଗ୍ରେସ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ବିଧାନସଭା ଗୃହ ଭିତରେ ଘଣ୍ଟ ମାଡ଼କରି କଂଗ୍ରେସର ୧୪ ସଦସ୍ୟ ନିଲମ୍ବିତ ହେବା ପରେ ଶୁକ୍ରବାର ପୁଣି ବିଧାନସଭା ବାହାରେ ଘଣ୍ଟମାଡ଼ କରିଛନ୍ତିି। ମହିଳାଙ୍କ ସୁରକ୍ଷା ପ୍ରସଙ୍ଗରେ ଯେ ପର୍ଯ୍ୟନ୍ତ ସରକାରଙ୍କୁ ନିଦରୁ ନ ଉଠାଇଛୁ ସେପର୍ଯ୍ୟନ୍ତ ଘଣ୍ଟମାଡ଼ ଜାରି ରହିବ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି। ଅପରପକ୍ଷେ କଂଗ୍ରେସ ରାଜ୍ୟବାସୀଙ୍କ ବିଶ୍ୱାସଭାଜନ ହୋଇପାରିବ ନାହିଁ ବୋଲି ଭାଜପା କହିଛି। କଂଗ୍ରେସର ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ନେତୃତ୍ୱରେ ବିଧାୟକମାନେ ଏକ ମନ୍ଦିରରେ ଘଣ୍ଟ ବଜାଇ ପୂଜାର୍ଚ୍ଚନା କରିଥିଲେ। ଏହି ଅବସରରେ ସେ କହିଛନ୍ତି, ନାରୀ ନ୍ୟାୟ ପାଇଁ ଆମ କଂଗ୍ରେସ ବିଧାୟକମାନେ ବିଧାନସଭାରେ ଗୃହ କମିଟି ଦାବି କରିଥିଲୁ କିନ୍ତୁ ଭାଜପା ସରକାର ଷଡ଼ଯନ୍ତ୍ର କରି ଆମକୁ ନିଲମ୍ବନ କରିଛି। ଏହା କ’ଣ ନାରୀଙ୍କ ପାଇଁ ନ୍ୟାୟ ଓ ଓଡ଼ିଆ ଅସ୍ମିତା ? ରାଜ୍ୟ ବିଧାନସଭାରେ ବିରୋଧୀଙ୍କ ଦାବିକୁ ଗୁରୁତ୍ୱର ସହ ନେଇ ଗଣତାନ୍ତ୍ରିକ ପଦ୍ଧତିରେ ଆଇନ ପ୍ରଣୟନ ହୁଏ। କିନ୍ତୁ ଏକଚ୍ଛତ୍ରବାଦ ଶାସନ ଭଳି ଅହଙ୍କାରୀ ଭାଜପା ସରକାର ଆମକୁ ନିଲମ୍ବନ କରିଛି; ଯାହା ଗଣତନ୍ତ୍ର ବିରୋଧୀ। ସାଧାରଣ ଜନତାଙ୍କ ନ୍ୟାଯ୍ୟଦାବି ଫଳପ୍ରଦ କରିବା ଲାଗି ଆଇନ ପ୍ରଣୟନ କରିବାକୁ ସେମାନେ ଆମକୁ ବିଧାନସଭା ପଠେଇଛନ୍ତି। ମାତ୍ର ସେମାନଙ୍କ ଅଧିକାର ପାଇଁ ବିରୋଧୀ ଦଳ ଭାବେ ଗଣତାନ୍ତ୍ରିକ ପଦ୍ଧତିରେ ଦାବି ଉପସ୍ଥାପନା କରିବାରୁ ଆମକୁ ନିଲମ୍ବନ କରାଯାଇଛି। ଏହା ଅଗଣତାନ୍ତ୍ରିକ ଓ ଅସାମ୍ବିଧାନିକ ବୋଲି ତାରା କହିଛନ୍ତି।

Breaking News