Report Card Odisha

| Daily Odia News

୫ରେ ବିକ୍ଷୋଭ କରିବ କଂଗ୍ରେସ……

ରିପୋର୍ଟ କାର୍ଡ / ଭୁବନେଶ୍ବର

ସଂସଦରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟର ପ୍ରତିବାଦରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ମଙ୍ଗଳବାର ହୋଇଥିବା ବିକ୍ଷୋଭକୁ ନେଇ ମୁହାଁମୁହିଁ ପରିସ୍ଥିତି ଦେଖା ଦେଇଥିଲା। ଉଭୟ ଦଳ ପକ୍ଷରୁ ଗୋବର ଓ ଟେକାପଥର ମରାମରି ହୋଇଥିବା ବେଳେ ପରସ୍ପର ବିରୋଧରେ କ୍ୟାପିଟାଲ ଥାନାରେ ମାମଲା ରୁଜୁ କରାଯାଇଥିଲା। ତେବେ ଘଟଣାରେ ଆକ୍ରମଣକାରୀଙ୍କୁ ୭୨ ଘଣ୍ଟା ମଧ୍ୟରେ ପୋଲିସ ଗିରଫ ନକଲେ ଆସନ୍ତା ୫ତାରିଖ ଦିନ ସମସ୍ତ ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷକ(ଏସପି)ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଛାତ୍ର କଂଗ୍ରେସ ଓ ଯୁବ କଂଗ୍ରେସ ପକ୍ଷରୁ ବିକ୍ଷୋଭ କରାଯିବ। ଭୁବନେଶ୍ବର ଡିସିପି କାର୍ଯ୍ୟାଳୟ ସମ୍ମୁଖରେ ଛାତ୍ର ଓ ଯୁବ କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରିବ ବୋଲି ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ କହିଛନ୍ତି। ମଙ୍ଗଳବାର ଘଟଣାକୁ ନେଇ କଂଗ୍ରେସ ଭବନରେ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଅଧ୍ୟକ୍ଷତାରେ ଛାତ୍ର କଂଗ୍ରେସ ଓ ଯୁବ କଂଗ୍ରେସ କର୍ମୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଛି। ଶ୍ରୀ ନୱାଜ କହିଛନ୍ତି, ରାହୁଲଙ୍କ ମନ୍ତବ୍ୟକୁ ବିଜେପି ବିକୃତ କରି ଅଶାନ୍ତି ସୃଷ୍ଟି କରୁଛି। ଏହା ଦେଶ ପାଇଁ ଶୁଭଙ୍କର ନୁହେଁ। ରାଜନୀତିରେ ଧର୍ମକୁ ବ୍ୟବହାର କରା ନଯାଉ ବୋଲି ସେ କହିଛନ୍ତି। ଘଟଣା ସମ୍ପର୍କରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି, ଏହି ଘଟଣାରେ ସମ୍ପୃକ୍ତ ଆକ୍ରମଣକାରୀଙ୍କୁ ୭୨ ଘଣ୍ଟା ମଧ୍ୟରେ ଗିରଫ କରାନଗଲେ ରାଜ୍ୟରେ କଂଗ୍ରେସ ଆନ୍ଦୋଳନ କରିବ। ଆବଶ୍ୟକ ପଡ଼ିଲେ ୨୦ ହଜାର ଯୁବ ଛାତ୍ରଙ୍କ ସହ ବିଜେପି କାର୍ଯ୍ୟାଳୟରେ ଜୋର ଜବରଦସ୍ତ ପଶିବୁ ବୋଲି କଂଗ୍ରେସ ବିଧାୟକ ଶ୍ରୀ ବାହିନୀପତି କହିଛନ୍ତି। ଅନ୍ୟପଟେ ବିଜେପି ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ଅଭିଳାଷ ପଣ୍ଡା କହିଛନ୍ତି, ପିସିସି ସଭାପତିଙ୍କୁ କଂଗ୍ରେସ ଦଳର କର୍ମୀ କାଳିମାଡ କରୁଛନ୍ତି। ପିସିସି ସଭାପତି ନିଃସ୍ବାର୍ଥ ଭାବେ ଅଭିଯୁକ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ବାରମ୍ବାର ଦିଲ୍ଲୀ ଦୌଡୁଛନ୍ତି। କଂଗ୍ରେସ ଏକ ବିଶୃଙ୍ଖଳିତ ଦଳ। ସେ ଦଳ ଆମକୁ କ’ଣ ଶୃଙ୍ଖଳା ଶିଖାଇବ। ଶ୍ରୀ ଗାନ୍ଧୀ ସଂସଦରେ ଯେଉଁଭଳି ଭାବେ ହିନ୍ଦୁ ବିରୋଧୀ ମନ୍ତବ୍ୟ ଦେଇଛନ୍ତି, ଏଥିପାଇଁ ସେ କ୍ଷମା ମାଗନ୍ତୁ। ଗଣତାନ୍ତ୍ରିକ ଉପାୟରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ କରାଯାଉ ଥିବାବେଳେ କଂଗ୍ରେସ ଭବନରୁ ଟେକାପଥର ମାଡ କରାଯିବା ଦ୍ବାରା ୬ଜଣ କର୍ମୀ ଗୁରୁତର ହୋଇଛନ୍ତି। ଏନେଇ ପୋଲିସ ରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ମାମଲା ଦିଆଯାଇ ଥିବାବେଳେ ପୋଲିସ ଛାତ୍ର କଂଗ୍ରେସର ଦୋଷୀ କର୍ମୀଙ୍କୁ ଗିରଫ କରିବାକୁ ଦାବି କରାଯାଉଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି।

Breaking News