ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଉତ୍ତର ପ୍ରଦେଶ ସମେତ ୫ ରାଜ୍ୟର ବିଧାନସଭା ନିର୍ବାଚନ ଉପରେ ରହିଥିଲା ସମସ୍ତଙ୍କ ନଜର । ସବୁ ଅପେକ୍ଷାର ଅନ୍ତହେବାକୁ ଯାଉଛି, ଆସନ୍ତାକାଲି ୫ ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନର ଭୋଟ୍ ଗଣତି ହେବ। ସେହି ରାଜ୍ୟଗୁଡ଼ିକ ହେଉଛି ଗୋଆ, ପଞ୍ଜାବ, ମଣିପୁର, ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡ। ଭୋଟ ଗଣତି ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଥିବା ସୂଚନା ମିଳିଛି। ସକାଳ ୮ଟାରେ ଭୋଟ୍ ଗଣତି ଆରମ୍ଭ ହେବ। ଏଥି ସହିତ ଆସାମର ମାଜୁଲି ବିଧାନସଭା ଉପନିର୍ବାଚନ ଭୋଟ୍ ଗଣତି ହେବ। ନିର୍ବାଚନ କମିଶନଙ୍କ ୱେବ୍ସାଇଟରେ ନିର୍ବାଚନ ଫଳାଫଳ ଉପଲବ୍ଧ ହେବ। ଭୋଟ୍ ହେଲ୍ପଲାଇନ୍ ମୋବାଇଲ୍ ଆପ୍ ମାଧ୍ୟମରେ ମଧ୍ୟ ନିର୍ବାଚନ ଫଳାଫଳ ମିଳିବ | ଭୋଟ ଗଣତି କେନ୍ଦ୍ରଗୁଡ଼ିକରେ କରୋନା ନିୟମର କଡ଼ାକଡ଼ି ପାଳନ କରାଯିବା ଉପରେ ଗୁରୁତ୍ୱ ଦିଆଯାଉଛି। ଜିଲ୍ଲା ନିର୍ବାଚନ ଅଧିକାରୀମାନଙ୍କୁ ପ୍ରତ୍ୟେକ ଭୋଟ ଗଣତି କେନ୍ଦ୍ରରେ ନୋଡାଲ ଅଫିସର ନିଯୁକ୍ତ କରାଯାଇଛି। ସେମାନେ କରୋନା ନିୟମ ପାଳନ ବ୍ୟବସ୍ଥା ତଦାରଖ କରିବେ। ସ୍ଥାନୀୟ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ ଭୋଟ ଗଣତି କେନ୍ଦ୍ରଗୁଡ଼ିକୁ ସୁରକ୍ଷା ସାର୍ଟିଫିକେଟ୍ ପ୍ରଦାନ କରିବେ। କରୋନା ସୁରକ୍ଷା ନିୟମ ଅନୁଯାୟୀ ଆରଟି-ପିସିଆର କିମ୍ବା ଆଣ୍ଟିଜେନ୍ ପରୀକ୍ଷା କରିନଥିବା କୌଣସି ପ୍ରାର୍ଥୀ କିମ୍ବା ଏଜେଣ୍ଟଙ୍କୁ ଭୋଟ୍ ଗଣତି କେନ୍ଦ୍ର ମଧ୍ୟକୁ ଯିବାକୁ ଅନୁମତି ଦିଆଯିବ ନାହିଁ। କିନ୍ତୁ ଦୁଇଟିଯାକ ଟିକା ନେଇଥିବା ପ୍ରାର୍ଥୀ କିମ୍ବା ଏଜେଣ୍ଟ ଭୋଟ୍ ଗଣତି କେନ୍ଦ୍ରକୁ ଯାଇପାରିବେ। ଭୋଟ ଗଣତି କେନ୍ଦ୍ର ବାହାରେ ଜନସମାବେଶ ଉପରେ ନିର୍ବାଚନ କମିଶନ ନିଷେଧାଜ୍ଞା ଲାଗୁ କରିଛନ୍ତି। ସାମାଜିକ ଦୂରତା ବଜାୟ ରଖିବା ପାଇଁ ବଡ଼ବଡ଼ କୋଠରିରେ ଭୋଟ୍ ଗଣତି କରାଯିବ। ଗୋଟିଏ ଭୋଟ୍ ଗଣତି କେନ୍ଦ୍ରରେ ୭ଟିରୁ ଅଧିକ ଗଣତି ଟେବୁଲ ପକାଯିବ ନାହିଁ। ଭୋଟ୍ ଗଣତି ପୂର୍ବରୁ କେନ୍ଦ୍ର ଗୁଡ଼ିକୁ ଭୂତାଣୁମୁକ୍ତ କରାଯିବ। ଇଭିଏମ ଓ ଭିଭିପାଟଗୁଡ଼ିକୁ ମଧ୍ୟ ସାନିଟାଇଜ୍ ଓ ଭୂତାଣୁମୁକ୍ତ କରାଯିବ। ଭୋଟ୍ ଗଣତି କେନ୍ଦ୍ର ମଧ୍ୟରେ କେତୋଟି ଟେବୁଲ ପଡ଼ିପାରିବ, ତାହା କୋଠରିର ଆକାର ଉପରେ ନିର୍ଭର କରିବ ବୋଲି ଜଣାପଡିଛି। ଉଲ୍ଲେଖ ଯୋଗ୍ୟ- ଉତ୍ତର ପ୍ରଦେଶରେ ପୁଣି ଥରେ ବିଜେପି ସରକାର ଗଢୁଥିବା ବେଳେ ଅନେକ ଗଣମାଧ୍ୟମର ଏକଜିଟ୍ ପୋଲରୁ ଜଣା ପଡିଛି। ଯୋଗୀ ଆଦିତ୍ୟନାଥ ସରକାର ଉପରେ ପୁଣି ଥରେ ଉତ୍ତର ପ୍ରଦେଶବାସୀ ଭରସା ପ୍ରକଟ୍ କରିଥିବା ଚର୍ଚ୍ଚା ହେଉଛି | ଏହାକୁନେଇ ଦିଲ୍ଲୀ ଭାଜପା କାର୍ଯ୍ୟାଳୟକୁ ଗେରୁଆ ରଙ୍ଗରେ ଝଲସୁଛି |
More Stories
ଆଜି ଶପଥ ନେବେ କାନାଡ଼ା ପ୍ରଧାନମନ୍ତ୍ରୀ…..
ଅନ୍ୟକୁ ଦୋଷ ଦେଇ ନିଜ ବିଫଳତା ଲୁଚାଉଛି ପାକିସ୍ତାନ…..
ସିସୋଦିଆ ଏବଂ ସତ୍ୟୈନ୍ଦ୍ରଙ୍କ ପାଇଁ ବଢିଲା ଅଡୁଆ…..